ମହାରାଷ୍ଟ୍ର ମନ୍ତ୍ରୀଙ୍କ ଘୋଷଣା,‘କରୋନା କଟକଣା ମଧ୍ୟରେ ମୁମ୍ବଇରେ ଆଇପିଏଲ୍‌ ମ୍ୟାଚ୍‌’

ମୁମ୍ବଇରେ ରାତି ୮ଟା ପରେ ଅଭ୍ୟାସର ଅନୁମତି

ମୁମ୍ବଇ : ମୁମ୍ବଇରେ କରୋନା ସଂକ୍ରମଣ ପୁନର୍ବାର ବୃଦ୍ଧି ପାଇଥିବାରୁ ଏଠାରେ ଆଇପିଏଲ୍‌ ମ୍ୟାଚ୍‌ ଖେଳାଯିବ କି ନାହିଁ ତାହାକୁ ନେଇ ଆଶଙ୍କା ସୃଷ୍ଟି ହୋଇଥିବା ବେଳେ ଏ ସଂପର୍କରେ ସୋମବାର ସ୍ପଷ୍ଟୀକରଣ ଦେଇଛନ୍ତି ମହାରାଷ୍ଟ୍ରର କ୍ୟାବିନେଟ୍‌ ମନ୍ତ୍ରୀ ନୱାବ ମଲିକ୍‌। କରୋନା କଟକଣା ମଧ୍ୟରେ ମୁମ୍ବଇରେ ଆଇପିଏଲ୍‌ ମ୍ୟାଚ୍‌ ଖେଳାଯିବ ବୋଲି ସେ ଘୋଷଣା କରିଛନ୍ତି। ଆଇପିଏଲ୍‌ର ପ୍ରାରମ୍ଭିକ ପର୍ଯ୍ୟାୟ କେତେକ ମ୍ୟାଚ୍‌ ମୁମ୍ବଇର ୱାଙ୍ଖଡେ ଷ୍ଟାଡ଼ିୟମରେ ଖେଳାଯିବ। ମ୍ୟାଚ୍‌ ସମୟରେ ଦର୍ଶକଙ୍କୁ ଷ୍ଟାଡ଼ିୟମ ମଧ୍ୟକୁ ଛଡ଼ାଯିବ ନାହିଁ ବୋଲି ନୱାବ ସ୍ପଷ୍ଟ କରି ଦେଇଛନ୍ତି। ସେହିପରି ଆଇପିଏଲ୍‌ ମ୍ୟାଚ୍‌ ଖେଳିବାକୁ ଥିବା କ୍ରିକେଟର୍‌ ଓ ମ୍ୟାଚ୍‌ ସହ ଜଡ଼ିତ ସମସ୍ତ ବ୍ୟକ୍ତି ନିୟମ ଅନୁଯାୟୀ ନିଜକୁ ସଙ୍ଗରୋଧରେ ରଖିବେ ବୋଲି ସେ ସୂଚନା ଦେଇଛନ୍ତି।

ଉଲ୍ଲେଖଥାଉକି ଗତବର୍ଷ ମାର୍ଚ୍ଚରେ ଭାରତରେ କରୋନା ସଂକ୍ରମଣ ଆରମ୍ଭ ହେବା ପରେ ଆଇପିଏଲ୍‌କୁ ୟୁଏଇକୁ ସ୍ଥାନାନ୍ତର କରାଯାଇଥିଲା। ୟୁଏଇର ୩ଟି ସହର ଶାରଜା, ଦୁବାଇ ଓ ଆବୁଧାବିରେ ଜୈବ ନିରାପତ୍ତା ବଳୟ​‌େ​‌ର ସବୁ ମ୍ୟାଚ୍‌ ଖେଳାଯାଇଥିଲା। ମୁମ୍ବଇରେ କରୋନା ସଂକ୍ରମଣ ବୃଦ୍ଧି ପାଇଥିବାରୁ ମହାରାଷ୍ଟ୍ର ସରକାର ନୂଆ କଟକଣା ଜାରି କରିଛନ୍ତି। ନାଇଟ୍‌ କର୍ଫ୍ୟୁ ଓ ସପ୍ତାହର କେତେକ ଦିନରେ ଲକ୍‌ଡାଉନ୍‌ ପାଇଁ ସରକାର ନିର୍ଦେଶ ଦେଇଛନ୍ତି।
ଆଇପିଏଲ୍‌ର ଖେଳସୂଚୀ ଅନୁଯାୟୀ ୱାଙ୍ଖଡେ ଷ୍ଟାଡ଼ିୟମରେ ଆସନ୍ତା ୧୦ରେ ଚେନ୍ନଇ ସୁପର କିଙ୍ଗ୍‌ସ- ଦିଲ୍ଲୀ କ୍ୟାପିଟାଲ୍‌ସ, ୧୨ରେ ରାଜସ୍ଥାନ ରୟାଲ୍‌ସ-ପଞ୍ଜାବ କିଙ୍ଗ୍‌ସ, ୧୫ରେ ରାଜସ୍ଥାନ ରୟାଲ୍‌ସ-ଦିଲ୍ଲୀ କ୍ୟାପିଟାଲ୍‌ସ, ୧୬ରେ ପଞ୍ଜାବ କିଙ୍ଗ୍‌ସ-ଚେନ୍ନଇ ସୁପର କିଙ୍ଗ୍‌ସ, ୧୮ରେ ଦିଲ୍ଲୀ କ୍ୟାପିଟାଲ୍‌ସ-ପଞ୍ଜାବ କିଙ୍ଗ୍‌ସ, ୧୯ରେ ଚେନ୍ନଇ ସୁପର କିଙ୍ଗ୍‌ସ-ରାଜସ୍ଥାନ ରୟାଲ୍‌ସ, ୨୧ରେ କଲକାତା ନାଇଟ୍‌ ରାଇଡର୍ସ-ଚେନ୍ନଇ ସୁପର କିଙ୍ଗ୍‌ସ, ୨୨ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର-ରାଜସ୍ଥାନ ରୟାଲ୍‌ସ, ୨୪ରେ ରାଜସ୍ଥାନ ରୟାଲ୍‌ସ-କଲକାତା ନାଇଟ୍‌ ରାଇଡର୍ସ ଓ ୨୫ରେ ଚେନ୍ନଇ ସୁପର କିଙ୍ଗ୍‌ସ-ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମ୍ୟାଚ୍‌ ଖେଳାଯିବ।

କରୋନା କବଳରେ ଥିବା ମୁମ୍ବଇ ସହରରେ ଆଇପିଏଲ୍‌ ମ୍ୟାଚ୍‌ ଆୟୋଜନ ପାଇଁ ପଥ ପରିଷ୍କାର କରିଛନ୍ତି ମହାରାଷ୍ଟ୍ର ସରକାର। କରୋନା ସଂକ୍ରମଣକୁ ରୋକିବା ପାଇଁ ସୋମବାରଠାରୁ ରାଜ୍ୟ ସରକାର ସନ୍ଧ୍ୟା ୮ଟାରୁ ସକାଳ ୭ଟା ପର୍ଯ୍ୟନ୍ତ କର୍ଫ୍ୟୁ ଜାରି କରିଛନ୍ତି। ହେଲେ ଆଇପିଏଲ୍‌ ଦଳମାନେ ରାତି ୮ଟା ପରେ ଅଭ୍ୟାସ କରିପାରିବେ ଏବଂ ପରେ ହୋଟେଲକୁ ଫେରିପାରିବେ ବୋଲି ମହାରାଷ୍ଟ୍ର ସରକାର କହିଛନ୍ତି। ତେବେ ଦଳଙ୍କୁ କଡ଼ା ଜୈବ ନିରାପତ୍ତା ବଳୟରେ ଅଭ୍ୟାସ କରିବାକୁ ପଡ଼ିବ ଏବଂ କୋଭିଡ୍‌ କଟକଣାକୁ ସେମାନେ ମାନିବେ ବୋଲି ସର୍ତ୍ତ ରଖିଛନ୍ତି। ମୁମ୍ବଇରେ ଏବେ ୪ଟି ଦଳ ୨ଟି ଗ୍ରାଉଣ୍ଡରେ ଅଭ୍ୟାସ କରୁଥିବା ବେଳେ ସେମାନଙ୍କୁ ଦିନ ୪ଟାରୁ ସନ୍ଧ୍ୟା ୬.୩୦ ଏବଂ ସନ୍ଧ୍ୟା ୭.୩୦ରୁ ରାତି ୧୦ଟା ପର୍ଯ୍ୟନ୍ତ ଅଭ୍ୟାସ କରିବାର ଅନୁମତି ମିଳିଛି। ମୁମ୍ବଇରେ ଗୋଟିଏ ଦିନରେ ୧୧୦୦୦ରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ମୁମ୍ବଇରେ ୧୦ଟି ଆଇପିଏଲ୍‌ ମ୍ୟାଚ୍‌ ଖେଳାଯିବ। ଏଣେ କରୋନା ସଂକ୍ରମିତ ହୋଇଥିବା ୱାଙ୍ଖେଡ଼େ ଷ୍ଟାଡିୟମ୍‌ର ୧୦ ଜଣ ଗ୍ରାଉଣ୍ଡଷ୍ଟାଫ୍ ଏବେ କରୋନାରୁ ସୁସ୍ଥ ହୋଇ ଯାଇଥିବାରୁ ସେମାନେ କାମରେ ଯୋଗ ଦେଇଛନ୍ତି।

 

Comments are closed.