ବିରାଟଙ୍କ କୀର୍ତ୍ତିମାନ ଭାଙ୍ଗିବେକି ବଟ୍‌ଲର ?

ଅହମ୍ମଦାବାଦ୍‌: ଆଇପିଏଲର ଫାଇନାଲରେ ଗୁଜରାଟ ଟାଇଟାନ୍‌ସ ଓ ରାଜସ୍ଥାନ ରୟାଲ୍‌ସ ଖେଳିବେ । ଆଜି ଫାଇନାଲରେ ରାଜସ୍ଥାନ ରୟାଲ୍‌ସର ଇଂଲଣ୍ଡ ଓପନର ଜୋସ ବଟ୍‌ଲରଙ୍କ ନିକଟରେ ଆଇପିଏଲରେ ଏକ ନୂଆ କୀର୍ତ୍ତିମାନ ସୃଷ୍ଟି କରିବାର ସୁଯୋଗ ରହିଛି । ଏକ ସଂସ୍କରଣରେ ୪ଟି ଶତକ ସହ ୯୭୩ ରନ କରିବାର କୀର୍ତ୍ତିମାନ ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କ ନାମରେ ରହିଛି । ବିରାଟ ୨୦୧୬ ସଂସ୍କରଣରେ ୪ଟି ଶତକ ହାସଲ କରିଥିଲେ। ଫଳରେ ଆରସିବି ଫାଇନାଲରେ ପ୍ରବେଶ କରିପାରିଥିଲା। ଫାଇନାଲରେ ସନରାଇଜର୍ସ ହାଇଦରାବାଦ୍‌ ନିକଟରୁ ପରାଜିତ ହୋଇଥିଲା । ଚଳିତ ଆଇପିଏଲରେ ଜୋସ ବଟ୍‌ଲର ୪ଟି ଶତକ ସହ ୮୨୪ରନ କରିଛନ୍ତି ।

ବଟ୍‌ଲର -୨୦୨୨ରେ କୋହଲିଙ୍କ ଶତକ କୀର୍ତ୍ତିମାନ ସହ ସମକକ୍ଷ ହୋଇଛନ୍ତି । ଏବେ ବଟ୍‌ଲରଙ୍କ ନିକଟରେ ବିରାଟଙ୍କ ଉକ୍ତ କୀର୍ତ୍ତିମାନ ଭାଙ୍ଗିବାର ସୁଯୋଗ ରହିଛି। ଗୁଜରାଟ ଟାଇଟାନ୍‌ସ ବିପକ୍ଷ ଫାଇନାଲରେ ବଟ୍‌ଲର ଯଦି ଆଉ ୧୫୦ରନ କରିପାରନ୍ତି ତେବେ ବିରାଟଙ୍କ ଦୁଇଟି କୀର୍ତ୍ତିମାନକୁ ଟପିବାରେ ସକ୍ଷମ ହେବେ। ବଟ୍‌ଲର ଆଉ ଗୋଟିଏ ଶତକ ଅର୍ଜନ କଲେ ଏକ ସଂସ୍କରଣରେ ସର୍ବାଧିକ ଶତକର ଅଧିକାରୀ ହେବା ସହ ୯୭୩ରନକୁ ଅତିକ୍ରମ କରିବାରେ ସଫଳ ହେବେ। ଏହାବାଦ୍‌ ବଟ୍‌ଲରଙ୍କ ନିକଟରେ ଅଷ୍ଟ୍ରେଲୀୟ ଓପନର ଡେଭିଡ୍‌ ୱାର୍ଣ୍ଣରଙ୍କ କୀର୍ତ୍ତିମାନକୁ ଭାଙ୍ଗିବାର ସୁଯୋଗ ରହିଛି।

Comments are closed.