ଡିସେମ୍ବର ୧୯ରେ କଲକାତାରେ ଆଇପିଏଲ୍‌ ଖେଳାଳି ନିଲାମ

ନୂଆଦିଲ୍ଲୀ : ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୨୦୨୦ ମସିହା ସଂସ୍କରଣ ନିମନ୍ତେ ଖେଳାଳି ନିଲାମ ପ୍ରକ୍ରିୟା ଆସନ୍ତା ଡିସେମ୍ବର ୧୯ରେ କଲକାତାରେ ଅନୁଷ୍ଠିତ ହେବ ବୋଲି ନିଷ୍ପତ୍ତି ହୋଇଛି। ପ୍ରଥମଥର ପାଇଁ କଲକାତାରେ ଆଇପିଏଲ୍‌ ଖେଳାଳି ନିଲାମ ଅନୁଷ୍ଠିତ ହେବାକୁ ଯାଉଛି। ପୂର୍ବରୁ ଅଧିକାଂଶ ସଂସ୍କରଣ ନିମନ୍ତେ ଖେଳାଳି ନିଲାମ ପ୍ରକ୍ରିୟା ବେଙ୍ଗାଲୁରୁରେ ଆୟୋଜିତ ହୋଇଥିଲା।
ବର୍ତ୍ତମାନ ଆଇପିଏଲ୍‌ର ବିଭିନ୍ନ ଦଳ ମଧ୍ୟରେ ଖେଳାଳି ଅଦଳ ବଦଳ ପ୍ରକ୍ରିୟା ଜାରି ରହିଛି। ଏହି ପ୍ରକ୍ରିୟା ଆସନ୍ତା ନଭେମ୍ବର ୧୪ରେ ଶେଷ ହୋଇଯିବ। ଏହାପରେ ଖେଳାଳି ନିଲାମ ପ୍ରକ୍ରିୟାରେ କେଉଁ ଖେଳାଳିମାନେ ରହିବେ ତାହା ସ୍ପଷ୍ଟ ହୋଇଯିବ। ଏହାପରେ ଆଇପିଏଲ୍‌ ଖେଳାଳି ନିଲାମ ଡିସେମ୍ବର ୧୯ରେ କଲକାତାରେ ହେବ ବୋଲି ଗଭର୍ଣ୍ଣିଂ କାଉନ୍‌ସିଲ ତରଫରୁ ବିଭିନ୍ନ ଦଳର ମ୍ୟାନେଜମେଣ୍ଟ ଗୁଡ଼ିକୁ ସୂଚିତ କରାଯାଇଛି। ୨୦୧୯ ଆଇପିଏଲ୍‌ ଖେଳାଳି ନିଲାମରେ ପ୍ରତ୍ୟେକ ଦଳ ୮୨ କୋଟି ଟଙ୍କା ଖର୍ଚ୍ଚ ପାଇଁ ଅନୁମତି ପାଇଥିବା ବେଳେ ୨୦୨୦ ସଂସ୍କରଣ ନିମନ୍ତେ ଏହି ଅର୍ଥରାଶି ୮୫ କୋଟି ଟଙ୍କାକୁ ବଢ଼ାଇ ଦିଆଯାଇଛି। ସେହିପରି ଗତ ସଂସ୍କରଣରେ ବିଭିନ୍ନ ଦଳ ନିକଟରେ ଯେଉଁ ବଳକା ଅର୍ଥ ରହିଥିଲା ସେଥିମଧ୍ୟରୁ ପ୍ରତି ଦଳ ୩ କୋଟି ଟଙ୍କା ଚଳିତ ସଂସ୍କରଣରେ ଖର୍ଚ୍ଚ କରିପାରିବେ ବୋଲି ନିଷ୍ପତ୍ତି ହୋଇଛି। ସୂଚନାଥାଉକି ଗତଥର ​‌େ​‌ଖଳାଳି ନିଲାମ ସମୟରେ ଦିଲ୍ଲୀ କ୍ୟାପିଟାଲ୍‌ ନିକଟରେ ୮.୨ କୋଟି, ରାଜସ୍ଥାନ ରୟାଲ୍‌ସ ନିକଟରେ ୭.୧୫ କୋଟି ଓ କଲକାତା ନାଇଟ୍‌ ରାଇଡର୍ସ ନିକଟରେ ୬.୦୫ କୋଟି ଟଙ୍କା ବଳକା ରହିଛି।

Comments are closed.