ଚେନ୍ନଇ-ଦିଲ୍ଲୀ କ୍ବାଲିଫାୟର-୨ ମୁକାବିଲା ଆଜି

ବିଶାଖାପାଟଣା  : ମୁମ୍ବଇ ଇଣ୍ଡିଆନ୍‌ସ ପ୍ରଥମ ଦଳ ଭାବେ ଚଳିତ ଆଇପିଏଲ୍‌ରେ ଫାଇନାଲରେ ପ୍ରବେଶ କରିସାରିଛି । ଶୁକ୍ରବାର ୨ୟ ଫାଇନାଲିଷ୍ଟ ଲାଗି  ଦିଲ୍ଲୀ କ୍ୟାପିଟାଲ୍‌ସ ଓ ଚେନ୍ନଇ ସୁପର କିଙ୍ଗ୍‌ସ ମଧ୍ୟରେ ମୁକାବିଲା ହେବ । କ୍ବାଲିଫାୟର-୨ରେ ଏହି ମୁକାବିଲାର ବିଜେତା ହିଁ ରବିବାର ମୁମ୍ବଇ ଇଣ୍ଡିଆନ୍‌ସର ମୁକାବିଲା କରିବ। ପ୍ରଥମ କ୍ବାଲିଫାୟରରେ ଗତବର୍ଷର ଚମ୍ପିଆନ୍ ଚେନ୍ନଇ ସୁପର କିଙ୍ଗ୍‌ସକୁ ପରାସ୍ତକରି ୩ ଥର ଚମ୍ପିଆନ୍ ମୁମ୍ବଇ ଇଣ୍ଡିଆନ୍‌ସ ଫାଇନାଲରେ ପହଞ୍ଚିଛି। ତେବେ ଫାଇନାଲ ଯିବା ପାଇ ଚେନ୍ନଇ ପାଖରେ ୨ୟ ସୁଯୋଗ ରହିଛି। ବୁଧବାର ସନ୍‌ରାଇଜର୍ସ ହାଇଦରାବାଦକୁ ହରାଇ ଦିଲ୍ଲୀ କ୍ୟାପିଟାଲ୍‌ସ କ୍ବାଲିଫାୟର-୨ରେ ପହଞ୍ଚିଛି। ଅଭିଜ୍ଞ ଚେନ୍ନଇ ଓ ଯୁବ ଦଳ ଦିଲ୍ଲୀ ମଧ୍ୟରେ ମୁକାବିଲା ନିଶ୍ଚୟ ରୋଚକ ହେବ। ପ୍ରଥମଥମ ପାଇଁ ଫାଇନାଲ ଖେଳିବାର ଲକ୍ଷ୍ୟ ରଖିଛି ଦିଲ୍ଲୀ।
ଲିଗ୍ ପର୍ଯ୍ୟାୟରେ ଚେନ୍ନଇ ସୁପର କିଙ୍ଗ୍‌ସ ଓ ଦିଲ୍ଲୀ କ୍ୟାପିଟାଲ୍‌ସ ପାଖାପାଖି ରହିଥିଲେ। ଉଭୟ ଦଳ ୧୪ଟି ମ୍ୟାଚ୍‌ରୁ ୯ଟି ଲେଖାଏଁ ମ୍ୟାଚ୍ ଜିତିଛନ୍ତି। ସୂଚନାଯୋଗ୍ୟ; ଲିଗ୍ ପର୍ଯ୍ୟାୟରେ ଦିଲ୍ଲୀକୁ ହିଁ ୮୦ ରନ୍‌ରେ ପରାସ୍ତକରି ଏହାକୁ ଶୀର୍ଷସ୍ଥାନରେ ରହିବାରୁ ବଞ୍ଚିତ କରିଥିଲା ଚେନ୍ନଇ ସୁପର କିଙ୍ଗ୍‌ସ। ପୁଣିଥରେ ଦିଲ୍ଲୀ କ୍ୟାପିଟାଲ୍‌ସ ଫାଇନାଲରେ ପହଞ୍ଚିବା ରାସ୍ତାରେ ଛିଡ଼ାହୋଇଛି ଚେନ୍ନଇ ସୁପର କିଙ୍ଗ୍‌ସ। ଏଲିମିନେଟରରେ ବିଜୟ ଦିଲ୍ଲୀ କ୍ୟାପିଟାଲ୍‌ସକୁ ଉତ୍ସାହିତ କରିଛି। ଦୁଇ ଯୁବ ବ୍ୟାଟ୍‌ସମ୍ୟାନ୍ ପୃଥ୍ବୀ ସ’ ଓ ଋଷଭ ପନ୍ତ୍ ଯେପରି ବ୍ୟାଟିଂକଲେ; ସେଥିରୁ ଦିଲ୍ଲୀର ଆତ୍ମବିଶ୍ବାସ ବହୁତ ବଢ଼ିଯାଇଛି। ୨୧ ବଲ୍‌ରୁ ପନ୍ତ୍୍‌ଙ୍କ ୪୯ ରନ୍‌ର ଇନିଂସ ପରେ ବିଶ୍ବକପ୍ ଦଳରେ ତାଙ୍କ ମନୋନୟନ ପ୍ରସଙ୍ଗ ନେଇ ପୁଣି ଝଡ଼ ଉଠିଛି। ବୁଧବାର ସନ୍‌ରାଇଜର୍ସ ବିପକ୍ଷ ମ୍ୟାଚ୍‌ରେ ଦିଲ୍ଲୀ କ୍ୟାପିଟାଲ୍‌ସର ମଧ୍ୟକ୍ରମ ବିଫଳ ହୋଇଥିଲେ ହେଁ ଗୋଟିଏ ପଟେ ପନ୍ତ୍ ଆକ୍ରମଣାତ୍ମକ ବ୍ୟାଟିଂକରି ଦଳକୁ ଜିତାଇଥିଲେ। ଶୁକ୍ରବାର କ୍ବାଲିଫାୟର-୨ରେ ମଧ୍ୟ ପନ୍ତ୍‌ଙ୍କଠାରୁ ଦିଲ୍ଲୀ ଅନୁରୂପ ଏକ ଇନିଂସ ଆଶାରଖିଛି। ବିଶାଖାପାଟଣା ଗ୍ରାଉଣ୍ଡରେ ଗୋଟିଏ ମ୍ୟାଚ୍ ଖେଳିଥିବାରୁ ଏଠାକାର ପିଚ୍ ଓ ବାତାବରଣ ବିଷୟରେ ଦିଲ୍ଲୀ କ୍ୟାପିଟାଲ୍‌ସ ଭଲଭାବେ ଅବଗତ ଥିବ। କାଗିସୋ ରାବାଡ଼ାଙ୍କ ଅନୁପସ୍ଥିତିରେ ଦୁଇ ପେସ୍ ବୋଲର ଟ୍ରେଣ୍ଟ ବୋଲ୍‌ଟ ଓ ଈଶାନ୍ତ ଶର୍ମା ଭଲ ବୋଲିଂ କରିଛନ୍ତି। କିମୋ ପଲ୍‌ ଉଭୟଙ୍କୁ ଭଲ ସମର୍ଥନ ଦେଇଛନ୍ତି। ଭେଟେରାନ୍ ଲେଗ୍‌ସ୍ପିନର ଅମିତ ମିଶ୍ର ପୁଣି ଭଲ ବୋଲିଂ କରୁଛନ୍ତି ଏବଂ ଦଳକୁ ଆବଶ୍ୟକ ଗୁରୁତ୍ବପୂର୍ଣ୍ଣ ୱିକେଟ ଦେଉଛନ୍ତି। ଅନ୍ୟପକ୍ଷରେ ବିଶାଖାପାଟଣାରେ ଚେନ୍ନଇ ପିଚ୍‌ ଭଳି ବଲ୍‌ ସ୍ପିନ୍ ହେବନାହିଁ। ତେଣୁ ହରଭଜନ ସିଂହ ଓ ଇମ୍ରାନ୍ ତାହିର ଏହି ପିଚ୍‌ରୁ ଅଧିକ ଫାଇଦା ପାଇବେନାହିଁ। ଏହାସତ ଯେ ଏଲିମିନେଟର ମ୍ୟାଚ୍‌ରେ ଲଢ଼ୁଆ ବିଜୟ ଦିଲ୍ଲୀ କ୍ୟାପିଟାଲ୍‌ସକୁ ଅଧିକ ଆତ୍ମବିଶ୍ବାସୀ କରିଛି।
ଅନ୍ୟପକ୍ଷରେ ନକ୍‌ଆଉଟ ମ୍ୟାଚ୍ ଜିତିବାର କଳା ଚେନ୍ନଇ ସୁପର କିଙ୍ଗ୍‌ସକୁ ଜଣା। ମହେନ୍ଦ୍ର ସିଂହ ଧୋନିଙ୍କ ଦଳ ୩ ଥର ଚମ୍ପିଆନ୍ ହୋଇଥିବା ବେଳେ ୪ ଥର ରନର୍ସଅପ୍ ହୋଇଛି। ତେଣୁ ୮ମ ଫାଇନାଲ ଖେଳିବା ଲକ୍ଷ୍ୟରେ ସିଏସ୍‌କେ ରହିଛି। ମୁମ୍ବଇ ଇଣ୍ଡିଆନ୍‌ସ ବିପକ୍ଷରେ କ୍ବାଲିଫାୟର-୧ରେ ଚେନ୍ନଇକୁ ଏହାର ବ୍ୟାଟ୍‌ସମ୍ୟାନ୍ ନିରାଶ କରିଥିଲେ। ତେଣୁ ସିଏସ୍‌କେର ଉପର ଅର୍ଡରଠାରୁ ଉନ୍ନତ ପ୍ରଦର୍ଶନର ଲକ୍ଷ୍ୟ ରଖିଛନ୍ତି ଅଧିନାୟକ ଧୋନି। ଏପ୍ରିଲ ୨୩ରେ ସନ୍‌ରାଇଜର୍ସ ହାଇଦରାବାଦ ବିପକ୍ଷରେ ୫୩ ବଲ୍‌ରୁ ୯୬ ରନ୍‌ର ଇନିଂସ ଖେଳିବା ପରଠାରୁ ସେନ୍ ୱାଟ୍‌ସନଙ୍କ ବ୍ୟାଟ୍‌ରୁ ରନ୍ ବାହାରିନାହିଁ। ସିଏସ୍‌କେ ପୁଣିଥରେ ଭଲ ସ୍କୋର୍‌ ପାଇଁ ଓପ୍‌ନର ଫାଫ୍ ଡୁ ପ୍ଲେସିଙ୍କ ସହ ସୁରେଶ ରୈନାଙ୍କ ଉପରେ ନିର୍ଭର କରିବ। ଅମ୍ବତି ରାୟୁଡୁଙ୍କ ଧିମା ବ୍ୟାଟିଂ ଯୋଗୁଁ ଦଳ ଚିନ୍ତାରେ। ତେଣୁ ଅଧିନାୟକ ଭାବେ ଧୋନିଙ୍କୁ ବ୍ୟାଟିଂରେ ଅଧିକ ଦାୟିତ୍ବ ନେବାକୁ ପଡ଼ିବ। ବୋଲିଂକୁ ନେଇ ଚେନ୍ନଇର ସେତେ ଚିନ୍ତା ନାହିଁ। ୩ ସ୍ପିନର- ହରଭଜନ ସିଂହ, ଇମ୍ରାନ୍ ତାହିର ଓ ରବୀନ୍ଦ୍ର ଜାଡ଼େଜା ଭଲ ବୋଲିଂ କରୁଥିବା ବେଳେ ପେସ୍ ବୋଲର ଦୀପକ ଚହର ଚମତ୍କାର ପ୍ରଦର୍ଶନ କରିଛନ୍ତି। ତେବେ ଭେଟେରାନ୍ ଡ୍ବେନ୍ ବ୍ରାଭୋଙ୍କଠାରୁ ସିଏସ୍‌କେ ଚଳିତ ସିଜିନ୍‌ରେ ଯେପରି ଆଶା ରଖିଥିଲା; ଏହି ୱେଷ୍ଟଇଣ୍ଡିଆନ୍ ସେପରି ପ୍ରଦର୍ଶନ କରିନାହାନ୍ତି।

Comments are closed.