ବିଦେଶୀ ଖେଳାଳିଙ୍କ ବିନା ଆଇପିଏଲ୍‍ ଅସମ୍ଭବ : ନେସ୍‌ ୱାଡିଆ

ନୂଆଦିଲ୍ଲୀ : ଚଳିତବର୍ଷର ଇଣ୍ଡିଆନ୍‍ ପ୍ରିମିୟର ଲିଗ୍‍ (ଆଇପିଏଲ୍‍) ଆୟୋଜନ ନେଇ ଏବେ ମଧ୍ୟ ଅନିଶ୍ଚିତତା ଲାଗିରହିଛି । ତଥାପି ଏହାର ଆୟୋଜନ ଲାଗି ସମସ୍ତ ପ୍ରକାର ବିକଳ୍ପର ବିଚାର କରୁଛି ବିସିସିଆଇ। ଆଇପିଏଲ୍‍କୁ ୩/୪ଟି ଷ୍ଟାଡିୟମରେ ଆୟୋଜନ କରିବା, ବିନା ଦର୍ଶକରେ ଖେଳାଯିବା, ମ୍ୟାଚ୍‍ ସଂଖ୍ୟା କମାଇବା ଏବଂ କେବଳ ଭାରତୀୟ ଖେଳାଳିଙ୍କୁ ନେଇ ଖେଳାଯିବା ବିଷୟରେ ଆଲୋଚନା ଚାଲିଛି। ତେବେ ବିଦେଶୀ ଖେଳାଳିଙ୍କ ବିନା ଆଇପିଏଲ୍‍ ଆୟୋଜନକୁ ନାପସନ୍ଦ କରିଛନ୍ତି ଆଇପିଏଲ୍‍ ଫ୍ରାଞ୍ଚାଇଜି କିଙ୍ଗ୍‍ସ ଏକାଦଶ ପଞ୍ଜାବର ସହମାଲିକ ନେସ୍‍ ୱାଡିଆ । ୱାଡିଆ ଯୁକ୍ତି ବାଢ଼ିଛନ୍ତି ଯେ ଆଇପିଏଲ୍‍ ହେଉଛି ଏକ ବିଶ୍ୱସ୍ତରୀୟ ଟୁର୍ଣ୍ଣାମେଣ୍ଟ। ବିଦେଶୀ ଖେଳାଳିଙ୍କ ଯୋଗୁଁ ଆଇପିଏଲ୍‍ ଦେଶବିଦେଶରେ ଏତେ ଲୋକପ୍ରିୟତା ପାଇଛି । ବିଦେଶୀ ଖେଳାଳି ନ ରହିଲେ ଆଇପିଏଲ୍‍ ଏକ ଘରୋଇ ଟୁର୍ଣ୍ଣାମେଣ୍ଟ ପରି ମନେହେବ । ସୂଚନାଯୋଗ୍ୟ, ଆଇପିଏଲ୍‍ ଫ୍ରାଞ୍ଚାଇଜି ରାଜସ୍ଥାନ ରୟାଲ୍‍ସ ପ୍ରଥମେ ପରାମର୍ଶ ଦେଇଥିଲା ଯେ କରୋନା ସଂକ୍ରମଣ ଯୋଗୁଁ ବିଦେଶୀ ଖେଳାଳିଙ୍କ ଲାଗି ଯାତ୍ରାଜନିତ କଟକଣା ନିଶ୍ଚୟ ରହିବ। ତେଣୁ କେବଳ ଭାରତୀୟ ଖେଳାଳିଙ୍କୁ ନେଇ ଆଇପିଏଲ୍‍ର ୧୩ଶ ସଂସ୍କରଣ ଖେଳାଯାଉ। ପରେ ୩ ଥରର ଚମ୍ପିଆନ୍‍ ଚେନ୍ନଇ ସୁପର କିଙ୍ଗ୍‍ସ ପ୍ରଥମ ଦଳ ଭାବେ ଏହି ପ୍ରସ୍ତାବକୁ ଖାରଜ କରିଥିଲା। ସିଏସ୍‍କେ କହିଥିଲା ଯେ ବିଦେଶୀ ଖେଳାଳିଙ୍କ ଅନୁପସ୍ଥିତିରେ ଆଇପିଏଲ୍‍ ସୟଦ୍‍ ମୁସ୍ତାକ୍‍ ଅଲୀ ଟୁର୍ଣ୍ଣାମେଣ୍ଟ ପରି ମନେହେବ। ଏବେ ସିଏସ୍‍କେ କଥା ସହ ଏକମତ ହୋଇଛନ୍ତି କିଙ୍ଗ୍‍ସ ଏକାଦଶ ପଞ୍ଜାବର ସହମାଲିକ ନେସ୍‍ ୱାଡିଆ। ତାଙ୍କ ଅନୁସାରେ ଏକ ଆନ୍ତର୍ଜାତିକ ଟୁର୍ଣ୍ଣାମେଣ୍ଟକୁ ଘରୋଇ ଟୁର୍ଣ୍ଣାମେଣ୍ଟରେ ପରିଣତ କଲେ ଏହାର ଆକର୍ଷଣ ହ୍ରାସପାଇବ ଏବଂ ଟିଭି ପ୍ରସାରଣକାରୀ ସଂସ୍ଥା ମଧ୍ୟ ଏଥିରେ ରାଜି ହୋଇନପାରେ।

Comments are closed.