ଆଇପିଏଲ ଫାଇନାଲ : ଗୁଜରାଟ – ରାଜସ୍ଥାନ ଲଢ଼େଇ

ବଟଲର୍‌ ଭାଙ୍ଗିଦେଲେ ବାଙ୍ଗାଲୋର ସ୍ବପ୍ନ, ୧୩ ବର୍ଷ ପରେ ଫାଇନାଲରେ ରାଜସ୍ଥାନ

ଅହମ୍ମଦାବାଦ୍‌  : ପ୍ରଥମ ସଂସ୍କରଣର ବିଜେତା ରାଜସ୍ଥାନ ରୟାଲ୍‌ସ ଦୀର୍ଘ ୧୩ ବର୍ଷ ପରେ ଦ୍ବିତୀୟ ଥର ପାଇଁ ଆଇପିଏଲର ଫାଇନାଲରେ ପହଞ୍ଚିଛି । ରବିବାର ନବାଗତ ଗୁଜରାଟ ଟାଇଟାନ୍‌ସ ଓ ରାଜସ୍ଥାନ ରୟାଲ୍‌ସ ମଧ୍ୟରେ ଆଇପିଲ ପଞ୍ଚଦଶତମ ସଂସ୍କରଣ-୨୦୨୨ର ଫାଇନାଲ ମ୍ୟାଚ ଖେଳାଯିବ। ଶୁକ୍ରବାର ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡ଼ିୟମରେ ଖେଳାଯାଇଥିବା ଦ୍ବିତୀୟ କ୍ବାଲିଫାୟର ମ୍ୟାଚରେ ରାଜସ୍ଥାନ ରୟାଲ୍‌ସ ବଟ୍‌ଲରଙ୍କ ବିସ୍ଫୋରକ ଅପରାଜିତ ଶତକ ବଳରେ ୭ ୱିକେଟରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ପରାସ୍ତ କରିଛି। ଏହି ପରାଜୟ ସହ ବାଙ୍ଗାଲୋରର ଆଇପିଏଲ ଟ୍ରଫି ଜିତିବା ସ୍ବପ୍ନ ପୁଣି ଅଧୁରା ରହିଛି। ରଜତ ପଟିଦାରଙ୍କ ୫୮ରନ ବଳରେ ବାଙ୍ଗାଲୋର ୧୫୭ରନ କରିଥିଲା। ଜବାବରେ ରାଜସ୍ଥାନ ୧୧ଟି ବଲ ବାକି ଥାଇ ୩ ୱିକେଟ ବିନିମୟରେ ୧୬୧ରନ କରି ବିଜୟୀ ହୋଇଥିଲା।
୧୫୮ରନର ଲକ୍ଷ୍ୟକୁ ରାଜସ୍ଥାନ ଦୃଢତାର ସହିତ ପିଛା କରିଥିଲା। ଚଳିତ ଆଇପିଏଲର ସର୍ବାଧିକ ରନ୍‌ ସଂଗ୍ରହକାରୀ ଜୋସ୍‌ ବଟ୍‌ଲର ଓ ଯସଶ୍ବୀ ଜୈସୱାଲ ୫.୧ ଓଭରରୁ ୬୧ରନ ସଂଗ୍ରହ କରି ବିଜୟର ମୂଳଦୁଆ ପକାଇଥିଲେ। ଜୈସୱାଲ ୨୧ରନ କରି ଆଉଟ୍‌ ହୋଇଥିଲେ। ଦ୍ବିତୀୟ ୱିକେଟରେ ବଟ୍‌ଲର ଓ ସଞ୍ଜୁ ସାମସନ ୫୨ରନ ଯୋଡିଥିଲେ। ସାମସନ ୨୧ଟି ବଲରୁ ୨୩ରନ କରି ଆଉଟ୍‌ ହୋଇଥିଲେ। ୩ୟ ୱିକେଟ ପାଇଁ ବଟ୍‌ଲର ଓ ଦେବଦତ୍ତ ପାଡିକଲ ୩୫ରନ ସଂଗ୍ରହ କରିଥିଲେ। ପାଡିକଲ ୯ରନ କରି ଆଉଟ୍‌ ହୋଇଥିଲେ। ବଟ୍‌ଲର ୬୦ଟି ବଲରୁ ୬ଟି ଛକା ଓ ୧୦ଟି ଚୌକା ସହ ୧୦୬ ଓ ସିମରନ ହେତମେୟାର ୨ରନ କରି ଅପରାଜିତ ରହିଥିଲେ। ବଟଲର ‘ମ୍ୟାନ୍‌ ଅଫ୍‌ ଦ ମ୍ୟାଚ୍‌’ ବିବେଚିତ ହୋଇଥିଲେ। ଚଳିତ ଆଇପିଏରେ ବଟ୍‌ଲରଙ୍କ ଏହା ୪ର୍ଥ ଶତକ। ଏଥି ସହିତ ବଟ୍‌ଲର ଏକ ସଂସ୍କରଣରେ ବିରାଟ କୋହଲିଙ୍କ ଆଇପିଏଲର ସର୍ବାଧିକ ୪ଟି ଶତକ ସହ ସମକକ୍ଷ ହୋଇଛନ୍ତି । ବାଙ୍ଗାଲୋର ପକ୍ଷରୁ ଜୋସ ହାଜେଲଉଡ୍‌ ୨ଟି ଓ ୱାହିନ୍ଦୁ ହାସରଙ୍ଗା ଗୋଟିଏ ୱିକେଟ ନେଇଥିଲେ।
ରାଜସ୍ଥାନ ରୟାଲ୍‌ସ ଟସ୍‌ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଅଧିନାୟକ ସଞ୍ଜୁ ସାମସନଙ୍କ ନିଷ୍ପତ୍ତିକୁ ସଠିକ ସାବ୍ୟସ୍ତ କରିଥିଲେ ରାଜସ୍ଥାନ ବୋଲର। ବାଙ୍ଗାଲୋର ୯ରନରେ ତାରକା ବ୍ୟାଟ୍‌ସମ୍ୟାନ ବିରାଟ କୋହଲିଙ୍କୁ ହରାଇଥିଲା। କୋହଲି ମାତ୍ର ୭ରନ କରି ଆଉଟ୍‌ ହୋଇଥିଲେ। ଲକ୍ଷ୍ନୌ ବିପକ୍ଷ ଏଲିମିନେଟର ମ୍ୟାଚରେ ଶତକ ଅର୍ଜନ କରିଥିବା ରଜତ ପଟିଦାର ଓ ଅଧିନାୟକ ଫ୍ଲାଫ ଡୁପ୍ଲେସି ସ୍ଥିତିକୁ ସମ୍ଭାଳିଥିଲେ। ଉଭୟେ ଦ୍ବିତୀୟ ୱିକେଟ ପାଇଁ ୭୨ରନ ସଂଗ୍ରହ କରିଥିଲେ। ସ୍କୋର ୭୯ରନ ଥିବାବେଳେ ଡୁପ୍ଲେସି ୨୫ରନ କରି ଆଉଟ୍‌ ହୋଇଥିଲେ। ଗ୍ଲେନ ମ୍ୟାକ୍ସୱେଲ ଦ୍ରୁତ ଗତିରେ ରନ କରିବାକୁ ଯାଇ ୧୩ଟି ବଲରୁ ୨୪ରନ କରି ଆଉଟ୍‌ ହୋଇଥିଲେ। ପଟିଦାର ଚମତ୍କାର ଫର୍ମକୁ ବଜାୟ ରଖି ୪୨ଟି ବଲରୁ ୪ଟି ଚୌକା ଓ ୩ଟି ଛକା ସହ ୫୮ରନ କରି ଆଉଟ୍‌ ହୋଇଥିଲେ। ଇନଫର୍ମ ବ୍ୟାଟ୍‌ସମ୍ୟାନ ଦିନେଶ କାର୍ତ୍ତିକ ନିରାଶ କରିବା ସହ ୭ ଓ ମହିପାଲ ଲୋମାର ୮ରନ କରି ଆଉଟ୍‌ ହୋଇଥିଲେ। ଶେଷ ଆଡକୁ ସାହାବାଜ୍‌ ଅହମ୍ମଦଙ୍କ ଅପରାଜିତ ୧୨ରନ ବଳରେ ବାଙ୍ଗାଲୋର ୮ ୱିକେଟ ହରାଇ ୧୫୭ରନ କରିଥିଲା। ରାଜସ୍ଥାନ ପକ୍ଷରୁ ପ୍ରସିଦ୍ଧ କ୍ରିଷ୍ଣା ଓ ଓବେଡ୍‌ ମ୍ୟାକ୍‌କୟ ୩ଟି ଲେଖାଏଁ ୱିକେଟ ନେଇଥିଲେ। ସୂଚନାଯୋଗ୍ୟ, ରାଜସ୍ଥାନ ରୟାଲ୍‌ସ ୨୦୦୮ ପ୍ରଥମ ସଂସ୍କରଣରେ ଫାଇନାଲରେ ପ୍ରବେଶ କରିବା ସହ ଚମ୍ପିଆନ ହୋଇଥିଲା। ଏହା ପରେ ଦଳ ୧୧ ଟି ସଂସ୍କରଣରେ ଖେଳିଥିଲେ ମଧ୍ୟ ଫାଇନାଲରେ ପହଞ୍ଚିପାରିନଥିଲା । ୨୦୧୬ ଓ ୨୦୧୭ରେ ରାଜସ୍ଥାନ ଆଇପିଏଲରୁ ବରଖାସ୍ତ ହୋଇଥିଲା।

Comments are closed.