ଦିଲ୍ଲୀର ପ୍ଲେଅଫ୍ ଆଶା ଉଜ୍ଜୀବିତ, ସଙ୍କଟରେ ପଞ୍ଜାବ

ମୁମ୍ବଇ: ଚଳିତ ଆଇପିଏଲ୍ରେ ୧୩ଶ ମ୍ୟାଚ୍ରେ ୭ମ ବିଜୟ ପରେ ୧୪ ପଏଣ୍ଟ ସହ ପ୍ଲେଅଫ୍ ଆଶା ଉଜ୍ଜୀବିତ ରଖିଛି ଦିଲ୍ଲୀ କ୍ୟାପିଟାଲ୍ସ। ସୋମବାର ପଞ୍ଜାବ କିଙ୍ଗ୍ସକୁ ୧୭ ରନ୍ରେ ଦିଲ୍ଲୀ ପରାସ୍ତ କରିଛି। ମିଚେଲ ମାର୍ଶଙ୍କ ଅର୍ଦ୍ଧଶତକ ଓ ସର୍ଫରାଜ ଖାଁଙ୍କ ବିସ୍ଫୋରକ ଇନିଂସ ବଳରେ ପ୍ରଥମେ ବ୍ୟାଟିଂକରି ଦିଲ୍ଲୀ କ୍ୟାପିଟାଲ୍ସ ୭ ୱିକେଟ ହରାଇ ୧୫୯ ରନ୍ କରିଥଲା। ପରେ ଜିତେଶ ଶର୍ମାଙ୍କ ଲଢ଼ୁଆ ଇନିଂସ ସତ୍ତ୍ବେ ପଞ୍ଜାବ କିଙ୍ଗ୍ସ ୯ ୱିକେଟ ହରାଇ ୧୪୨ ରନ୍ କରି ପାରିଥିଲା। ବିସ୍ଫୋରକ ଢଙ୍ଗରେ ପଞ୍ଜାବ ଇନିଂସ ଆରମ୍ଭ କରିଥିଲେ ହେଁ ନିୟମିତ ୱିକେଟ ହରାଇ ପରାଜୟ ଭୋଗିଥିଲା। ୧୩ଶ ମ୍ୟାଚ୍ରେ ୭ମ ପରାଜୟ ପରେ ପଞ୍ଜାବର ପ୍ଲେଅଫ୍ ଖେଳିବା ଆଶା ସଙ୍କଟରେ ପଡ଼ିଯାଇଛି। ଅନ୍ୟପକ୍ଷରେ ଏହି ବିଜୟ ପରେ ଦିଲ୍ଲୀ କ୍ୟାପିଟାଲ୍ସ ୪ର୍ଥ ସ୍ଥାନକୁ ଉନ୍ନୀତ ହୋଇଛି।
୧୬୦ ରନ୍ ଲକ୍ଷ୍ୟରେ ପଞ୍ଜାବ କିଙ୍ଗ୍ସ ଦ୍ରୁତଗତିରେ ଇନିଂସ ଆରମ୍ଭ କରିଥିଲା। ଜନି ବେୟାରଷ୍ଟୋ ବିସ୍ଫୋରକ ବ୍ୟାଟିଂ କରିଥିବା ବେଳେ ଶିଖର ଧାୱନ ମଧ୍ୟ ଷ୍ଟ୍ରୋକ୍ ଖେଳିଥିଲେ। ୪ର୍ଥ ଓଭରରେ ୩୮ ରନ୍ର ଓପ୍ନିଂ ଭାଗିଦାରୀ ପରେ ବେୟାରଷ୍ଟୋ ୧୫ ବଲ୍ରୁ ଗୋଟିଏ ଛକା ଓ ୪ଟି ଚୌକା ସହ ୨୮ ରନ୍କରି ଆଉଟ୍ ହୋଇଥିଲେ। ଏହାପରେ ୧୩ ରନ୍ରେ ୫ଟି ୱିକେଟ ହରାଇ ପଞ୍ଜାବ ସଙ୍କଟରେ ପଡ଼ି ଯାଇଥିଲା। ଭାନୁକା ରାଜପକ୍ଷ ୪ ରନ୍ କରିଥିଲେ। ପରେ ଶିଖର ଧାୱନ ୧୬ ବଲ୍ରୁ ୩ଟି ଚୌକା ସହ ୧୯ ରନ୍କରି ବିଦାୟ ନେଇଥିଲେ। ମଧ୍ୟକ୍ରମକୁ ଖସିବା ପରେ ବ୍ୟାଟିଂ ଫର୍ମ ଖୋଜୁଥିବା ଅଧିନାୟକ ମୟଙ୍କ ଅଗ୍ରୱାଲ ଖାତା ଖୋଲି ପାରିନଥିଲେ। ଲିଆମ୍ ଲିଭିଙ୍ଗ୍ଷ୍ଟୋନ୍ ୩ ଓ ହରପ୍ରୀତ ବ୍ରାର ୧ ରନ୍ କରିଥିଲେ। ପରେ ଜିତେଶ ଶର୍ମା ଓ ରାହୁଲ ଚହର ଲଢ଼ିଥିଲେ। ଦୁହେଁ ୪୧ ରନ୍ ଯୋଡ଼ିବା ପରେ ଜିତେଶ ୩୪ ବଲ୍ରୁ ୨ଟି ଛକା ଓ ୩ଟି ଚୌକା ସହ ୪୪ ରନ୍କରି ଆଉଟ୍ ହୋଇଥିଲେ। ରାହୁଲ ଚହର ୨୫ ରନ୍କରି ଅପରାଜିତ ଥିଲେ। ବ୍ୟକ୍ତିଗତ ଶ୍ରେଷ୍ଠ ଆଇପିଏଲ୍ ବୋଲିଂ ପ୍ରଦର୍ଶନ କରି ସାର୍ଦୁଳ ଠାକୁର ୪ଟି ଏବଂ ଅକ୍ଷର ପଟେଲ ଓ କୁଲଦୀପ ଯାଦବ ୨ଟି ଲେଖାଏଁ ୱିକେଟ ନେଇଥିଲେ। ସାର୍ଦୁଳ ଠାକୁର ପ୍ଲେୟର ଅଫ୍ ଦି ମ୍ୟାଚ୍ ଘୋଷିତ ହୋଇଥିଲେ।
ଟସ୍ ଜିତି ପଞ୍ଜାବ କିଙ୍ଗ୍ସ ଫିଲ୍ଡିଂ ନେବା ପରେ ଦିଲ୍ଲୀ କ୍ୟାପିଟାଲ୍ସ ପ୍ରଥମ ବଲ୍ରେ ଡେଭିଡ୍ ୱାର୍ଣ୍ଣରଙ୍କୁ ହରାଇଥିଲା। ଓପ୍ନର ସର୍ଫରାଜ ଖାଁ ଓ ମିଚେଲ ମାର୍ଶ ଦ୍ରୁତ ୫୧ ରନ୍ ଯୋଡ଼ିଥିଲେ। ସର୍ଫରାଜ ମାତ୍ର ୧୬ ବଲ୍ରୁ ଗୋଟିଏ ଛକା ଓ ୫ଟି ଚୌକା ସହ ୩୨ ରନ୍ କରିଥିଲେ। ପରେ ଫର୍ମରେ ଥିବା ମାର୍ଶ ଓ ଲଳିତ ଯାଦବ ୨ୟ ୱିକେଟ ପାଇଁ ୪୭ ରନ୍ ଯୋଡ଼ିଥିଲେ। ଲଳିତ ଯାଦବ ୨୧ ବଲ୍ରୁ ଗୋଟିଏ ଲେଖାଏଁ ଛକା ଓ ଚୌକା ସହ ୨୪ ରନ୍ କରିଥିଲେ। ତେବେ ଅଧିନାୟକ ଋଷଭ ପନ୍ତ୍ ଓ ରୋଭ୍ମ୍ୟାନ୍ ପୱେଲ୍ ବିଫଳ ହେବାରୁ ଦିଲ୍ଲୀ ଶେଷଆଡ଼କୁ ଦ୍ରୁତ ସ୍କୋର୍ କରି ପାରିନଥିଲା। ପନ୍ତ୍ ୭ ଓ ପୱେଲ ୨ ରନ୍ କରିଥିଲେ। ୧୯ଶ ଓଭରରେ ଆଉଟ୍ ହୋଇଥିବା ମିଚେଲ ମାର୍ଶ ୪୮ ବଲ୍ରୁ ୩ଟି ଛକା ଓ ୪ଟି ଚୌକା ସହ ୬୩ ରନ୍ କରିଥିଲେ। ଶେଷ ୨ ଓଭରରୁ ମାତ୍ର ୧୦ ରନ୍ ହୋଇଥିଲା। ଅକ୍ଷର ପଟେଲ ୨୦ ବଲ୍ରୁ ଅପରାଜିତ ୧୭ ରନ୍ କରିଥିଲେ। ଲିଆମ୍ ଲିଭିଙ୍ଗ୍ଷ୍ଟୋନ୍ ଓ ଅର୍ଶଦୀପ ସିଂହ ୩ଟି ଲେଖାଏଁ ୱିକେଟ ନେଇଥିଲେ।
Comments are closed.