ଧୋନି ବନାମ କାର୍ତ୍ତିକ ଲଢ଼େଇ; ବିଜୟଧାରା ବଜାୟ ଲକ୍ଷ୍ୟରେ ସୁପରକିଙ୍ଗ୍‌ସ

ଦୁବାଇ: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ) ତ୍ରୟୋଦଶତମ ସଂସ୍କରଣର ବୁଧବାର ୨୧ତମ ମ୍ୟାଚ ଆବୁଧାବିରେ ଚେନ୍ନଇ ସୁପରକିଙ୍ଗ୍‌ସ ଓ କଲକାତା ନାଇଟ୍‌ ରାଇଡର୍ସ ମଧ୍ୟରେ ଖେଳାଯିବ। ଦିନେଶ କାର୍ତ୍ତିକଙ୍କ ନେତୃତ୍ବାଧିନ କଲକାତା ନାଇଟ୍‌ ରାଇଡର୍ସ ୪ଟି ମ୍ୟାଚରୁ ଦୁଇଟି ବିଜୟ ଓ ଦୁଇଟି ପରାଜୟ ସହ ୪ ପଏଣ୍ଟ ହାସଲ କରିଛି। ବ୍ୟାଟିଂରେ ଓପନର ଶୁଭମାନ ଗିଲ୍‌ ୧୫୨ରନ, ଇୟାନ ମୋର୍ଗାନ ୧୩୬ରନ ଓ ନିତିଶ ରାଣା ୧୩୦ରନକୁ ବାଦ୍‌ ଦେଲେ ଅନ୍ୟ କୌଣସି ଖେଳାଳି ସେଭଳି ଉଲ୍ଲେଖନୀୟ ପ୍ରଦର୍ଶନ କରିପାରିନାହାନ୍ତି। କାର୍ତ୍ତିକ ରନ କରିବାକୁ ସଂଘର୍ଷ କରୁଥିବାବେଳେ ଆଣ୍ଡ୍ୟୁ ରସେଲଙ୍କ ପ୍ରଭାବୀ ପ୍ରଦର୍ଶନ ଦେଖିବାକୁ ମିଳିନାହିଁ। ଦଳ ଓପନିଂକୁ ନେଇ ମଧ୍ୟ ଚିନ୍ତାରେ ରହିଛି। ସୁନୀଲ ନାରାୟଣ ଓପିନଂ ବ୍ୟାଟିଂ କରିବାରେ ବିଫଳ ହେଉଛନ୍ତି। ବୋଲିଂରେ କମଳେଶ ନାଗରକୋଟି ଓ ଶୁଭମ ମାଭି ସେଭଳି ପ୍ରଦର୍ଶନ କରିପାରିନଥିବାବେଳେ ପ୍ୟାଟ୍‌ କୁମିନ୍ସ ମଧ୍ୟ ଦକ୍ଷତା ଅନୁସାରେ ପ୍ରଦର୍ଶନ କରିବାରେ ବିଫଳ ହେଉଛନ୍ତି। ଦଳକୁ ଚେନ୍ନଇ ସୁପରକିଙ୍ଗ୍‌ସ ବିପକ୍ଷରେ ବିଜୟ ହାସଲ କରିବାକୁ ହେଲେ ସବୁ ବିଭାଗରେ ଭଲ ପ୍ରଦର୍ଶନ କରିବାକୁ ପଡ଼ିବ। ଅନ୍ୟପକ୍ଷରେ ଚେନ୍ନଇ ସୁପରକିଙ୍ଗ୍‌ସ ୫ଟି ମ୍ୟାଚରୁ ୨ଟି ବିଜୟ ଓ ୩ଟି ପରାଜୟ ସହ ୪ ପଏଣ୍ଟ ହାସଲ କରିଛି। ଲଗାତାର ୩ଟି ମ୍ୟାଚରେ ପରାଜୟ ପରେ କିଙ୍ଗସ୍‌ ଏକାଦଶ ପଞ୍ଜାବ ବିପକ୍ଷରେ ଦୁଇ ଓପନର ସେନ୍ ୱାଟ୍‌ସନ ଓ ଫ୍ଲାପ ଡୁପ୍ଲେସିଙ୍କ ଅପରାଜିତ ଅର୍ଦ୍ଧଶତକ ବଳରେ ଦଳ ୧୦ ୱିକେଟରେ ବିଜୟ ହାସଲ କରିଥିଲା। ଦଳର ବୃହତ ବିଜୟ ମନୋବଳକୁ ବୃଦ୍ଧି କରିଛି। ବ୍ୟାଟିଂରେ ଫ୍ଲାଫ୍‌ ଡୁପ୍ଲେସି ଚମତ୍କାର ଫର୍ମରେ ରହିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଗତ ମ୍ୟାଚରେ ସେନ୍‌ ୱାଟ୍‌ସନ ଫର୍ମକୁ ଫେରିବା ଦଳକୁ ଆସ୍ବସ୍ତି କରିଛି। ଅମ୍ବାତି ରାଇଡୁ, ଧୋନି, ଡାରେନ୍ ବ୍ରାଭୋ, ରବୀନ୍ଦ୍ର ଜାଡେଜାଙ୍କ ଭଳି ଖେଳାଳି ମଧ୍ୟ ଦଳରେ ଏପର୍ୟ୍ୟନ୍ତ ଚମକ ପ୍ରଦର୍ଶନ କରିବା ଅପେକ୍ଷାରେ ରହିଛନ୍ତି। ବୋଲିଂରେ ପିୟୁଷ ଚାୱାଲା, ଦୀପକ ଚହର, ବ୍ରାଭୋ, ସାମ୍‌ କରନ୍‌ ପ୍ରମୁଖ ରହିଛନ୍ତି। ଗୋଟିଏ ପଟେ ଚେନ୍ନଇ ସୁପରକିଙ୍ଗ୍‌ସ ବିଜୟ ଧାରାକୁ ବଜାୟ ରଖିବା ନେଇ ଉଦ୍ୟମ କରିବାବେଳେ କଲକାତା ନାଇଟ୍‌ ରାଇଡର୍ସ ବିଜୟକୁ ଫେରିବା ନେଇ ଉଦ୍ୟମ କରିବ।

Comments are closed.