ଆଇପିଏଲର କୋଟିପତି କ୍ରିକେଟର୍

ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ) ଯୁବ ଖେଳାଳିମାନଙ୍କୁ କେବଳ ସୁଯୋଗ ଦେଇନାହିଁ କୋଟିପତି କରିବାରେ ମଧ୍ୟ ସକ୍ଷମ ହୋଇଛି। ଯାହା ବିଗତ ଦିନ ଗୁଡ଼ିକରେ ଏକାଧିକ କ୍ରିକେଟରଙ୍କ କ୍ଷେତ୍ରରେ ଦେଖିବାକୁ ମିଳିଛି। ଏଭଳି ଜଣେ ଯୁବ କ୍ରିକେଟର ହେଉଛନ୍ତି ଚେତନ ଶାକାରିଆ। ଆଇପିଏଲ ନିଲାମର କିଛି ସମୟ ପୂର୍ବରୁ ବାମହାତୀ ସିମର ଚେତନଙ୍କ ବ୍ରେସ ପ୍ରାଇସ୍ ୨୦ ଲକ୍ଷ ଟଙ୍କା ଥିବାବେଳେ ରାଜସ୍ଥାନ ରୟାଲ୍ସ ୧ କୋଟି ୨୦ ଲକ୍ଷ ଟଙ୍କାରେ କିଣିଛି। ୨୦୨୦ ଆଇପିଏଲରେ ଅଟୋ ଡ୍ରାଇଭରଙ୍କ ପୁଅ ମହମ୍ମଦ ସିରାଜ୍ ଖେଳି ଭାରତୀୟ ଦଳରେ ସୁଯୋଗ ପାଇବାରେ ସକ୍ଷମ ହୋଇଥିଲେ। ୨୦୨୧ ଆଇପିଏଲରେ ଚେତନ ସମାନ ଉଦାହରଣ ସୃଷ୍ଟି ନକରିବେ ତାହା ବା କିଏ କହିବ।

ଚେତନଙ୍କ ବାପା କାଞ୍ଜିଭାଇ ଗୁଜରାଟର ଭାବାନଗରଠାରୁ ୧୦ କିଲୋମିଟର ଦୂରରେ ଥିବା ବର୍ତେଜ ସହରରେ ଅଟୋ ଚଳାଇ ପରିବାର ଚଳାନ୍ତି। ୫ ବର୍ଷ ପୂର୍ବେ ଘରେ ଗୋଟିଏ ଟିଭି ନଥିଲା। ମ୍ୟାଚ ଦେଖିବା ଲାଗି ସେ ପାଖ ବନ୍ଧୁଙ୍କ ଘରକୁ ନଚେତ ଟିଭି ଶୋ ରୁମ୍ ବାହାରେ ଛିଡ଼ା ହୋଇ କ୍ରିକେଟ ମ୍ୟାଚ ଦେଖୁଥିଲେ। ମାଡ୍ରାସସ୍ଥିତ ଏମ୍ଆରଏଫ୍ ଫାଉଣ୍ଡେସନରେ ଅଷ୍ଟ୍ରେଲୀୟ କିମ୍ବଦନ୍ତୀ ଗ୍ଲେନ ମାକ୍ଗ୍ରାଙ୍କ ଠାରୁ ପ୍ରଶିକ୍ଷଣ ହାସଲ କରୁଛନ୍ତି। ୨୦୨୦ ୟୁଏଇରେ ଖେଳାଯାଇଥିବା ଆଇପିଏଲରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁୁରୁ ଦଳ ସହିତ ନେଟ୍ ବୋଲର ରହିଥିଲେ। ନିଲାମରେ ଆରସିବି କିଣିବାକୁ ଇଛା କରିିଥିଲେ ମଧ୍ୟ ରାଜସ୍ଥାନ ରୟାଲର୍ସ କିଣିବାରେ ସଫଳ ହୋଇଛି।

ଚେତନ କୁହନ୍ତି, ଗତ ମାସରେ ସାନ ଭାଇ ରାହୁଲ ଆତ୍ମହତ୍ୟା କରିଥିଲେ। ସେତବେଳେ ମୁଁ ଘରେ ନଥିଲି ସୟଦ ମୁସ୍ତାକ ଅଲ୍ଲୀ ଟ୍ବେଣ୍ଟି୨୦ ଟୁର୍ଣ୍ଣାମେଣ୍ଟ ଖେଳିବାକୁ ଯାଇଥିଲି। ଘରକୁ ଆସିବା ପର୍ୟ୍ୟନ୍ତ ମୋତେ ସେ ବିଷୟରେ କେହି କିଛି କହିନଥିଲେ। ଏପରିକି ତାଙ୍କ ବିଷୟରେ ପଚାରିଲେ ସେ ବାହାରକୁ ଯାଇଥିବା ନେଇ କହୁଥିଲେ। ପରେ ସତ ଜଣାପଡ଼ିବା ପରେ ବହୁତ ଆଘାତ ଲାଗିଥିଲା। ଏବେ ଖାଲିଖାଲି ଲାଗୁଛି। ଆଇପିଏଲରେ ୧ କୋଟି ୨୦ ଲକ୍ଷ ଟଙ୍କାରେ ବିକ୍ରି ହେବା ନେଇ କେବେ ମୁଁ ଆଶା କରିନଥିଲି। ଆଇପିଏଲ ମୋ ପାଇଁ ଜୀବନରେ ପରିବର୍ତ୍ତନ ନେଇ ସୁଯୋଗ ଆଣିଛି ହେଲେ ଏହି ଖୁସି ସାନ ଭାଇଙ୍କ ବିନା ଅସମ୍ପୂର୍ଣ୍ଣ ଲାଗୁଛି। ସାନ ଭାଇ ପାଖରେ ଥିଲେ ଅଧିକ ଖୁସି ଲାଗିଥାନ୍ତା ବୋଲି ଚେତନ କହିଛନ୍ତି। ସୌରାଷ୍ଟ୍ର ୨୦୨୦ରେ ପ୍ରଥମ ଥର ପାଇଁ ରଣଜୀ ଚମ୍ପିଆନ ହୋଇଥିବାବେଳେ ଚେତନ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଚେତନଙ୍କ ଉତ୍ତମ ପ୍ରଦର୍ଶନ ବଳରେ ସୌରାଷ୍ଟ୍ର ରଣଜୀ ଫାଇନାଲରେ ବଙ୍ଗଳାକୁ ପରାସ୍ତ କରିବାରେ ସକ୍ଷମ ହୋଇଥିଲା। ସେ ୧୫ଟି ପ୍ରଥମ ଶ୍ରେଣୀ ଓ ୧୬ଟି ଟ୍ବେଣ୍ଟି୨୦ ମ୍ୟାଚ ଖେଳିଛନ୍ତି।

Comments are closed.