କ୍ବାଲିଫାୟର-୧ ଆଜି : ଫାଇନାଲ ଲକ୍ଷ୍ୟରେ ଚେନ୍ନଇ ଓ ଦିଲ୍ଲୀ

ଦୁବାଇ: ଆଇପିଏଲର କ୍ବାଲିଫାୟର-୧ ମ୍ୟାଚ ରବିବାର ଦୁବାଇରେ ଦିଲ୍ଲୀ କ୍ୟାପିଟାଲ୍‌ସ ଓ ଚେନ୍ନଇ ସୁପର କିଙ୍ଗ୍‌ସ ମଧ୍ୟ​‌େ​‌ର ଖେଳାଯିବ। ପଏଣ୍ଟ ଟେବୁଲର ଶୀର୍ଷ ସ୍ଥାନରେ ରହିଥିବା ଦିଲ୍ଲୀ କ୍ୟାପିଟାଲ୍‌ସ ଓ ୨ୟ ସ୍ଥାନରେ ଥିବା ଚେନ୍ନଇ ସୁପରକିଙ୍ଗ୍‌ସ ଫାଇନାଲ ଖେଳିବା ଲକ୍ଷ୍ୟରେ ମୁହଁାମୁହିଁ ହେବେ। ମହେନ୍ଦ୍ର ସିଂହ ଧୋନିଙ୍କ ନେତୃତ୍ବାଧିନ ଚେନ୍ନଇ ଓ ଋଷଭ ପନ୍ତ୍‌ଙ୍କ ଦିଲ୍ଲୀ ବିଜୟ ସହ ସିଧାସଳଖ ଫାଇନାଲରେ ପ୍ରବେଶ ଲକ୍ଷ୍ୟ ନେଇ ଖେଳିବେ। ୩ଥର ଚମ୍ପିଆନ ଚେନ୍ନଇ ୯ମ ଥର ଲାଗି ଫାଇନାଲ ଖେଳିବା ଲକ୍ଷ୍ୟରେ ରହିଥିବାବେଳେ ୨୦୨୦ ରନର୍ସଅପ ଦିଲ୍ଲୀ କ୍ରମାଗତ ଦ୍ବିତୀୟ ଥର ପାଇଁ ଫାଇନାଲ ଖେଳିବା ଲକ୍ଷ୍ୟ ରଖିଛି। ମୁଖ୍ୟତଃ ଅଭିଜ୍ଞ ଧୋନିଙ୍କ ପାଇଁ ଅନଭିଜ୍ଞ ପନ୍ତ୍‌ଙ୍କ ମଧ୍ୟରେ ଲଢେଇ ହେବ।

ଦିଲ୍ଲୀ କ୍ୟାପିଟାଲ୍‌ସ ୧୪ଟି ମ୍ୟାଚରୁ ୧୦ଟି ବିଜୟ, ୪ଟି ପରାଜୟ ସହ ୨୦ ପଏଣ୍ଟ ପାଇ ଟେବୁଲର ଶୀର୍ଷ ସ୍ଥାନ ହାସଲ କରିଛି। ଅଭିଜ୍ଞ ଓପନର ଶିଖର ଧାୱନ ୫୪୪ ରନ କରିବା ସହିତ ଭଲ ଫର୍ମରେ ରହିଛନ୍ତି। ଅନ୍ୟତମ ଓପନର ପୃଥ୍ବୀ ସ ୪୦୧, ଅଧିନାୟକ ଋଷଭ ପନ୍ତ୍‌ ୩୨୨ରନ କରିଥିବାବେଳେ ମଧ୍ୟକ୍ରମରେ ଶ୍ରେୟାସ ଆୟର, ଷ୍ଟିଭ୍‌ ସ୍ମିଥ୍‌ ଓ ସିମ୍ରନ ହେତ୍‌ମେୟର ମଧ୍ୟ ଉପଯୋଗୀ ରନ୍‌ କରୁଛନ୍ତି। ବୋଲିଂରେ ଆଭେସ୍‌ ଖାଁ ଚମତ୍କାର ପ୍ରଦର୍ଶନ କରି ୨୨ଟି ୱିକେଟ ନେଇଥିବା ବେଳେ ଅକ୍ଷର ପଟେଲ ୧୫ଟି, କାଗିସୋ ରାବଡା ୧୩ଟି ୱିକେଟ ନେଇଛନ୍ତି। ଦ୍ରୁତ ବୋଲର ଅାନ୍‌ରିଚ୍‌ ନୋର୍ଖିୟା ଭଲ ବୋଲିଂ କରୁଛନ୍ତି। ସ୍ପିନ ବିଭାଗରେ ରବିଚନ୍ଦ୍ରନ ଅଶ୍ବିନ ଓ ଅକ୍ଷର ପଟେଲ ମଧ୍ୟ ଦଳ ପାଇଁ ମୂଲ୍ୟବାନ ଯୋଗଦାନ ଦେଉଛନ୍ତି। ଦଳ ପ୍ରଥମ ଚରଣ ଭଳି ୨ୟ ଚରଣରେ ମଧ୍ୟ ସନ୍ତୁଳିତ ପ୍ରଦର୍ଶନ କରିବାରେ ସଫଳ ହୋଇଛି।

ସେହିପରି ଚେନ୍ନଇ ସୁପର କିଙ୍ଗ୍‌ସ ମଧ୍ୟ କୌଣସି ଗୁଣରେ ପଛରେ ନାହିଁ। ୧୨ଟି ସଂସ୍କରଣ ମଧ୍ୟରୁ ୧୧ଥର ପାଇଁ ପ୍ଲେଅଫ ଖେଳିବାକୁ ଯାଉଛି ଚେନ୍ନଇ। ଦଳ ୧୪ଟି ମ୍ୟାଚରୁ ୯ଟି ବିଜୟ ଓ ୫ଟି ପରାଜୟ ସହ ୧୮ ପଏଣ୍ଟ ପାଇ ୨ୟ ସ୍ଥାନରେ ରହିଛି। ବ୍ୟାଟିଂରେ ଦୁଇ ଓପନର ଫ୍ଲାଫ ଡୁପ୍ଲେସି ୫୪୬ ଓ ଋତୁରାଜ ଗାଏକ୍ବାର୍ଡ ୫୩୩ ରନ କରିବା ସହ ଚମତ୍କାର ଫର୍ମରେ ରହିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଅମ୍ବାତି ରାୟୁଡୁ, ମୋଇନ୍‌ ଅଲୀ, ସୁରେଶ ରୈନା ୧୬୦ ଓ ଅଧିନାୟକ ଧୋନି ୯୬ ଫର୍ମରେ ନଥିଲେ ମଧ୍ୟ ବିପକ୍ଷ ଦଳ ବୋଲରଙ୍କ ପାଇଁ ଘାତକ ସାବ୍ୟସ୍ତ ହୋଇପାରନ୍ତି। ରବୀନ୍ଦ୍ର ଜାଡେଜା ୨୨୭ରନ କରିବା ସହିତ ଦଳ ପାଇଁ ମ୍ୟାଚ ଫିନିସର ଦାୟିତ୍ବ ତୁଲାଉଛନ୍ତି। ଡାରେନ ବ୍ରାଭୋ ଓ ସାର୍ଦୁଳ ଠାକୁର ଅଲ୍‌ରାଉଣ୍ଡର ଭାବେ ଖେଳୁଛନ୍ତି। ସାର୍ଦୁଳ ଠାକୁର ୧୮ ଓ ଡାରେନ ବ୍ରାଭୋ ୧୨ଟି ୱିକେଟ ନେଇଥିବା ବେଳେ ଦୀପକ ଚହର ମଧ୍ୟ ଫାଷ୍ଟ ବୋଲିଂ ବିଭାଗରେ ଭଲ କରୁଛନ୍ତି। ବ୍ରାଭୋଙ୍କ ଶେଷ ଓଭର ବୋଲିଂ ବିପକ୍ଷ ଦଳ ପାଇଁ ଚିନ୍ତା ପାଲଟିଛି। ହାଜେଲଉଡ୍‌ଙ୍କ ଅନୁପସ୍ଥିତରେ ଲୁଙ୍ଗି ଏନ୍‌ଗିଡି ଖେଳିବା ସମ୍ଭାବନା ରହିଛି। ଉଭୟ ଦଳ ଚଳିତ ସିଜିନରେ ଲିଗ୍‌ ପର୍ଯ୍ୟାୟରେ ଦୁଇଥର ମୁହଁାମୁହିଁ ହୋଇଛନ୍ତି। ଉଭୟ ମ୍ୟାଚକୁ ଦିଲ୍ଲୀ ଜିତିବାରେ ସକ୍ଷମ ହୋଇଛି। ଉଭୟ ଦଳର ପ୍ରଦର୍ଶନକୁ ଦେଖିଲେ ଦିଲ୍ଲୀ ଆଗରେ ରହିଥିଲେ ମଧ୍ୟ ଧୋନିଙ୍କ ଚତୁର ରଣନୀତି ପନ୍ତ୍‌ଙ୍କ ଯୋଜନାକୁ ବିଗାଡ଼ିପାରେ।

Comments are closed.