ସନ୍ତ୍ରାସବାଦ, ନିଶା କାରବାର ରୋକିବାକୁ ଗୁରୁତ୍ୱ

୬୩ତମ ବରିଷ୍ଠ ଆରକ୍ଷୀ ଅଧିକାରୀ ସମ୍ମିଳନୀ ଆରମ୍ଭ

କଟକ : ଓଡ଼ିଶା ପୁଲିସ ମୁଖ୍ୟାଳୟରେ ଗୁରୁବାର ୬୩ତମ ବାର୍ଷିକ ବରିଷ୍ଠ ପୁଲିସ ଅଧିକାରୀ ସମ୍ମିଳନୀ ଆରମ୍ଭ ହୋଇଯାଇଛି। ପୁଲିସ ମହାନିର୍ଦେଶକ ଅଭୟ କାର୍ଯ୍ୟକ୍ରମକୁ ଉଦଘାଟନ କରି ରାଜ୍ୟରେ ଆଇନ ଶୃଙ୍ଖଳା, ସନ୍ତ୍ରାସବାଦ କାର୍ଯ୍ୟକଳାପ, ଅପରାଧ ଏବଂ ତଦନ୍ତ, ସିସିଟିଏନ ଏସର ପରବର୍ତ୍ତୀ ପଦକ୍ଷେପ ଓ ନିଶାଦ୍ରବ୍ୟ ଚୋରାଚାଲାଣ ନେଇ ବରିଷ୍ଠ ପୁଲିସ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ରାଜ୍ୟରେ ମାଓବାଦୀ କାର୍ଯ୍ୟକଳାପ ହ୍ରାସ ପାଇବା, ନାର୍କୋଟିକ୍ସ କାରବାର ଓ ସଂଗଠିତ ଅପରାଧ ବିରୋଧରେ କାର୍ଯ୍ୟାନୁଷ୍ଠାନ, ନିଶା ବେପାରୀଙ୍କ ସମ୍ପତ୍ତି ବାଜ୍ୟାପ୍ତି, ଆଇନ ଶୃଙ୍ଖଳା, ପୁଲିସ କର୍ମଚାରୀଙ୍କ ପଦୋନ୍ନତି, ୫-ଟି ନିୟମାନୁଯାୟୀ ବିଭିନ୍ନ ପଦକ୍ଷେପ, ପାସପୋର୍ଟ ଯାଞ୍ଚ ସମୟସୀମା ହ୍ରାସ, ଇଆରଏସଏସର ଶୁଭାରମ୍ଭ, ଓଡ୍ରାଫର କାର୍ଯ୍ୟକାରୀତା, ନିଖୋଜ ପିଲାଙ୍କ ସନ୍ଧାନ, ୱାରେଣ୍ଟି ଧରପଗଡ଼, ଅନୁସନ୍ଧାନ ପ୍ରକ୍ରିୟାର ଡିଜିଟାଇ ଜେସନ ଏବଂ ସିସିଟିଏନଏସକୁ ଅପଗ୍ରେଡ କରି ମନିଟରିଂ ଭଳି ଓଡ଼ିଶା ପୁଲିସ ସଫଳତା ସଂକ୍ରାନ୍ତରେ ମତବ୍ୟକ୍ତ କରିଥିଲେ। ଆସନ୍ତା ୨୦୨୨ ବର୍ଷ ନିମନ୍ତେ ଓଡ଼ିଶା ପୁଲିସର ସ୍ୱତନ୍ତ୍ର ଯୋଜନା ସଂକ୍ରାନ୍ତରେ ଡିଜିପି ଆଲୋକପାତ କରିଥିଲେ। ବିଶେଷକରି ମାଓ କାର୍ଯ୍ୟକଳାପକୁ ଶେଷ କରିବା, ଆଇନ ଶୃଙ୍ଖଳା, ସଂଗଠିତ ଅପରାଧ ନିୟନ୍ତ୍ରଣ, ନାର୍କୋଟିକ୍ସ କାରବାର ଓ ଚୋରା ବେପାରୀଙ୍କ ସମ୍ପତ୍ତି ଜବତ, ମହିଳା ଓ ଶିଶୁ ବିରୋଧୀ ଅପରାଧକୁ ଦୃଢହସ୍ତରେ ଦମନ କରାଯିବାକୁ ଚୂଡାନ୍ତ ହୋଇଥିଲା। ସେହିପରି ରାଜ୍ୟରେ ୧୧ଟି ନୂତନ ସାଇବର ଥାନା ଏବଂ କମିସନରେଟ ପୁଲିସ ଅଞ୍ଚଳରେ ୩ଟି ନୂଆ ଥାନା ପ୍ରତିଷ୍ଠା, କମିସନରେଟ ପୁଲିସରେ ସ୍ୱତନ୍ତ୍ର କ୍ରାଇମ ୟୁନିଟ, ମହିଳା ଓ ଶିଶୁ ବିରୋଧୀ ଅପରାଧ ଦମନ ନିମନ୍ତେ ସ୍ୱତନ୍ତ୍ର ୱିଙ୍ଗ, ଏସଟିଏଫ ଅଧୀନରେ ନାର୍କୋଟିକ୍ସ ଓ ଅନ୍ୟ କର୍ମଚାରୀଙ୍କ ନିଯୁକ୍ତି, ନୂତନ କ୍ୱାଟର୍ସ ନିର୍ମାଣକୁ ମଞ୍ଜୁରୀ, ଲାନ୍ସ ନାଏକ ପଦ ରଦ୍ଦ ଓ ହାବିଲଦାର ପଦ ସୃଷ୍ଟି ଏବଂ ମାଓ ପ୍ରଭାବିତ ଅଞ୍ଚଳରେ ରାସ୍ତାଘାଟ ନିର୍ମାଣ ଭଳି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିବାରୁ ଏହି ଅବସରରେ ଡିଜିପି ଅଭୟ ରାଜ୍ୟ ସରକାରଙ୍କୁ କୃତଜ୍ଞତା ଜଣାଇଥିଲେ।
ପ୍ରଥମ ଦିନର ସମ୍ମିଳନୀରେ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଏସ. ମୁରଲୀଧର ଆଭାସି ମାଧ୍ୟମରେ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ନୂତନ ଆରକ୍ଷୀ ମହା ନିର୍ଦେଶକ ଭାବେ ମନୋନୀତ ହୋଇଥିବା ସୁନୀଲ କୁମାର ବଂଶଲ ମଧ୍ୟ ଆଭାସି ମାଧ୍ୟମରେ ବୈଠକରେ ଅଂଶଗ୍ରହଣ କରିଥିଲେ। ପୁଲିସ ମୁଖ୍ୟାଳୟରୁ ଅତିରିକ୍ତ ଡିଜିପି ରେଳବାଇ ଡ ସୁଧାଂଶୁ ଷଡଙ୍ଗୀ, ଅପରାଧ ଶାଖାର ଅତିରିକ୍ତ ଆରକ୍ଷୀ ମହାନିର୍ଦେଶକ ସଞ୍ଜୀବ ପଣ୍ଡା, ଆଇନ ଶୃଙ୍ଖଳା ଏଡିଜି ଆର. କେ ଶର୍ମା, ଆଇଜି ଅପରେସନ ଅମିତାଭ ଠାକୁର, ଆଇଜି ପର୍ସୋନେଲ ଏସ. ପ୍ରବୀଣ କୁମାର ଓ କେନ୍ଦ୍ରାଞ୍ଚଳ ଆଇଜି ନରସିଂହ ଭୋଳ ପ୍ରମୁଖ ଉପସ୍ଥିତ ଥିଲେ। ଓଡ଼ିଶା ପୁଲିସକୁ ଏନସିଆରବି (ନ୍ୟାସନାଲ କ୍ରାଇମ ରେକର୍ଡ ବ୍ୟୁରୋ) ପକ୍ଷରୁ -ଶ୍ରେଷ୍ଠ ସିସିଟିଏନ ପୁରସ୍କାର ପ୍ରଦାନ କରାଯାଇଛି। ଫୌଜଦାରୀ ନ୍ୟାୟିକ ବ୍ୟବସ୍ଥା ପରିଚାଳନାରେ ରାଜ୍ୟର ପୁଲିସର ଉତ୍କୃଷ୍ଟ ସେବା ପାଇଁ ପୁଲିସକୁ ଏହି ସର୍ବଭାରତୀୟ ଶ୍ରେଷ୍ଠ ସମ୍ମାନ ମିଳିଛି। ଏଥିପାଇଁ ବୈଠକରେ ପୁଲିସ ମହାନିର୍ଦେଶକ ଅଭୟ ବରିଷ୍ଠ ପୁଲିସ ଅଧିକାରୀଙ୍କୁ ଅଭିନନ୍ଦନ ଜଣାଇଥିଲେ।

Comments are closed.