ବିନା ଦର୍ଶକରେ ଖେଳାଯିବ ଆଇପିଏଲ୍

ମୁମ୍ବଇ: ଗତବର୍ଷ ଭଳି ଏଥର ମଧ୍ୟ ବିନା ଦର୍ଶକରେ ଆଇପିଏଲ୍ (ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌) ଆୟୋଜନ ହେବ ବିସିସିଆଇ ଉପସଭାପତି ରାଜୀବ ଶୁକ୍ଲାଙ୍କ ସୂଚନା ଦେଇଛନ୍ତି। କରୋନା ସଂକ୍ରମଣ ବୃଦ୍ଧି ଯୋଗୁ ବିନା ଦର୍ଶକରେ ଆଇପିଏଲ୍ ଖେଳାଯିବାକୁ ନିଷ୍ପତ୍ତି ନିଆଯାଇଛି। ଆଇପିଏଲ୍‌ ଆୟୋଜନ ନେଇ ବିସିସିଆଇ ସତର୍କତା ମୂଳକ ପଦକ୍ଷେପ ନେଇଛି। କେବଳ ୬ଟି ସ୍ଥାନରେ ଆଇପିଏଲ୍ ମ୍ୟାଚ ଖେଳାଯିବା ପାଇଁ ଆୟୋଜନ ହେବ। ଖେଳାଳୀଙ୍କୁ ଟିକାକରଣ ନେଇ ବିଚାର କରାଯାଉଛି। ଏ ନେଇ ସ୍ବାସ୍ଥ୍ୟ ମନ୍ତ୍ରାଳୟ ସହ ଯୋଗାଯୋଗରେ ଅଛୁ ବୋଲି ବିସିସିଆଇ ଉପସଭାପତି ରାଜୀବ ଶୁକ୍ଲା ପ୍ରକାଶ କରିଛନ୍ତି।
ଦେଶରେ ଏବେ କରୋନା ସଂକ୍ରମଣ ପୁଣି ଥରେ ବୃଦ୍ଧି ପାଇବାରେ ଲାଗିଛି। ବିଶେଷ କରି ମହାରାଷ୍ଟ୍ରରେ ସଂକ୍ରମଣ ସୀମା ଲଙ୍ଘିବାରେ ଲାଗିଲାଣି । ତେଣୁ ଏଭଳି ସ୍ଥିତିରେ ଷ୍ଟାଡିୟମରେ ଦର୍ଶକ ଭର୍ତ୍ତି ହେବା ଦ୍ୱାରା ସଂକ୍ରମଣ ବଢିବାର ଆଶଙ୍କା ରହୁଛି। ତେଣୁ ଏହାକୁ ଦୃଷ୍ଟି ରଖି ଗତବର୍ଷ ଭଳି ଏଥର ମଧ୍ୟ ବିନା ଦର୍ଶକରେ ଆଇପିଏଲ୍ ଆୟୋଜନ କରିବାକୁ ବିସିସିଆଇ(ବୋର୍ଡ ଅଫ୍ କ​‌​‌େ​‌​‌ଣ୍ଟ୍ରାଲ୍‌ ଫର୍‌ କ୍ରିକେଟ୍‌ ଇନ୍‌ ଇଣ୍ଡିଆ) ନିଷ୍ପତ୍ତି ନେଇଛି ।


ଏ ସମ୍ପର୍କରେ ସୂଚନା ଦେଇ ବିସିସିଆଇ ଉପସଭାପତି ରାଜୀବ ଶୁକ୍ଲା କହିଛନ୍ତି ଯେ କରୋନା ପାଇଁ ପୂର୍ବଭଳି ବାୟୋ-ବବଲ ଭିତରେ ରହି ଖେଳାଳିମାନେ ଆଇପିଏଲ୍ ଖେଳିବେ । ବିସିସିଆଇ ମଧ୍ୟ ଖେଳାଳିଙ୍କ ସୁରକ୍ଷା ପ୍ରତି ଧ୍ୟାନ ଦେଉଛି । କେବଳ ୬ଟି ଷ୍ଟାଡିୟମରେ ଏଥର ସମସ୍ତ ଆଇପିଏଲ୍ ମ୍ୟାଚ୍ ଖେଳାଯିବ। ଚଳିତମାସ ୯ ତାରିଖରୁ ଆରମ୍ଭ ହେବାକୁ ଥିବା ବହୁ ପ୍ରତୀକ୍ଷିତ ଆଇପିଏଲ୍-୧୪ ପଥରେ କରୋନା ପୁଣି ଥରେ ବଡ଼ କଣ୍ଟା ଭାବେ ଉଭା ହୋଇଛି। ଗତବର୍ଷ କରୋନା ସଂକ୍ରମଣର ଭୟାବହତା ଭିତରେ ବିସିସିଆଇ ଏହି ଲୋକପ୍ରିୟ ଟ୍ବେଣ୍ଟି-୨୦ ଲିଗ୍‌ ଆଇପିଏଲ୍‌କୁ ୟୁଏଇ ସ୍ଥାନାନ୍ତର କରିଥିଲା। ଆଇପିଏଲ୍‌ ଆରମ୍ଭ ହେବାକୁ ଆଉ ମାତ୍ର ୫ ଦିନ ବାକି ଥିବାରୁ ଏଥରର ଆଇପିଏଲ୍‌କୁ ଦେଶ ବାହାରକୁ ନେବା‌ ଏକପ୍ରକାର ଅସମ୍ଭବ ମନେ ହେଉଛି। ଭାରତରେ ଦିନକୁ ଦିନ ବଢ଼ି ଚାଲିଥିବା କରୋନାର ଦ୍ବିତୀୟ ଲହର ଯୋଗୁ ବିସିସିଆଇ ଚିନ୍ତାରେ ପଡ଼ିଯାଇଛି। ଜଣକ ପରେ ଜଣେ ଖେଳାଳିଙ୍କ ରିପୋର୍ଟ ପଜିଟିଭ୍ ଆସୁଥିଲା ବେଳେ କିଛି ଆୟୋଜକ ଷ୍ଟାଡିୟମ୍‌ର ଗ୍ରାଉଣ୍ଡ୍ସମ୍ୟାନ୍ ଓ ଅଧିକାରୀ ମଧ୍ୟ କରୋନା ସଂକ୍ରମିତ ହୋଇଥିବାର ଖବର ମିଳିଛି। କରୋନା ସ୍ଥିତି ଉଗ୍ର ହେବାରେ ଲାଗିଥିବାରୁ ଏଥରର ଆଇପିଏଲ୍‌ ଗତବର୍ଷ ଭଳି ବିନା ଦର୍ଶକରେ ଖେଳାଯିବା ଏକପ୍ରକାର ନିଶ୍ଚିତ ହୋଇଯାଇଛି। ଖେଳାଳିମାନେ ଲଗାତାର ଜୈବ ବଳୟ‌ର ମାନସିକ ଚାପ ଭିତରେ ରହି କ୍ରିକେଟ୍ ଖେଳିବା ସେମାନଙ୍କ ପାଇଁ ମସ୍ତବଡ଼ ଆହ୍ବାନ ଭାବେ ଉଭା ହେବ ବୋଲି କହିଛନ୍ତି।

Comments are closed.