ଗୁଜରାଟ-ରାଜସ୍ଥାନ ଫାଇନାଲ ଆଜି

ଅହମ୍ମଦାବାଦ : ୨ ମାସ ତଳେ ଆଇପିଏଲ୍‌ର ୧୫ଶ ସଂସ୍କରଣ ଆରମ୍ଭହେବା ବେଳକୁ ବୋଧହୁଏ କେହି ଭାବିନଥିବେ ଯେ ଫାଇନାଲରେ ହାର୍ଦିକ ପାଣ୍ଡ୍ୟା ଓ ସଞ୍ଜୁ ସାମ୍‌ସନ ଟସ୍ ପକାଇବାକୁ ଯିବେ। କାରଣ ଆଇପିଏଲ୍‌-୨୨ ଆରମ୍ଭରୁ ଚଳିତବର୍ଷ ପ୍ରଥମକରି ଆଇପିଏଲ୍‌ ଖେଳୁଥିବା ଗୁଜରାଟ ଟାଇଟାନ୍‌ସ ଓ ପ୍ରଥମ ସଂସ୍କରଣର ଚମ୍ପିଆନ୍‌ ରାଜସ୍ଥାନ ରୟାଲ୍‌ସ କ୍ରିକେଟ୍‌ ପଣ୍ଡିତଙ୍କ ଫେଭରିଟ୍‌ ତାଲିକାରେ ନଥିଲେ। ଗୁଜରାଟ ଟାଇଟାନ୍‌ସକୁ ନିଲାମ ପରେ କିଛି ବ୍ୟକ୍ତି ଦୁର୍ବଳ ଦଳର ମାନ୍ୟତା ଦେଇଥିବା ବେଳେ ରାଜସ୍ଥାନ ରୟାଲ୍‌ସ ଯଦି ପ୍ଲେଅଫ୍‌ରେ ପହଞ୍ଚିବ; ଏହା ଖୁସିହେବ। ହେଲେ ଉଭୟ ଦଳ କ୍ରିକେଟ୍‌ ପଣ୍ଡିତଙ୍କୁ ଭୁଲ୍‌ ପ୍ରମାଣିତ କରିଛନ୍ତି। ରବିବାର ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍‌ରେ ଗୁଜରାଟ ଓ ରାଜସ୍ଥାନ ଫାଇନାଲ ଖେଳିବାକୁ ଯାଉଛନ୍ତି। ଲିଗ୍ ପର୍ଯ୍ୟାୟରେ ଉଭୟ ଦଳ ପଏଣ୍ଟ ଟେବୁଲର ପ୍ରଥମ ୨ଟି ସ୍ଥାନରେ ଥିଲେ।
ଯଦି ରବିବାର ଫାଇନାଲରେ ରାଜସ୍ଥାନ ରୟାଲ୍‌ସ ଜିତେ; ତେବେ ୧୪ ବର୍ଷ ପରେ ଏହା ୨ୟ ଥର ପାଇଁ ବିଶ୍ବର ଏହି ସବୁଠାରୁ ଲୋକପ୍ରିୟ ଘରୋଇ ଟ୍ବେଣ୍ଟି୨୦ ଟୁର୍ଣ୍ଣାମେଣ୍ଟ ଜିତିବ। ଅନ୍ୟପକ୍ଷ​ରେ‌ ଗୁଜରାଟ ଜିତିଲେ; ପ୍ରଥମ ପଦାର୍ପଣରେ ଚମ୍ପିଆନ୍‌ ହୋଇ ରାଜସ୍ଥାନର କୃତିତ୍ବ ସହ ସମକକ୍ଷ ହେବ। ଗୁଜରାଟ ଦଳରେ ସବୁଠାରୁ ବଡ଼ ଆନ୍ତର୍ଜାତିକ ଖେଳାଳି ଭାବେ ଡେଭିଡ୍‌ ମିଲର ଅଛନ୍ତି; ଯାହାଙ୍କ ଶ୍ରେଷ୍ଠ ସମୟ ପାର ହୋଇଯାଇଛି ବୋଲି ଅନେକ କହିଥିଲେ। ହେଲେ କ୍ବାଲିଫାୟର-୧​‌େ​‌ର ମିଲରଙ୍କ ଇନିଂସ ଯିଏ ଦେଖିଛି; ସେ ନିଶ୍ଚୟ ତାଙ୍କୁ ବିଶ୍ବର ଅନ୍ୟତମ ଶ୍ରେଷ୍ଠ ଫିନିସର ବୋଲି କହିବେ। କ୍ବାଲିଫାୟର-୧​‌େ​‌ର ମିଲର ଶେଷ ଓଭରର ପ୍ରଥମ ୩ଟି ବଲ୍‌ରେ ଛକାମାରି ରାଜସ୍ଥାନକୁ ପରାସ୍ତ କରିଥିଲେ। ଏହାର ପ୍ରତିଶୋଧ ନେବାକୁ ରାଜସ୍ଥାନ ଚାହିଁବ। ଦୀର୍ଘ ଦିନ ଆହତ ଥିବା ହାର୍ଦିକ ପାଣ୍ଡ୍ୟା ଚମତ୍କାର ଢଙ୍ଗରେ ବିଶ୍ବସ୍ତରୀୟ କ୍ରିକେଟ୍‌କୁ ଫେରିଛନ୍ତି। ଅଧିନାୟକ ଦାୟିତ୍ବ ତାଙ୍କୁ ଅଧିକ ପରିପକ୍ବ କରିଛି। ଏବେ ସେ ଦାୟିତ୍ବବାନ ହୋଇ ଯାଇଛନ୍ତି। ତାଙ୍କ ନେତୃତ୍ବ ନେବା ଶୈଳୀ ମଧ୍ୟ ଚମତ୍କାର। ଲିଗ୍‌ ପର୍ଯ୍ୟାୟରେ ରାଜସ୍ଥାନକୁ ଗୁଜରାଟ ୩୭ ରନ୍‌ରେ ହରାଇଥିବା ବେଳେ ହାର୍ଦିକ ଅପରାଜିତ ୮୭ ରନ୍‌ କରିଥିଲେ। ଗୁଜରାଟ ଦଳରେ ତାରକା ବ୍ୟାଟ୍‌ସମ୍ୟାନ୍ ନ ଥିଲେ ମଧ୍ୟ ମାଥ୍ୟୁ ୱେଡ୍‌, ଋଦ୍ଧିମାନ ଶାହା ଓ ଶୁବ୍‌ମାନ ଗିଲ୍‌ ସେମାନଙ୍କ ଦାୟିତ୍ବ ସଠିକ୍‌ ଭାବେ ନିର୍ବାହ କରିଛନ୍ତି। ପୁଣି ରାହୁଲ ତିୱତିଆ ଓ ରସିଦ୍‌ ଖାଁ ଇନିଂସର ଶେଷଆଡ଼କୁ ଚମତ୍କାର ବ୍ୟାଟିଂକରି ଦଳକୁ ଜିତାଇଛନ୍ତି। ହେଲେ ବୋଲିଂରେ ଗୁଜରାଟ ପାଖରେ ଏକାଧିକ ବିକଳ୍ପ ଅଛନ୍ତି। ପେସ୍ ବୋଲର ମହମ୍ମଦ ସାମି, ୟଶ ଦୟାଲ, ଆଲ୍‌ଜାରି ଜୋସେଫ୍ ଓ ଲୋକି ଫର୍ଗୁସନ୍‌ ଏବଂ ସ୍ପିନର ଭାବେ ରସିଦ୍‌ ଖାଁ ଓ ଆର. ସାଇକିଶୋର ଭଲ ପ୍ରଦର୍ଶନ କରିଛନ୍ତି। ସ୍ପିନ୍ ବିଭାଗରେ ରାଜସ୍ଥାନ ରୟାଲ୍‌ସ ମଧ୍ୟ ଦୁର୍ବଳ ନାହିଁ। ଦଳରେ ଟୁର୍ଣ୍ଣାମେଣ୍ଟରେ ସର୍ବାଧିକ ୨୬ଟି ୱିକେଟ ନେଇଥିବା ୟୁଜବେନ୍ଦ୍ର ଚହଲ ଏବଂ ବିଶ୍ବର ଅନ୍ୟତମ ଶ୍ରେଷ୍ଠ ଅଫ୍‌ସ୍ପିନର ରବିଚନ୍ଦ୍ରନ ଅଶ୍ବିନ ଅଛନ୍ତି। ଅଶ୍ବିନ ବ୍ୟାଟିଂରେ ମଧ୍ୟ ଭଲ ପ୍ରଦର୍ଶନ କରିଛନ୍ତି। ଚଳିତ ସଂସ୍କରଣରେ ରାଜସ୍ଥାନର ତାରକା ପାଲଟିଛନ୍ତି ଜୋସ୍‌ ବଟ୍‌ଲର। ୪ଟି ଲେଖାଏଁ ଶତକ ଓ ଅର୍ଦ୍ଧଶତକ ସହ ୮୨୪ ରନ୍‌ କରି ଜୋସ୍ ଚଳିତ ଟୁର୍ଣ୍ଣାମେଣ୍ଟର ବସ୍‌ ସାଜିଛନ୍ତି। ତାଙ୍କୁ ଜଲ୍‌ଦି ଆଉଟ୍‌ କରିବାକୁ ଗୁଜରାଟ ଚାହଁିବ। ସଞ୍ଜୁ ସାମ୍‌ସନ ୪୪୪ ରନ୍‌ କରିଥିଲେ ହେଁ ମାତ୍ର ୨ଟି ଅର୍ଦ୍ଧଶତକ ମାରିଛନ୍ତି। ତେବେ ଦଳର ଦୁଇ ବ୍ୟାଟିଂ ତାରକା ହେଲେ ଦେବଦତ୍ତ ପାଡିକଲ ଓ ଯଶସ୍ବୀ ଜୟସୱାଲ। ଦୁହେଁ ଦ୍ରୁତଗତିରେ ସ୍କୋର୍ କରୁଛନ୍ତି। ତଳ ଅର୍ଡରରେ ଅଛନ୍ତି ସିମ୍ରନ୍ ହେତ୍‌ମେୟର। ପେସ୍ ବୋଲର ପ୍ରସିଦ୍ଧ କ୍ରିଷ୍ଣା, ଓବେଡ୍‌ ମ୍ୟାକ୍‌କୟ, ଟ୍ରେଣ୍ଟ ବୋଲ୍‌ଟ ଚମତ୍କାର ବୋଲିଂ କରୁଛନ୍ତି। ଏହା ସତ ଯେ ଘରୋଇ ପଡ଼ିଆରେ ଫାଇନାଲ ଖେଳିବାକୁ ଯାଉଥିବା ଗୁଜରାଟ ଟାଇଟାନ୍‌ସକୁ ଦର୍ଶକଙ୍କ ପ୍ରବଳ ସମର୍ଥନ ମିଳିବ।

Comments are closed.