ଆଇପିଏଲ ୨୦୧୯ : ରବିବାର ମୁମ୍ବଇ-ଚେନ୍ନଇ ଫାଇନାଲ ଲଢ଼େଇ

ହାଇଦରାବାଦ : ଦୀର୍ଘ ଦେଢ଼ମାସ ଓ ୫୯ଟି ମ୍ୟାଚ୍‌ ପରେ ବିଶ୍ବର ସବୁଠାରୁ ଧନଶାଳୀ ତଥା ଲୋକପ୍ରିୟ ପେସାଦାର ଟ୍ବେଣ୍ଟି-୨୦ ଲିଗ୍ ଆଇପିଏଲ୍‌ରେ ଆଉ ମାତ୍ର ଗୋଟିଏ ଲଢ଼େଇ ବାକିଅଛି । ରବିବାର ଫାଇନାଲ ମ୍ୟାଚ୍ ସହ ଏହି କ୍ରିକେଟ ମହାମେଳାରେ ଯବନିକା ପଡ଼ିବ। ବିଶ୍ବକପ୍‌ ପୂର୍ବରୁ ସାରା କ୍ରିକେଟ ଦୁନିଆର ନଜର ଏହି ମ୍ୟାଚ୍ ଉପରେ। ଚେନ୍ନଇ ସୁପର କିଙ୍ଗ୍‌ସ (ସିଏସ୍‌କେ) ଓ ମୁମ୍ବଇ ଇଣ୍ଡିଆନ୍‌ସ ମଧ୍ୟରେ ଏହି ଫାଇନାଲ ମ୍ୟାଚ୍ ଖେଳାଯିବ। ଉଭୟ ଦଳ ଆଇପିଏଲ୍‌ ଇତିହାସରେ ସବୁଠାରୁ ସଫଳ। ଉଭୟ ଚେନ୍ନଇ ଓ ମୁମ୍ବଇ ୩ ଥର ଲେଖାଏଁ ଆଇପିଏଲ୍‌ ଟାଇଟଲ ହାସଲ କରିଛନ୍ତି। ଚଳିତ ସଂସ୍କରଣରେ ମଧ୍ୟ ଚେନ୍ନଇ ସୁପର କିଙ୍ଗ୍‌ସ ଓ ମୁମ୍ବଇ ଇଣ୍ଡିଆନ୍‌ସ ମଧ୍ୟ ଦୁଇ ସଫଳ ଦଳ। ଉଭୟ ଦଳ ଲିଗ୍ ପର୍ଯ୍ୟାୟରେ ୯ଟି ଲେଖାଏଁ ମ୍ୟାଚ୍ ଜିତିଛନ୍ତି। ପୁଣି ଉଭୟ ଦଳ ପଏଣ୍ଟ ଟେବୁଲର ପ୍ରଥମ ୨ଟି ସ୍ଥାନରେ ରହିଥିଲେ। ଏବେ ଉଭୟ ଦଳଙ୍କ ମଧ୍ୟରେ ଶ୍ରେଷ୍ଠତ୍ବ ପାଇଁ ରବିବାର ଲଢ଼େଇ ହେବ। ଏହି ଫାଇନାଲର ବିଜେତା ରେକର୍ଡ ୪ର୍ଥ ଆଇପିଏଲ୍‌ ଟାଇଟଲ ଜିତି ଏହି ଟୁର୍ଣ୍ଣାମେଣ୍ଟ ଇତିହାସରେ ସଫଳତମ ଦଳର ମାନ୍ୟତା ଲାଭକରିବ। ଉଭୟ ଦଳ ୩ ଥର ଫାଇନାଲରେ ମୁହାଁମୁହିଁ ହୋଇଛନ୍ତି। ଏଥିରୁ ମୁମ୍ବଇ ୨ ଥର ଜିତିଥିବା ବେଳେ ଚେନ୍ନଇ ଥରେ ଜିତିପାଇଛି। ଅଦ୍ୟାବଧି ଆଇପିଏଲ୍‌ରେ ଉଭୟ ଦଳଙ୍କ ମଧ୍ୟରେ ୨୭ ଥର ମୁକାବିଲା ହୋଇଛି। ଏଥିରୁ ମୁମ୍ବଇ ୧୬ ଥର ଜିତିଥିବା ବେଳେ ଚେନ୍ନଇ ୧୧ ଥର ବିଜୟୀ ହୋଇଛି। ଚଳିତ ସଂସ୍କରଣରେ ଉଭୟ ଦଳଙ୍କ ମଧ୍ୟରେ ୩ ଥର (ଲିଗ୍‌ରେ ୨ ଥର ଓ କ୍ବାଲିଫାୟର-୧) ମୁକାବିଲା ହୋଇଥିବା ବେଳେ ୩ ଥରଯାକ ମୁମ୍ବଇ ହିଁ ଜିତିଛି। ତେଣୁ ଫାଇନାଲରେ ମୁମ୍ବଇ ଇଣ୍ଡିଆନ୍‌ସ ହିଁ ଫେଭରିଟ୍‌। ମୁମ୍ବଇ ପ୍ରଥମ ସୁଯୋଗରେ ହିଁ ଫାଇନାଲରେ ସ୍ଥାନ ପକ୍କା କରିପାରିଛି। କ୍ବାଲିଫାୟର-୧ରେ ଚେନ୍ନଇ ସୁପର କିଙ୍ଗ୍‌ସକୁ ହିଁ ମୁମ୍ବଇ ପରାସ୍ତ କରିଥିଲା। ତେବେ ପ୍ରଥମ ପ୍ରୟାସରେ ଝୁଣ୍ଟିଥିବା ଚେନ୍ନଇ ଫାଇନାଲ ଖେଳିବାର ୨ୟ ସୁଯୋଗ ହାତଛଡ଼ା କରିନାହିଁ। ମୁମ୍ବଇ ଇଣ୍ଡିଆନ୍‌ସ ଅଦ୍ୟାବଧି ୪ଟି ଫାଇନାଲ ଖେଳିଥିବା ବେଳେ ୩ ଥର ଚମ୍ପିଆନ ହୋଇଛି। କ୍ବାଲିଫାୟର-୨ରେ ଦିଲ୍ଲୀ କ୍ୟାପିଟାଲ୍‌ସକୁ ସହଜରେ ପରାସ୍ତ କରିଛି ଚେନ୍ନଇ। ପ୍ରଥମ କ୍ବାଲିଫାୟର ତୁଳନାରେ ୨ୟ ମ୍ୟାଚ୍‌ରେ ଚେନ୍ନଇର ପ୍ରଦର୍ଶନରେ ବହୁତ ଉନ୍ନତି ପରିଲକ୍ଷିତ ହୋଇଛି। ଦଳର ଦୁଇ ଓପ୍‌ନର ସେନ୍ ୱାଟ୍‌ସନ୍ ଓ ଫାଫ୍ ଡୁ ପ୍ଲେସି ଅର୍ଦ୍ଧଶତକ ହାସଲ କରିବା ଚେନ୍ନଇ ଦଳକୁ ଉତ୍ସାହିତ କରିଛି। ଏହି ମ୍ୟାଚ୍ ପୂର୍ବରୁ ଡୁ ପ୍ଲେସି ଓ ୱାଟ୍‌ସନ କିଛି ବଡ଼ ଇନିଂସ ଖେଳିଥିଲେ ହେଁ ନିୟମିତ ଭାବେ ଭଲ ସ୍କୋର୍ କରି ପାରିନଥିଲେ। ଗତବର୍ଷ ହିଁ କ୍ବାଲିଫାୟର ମ୍ୟାଚ୍‌ରେ ୬୧ ରନ୍‌ର ଇନିଂସ ଖେଳି ଚେନ୍ନଇକୁ ଡୁ ପ୍ଲେସି ଫାଇନାଲରେ ପହଞ୍ଚାଇଥିଲେ। ଆଉ ଫାଇନାଲ ମ୍ୟାଚ୍‌​‌େ​‌ର ଶତକ ମାରିବାର ରେକର୍ଡ ମଧ୍ୟ ୱାଟ୍‌ସନଙ୍କର ଅଛି।
ମୁମ୍ବଇ ଇଣ୍ଡିଆନ୍‌ସ ପାଇଁ ଫାଇନାଲ ମ୍ୟାଚ୍‌ରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିବେ ହାର୍ଦିକ ପାଣ୍ଡ୍ୟା। ପେସ୍‌ ବୋଲିଂ ଜରିଆରେ ୱିକେଟ ନେବା ସହ ବ୍ୟାଟିଂରେ ଦଳକୁ ସର୍ବଦା ୨୦-୩୦ ରନ୍ ଦେବାରେ ସହାୟକ ହୋଇଛନ୍ତି। ତାଙ୍କ ବଡ଼ ଭାଇ କ୍ରୁନାଲ ପାଣ୍ଡ୍ୟା ମଧ୍ୟ ଚମତ୍କାର ବୋଲିଂ କରିଛନ୍ତି। ମୁମ୍ବଇ ଇଣ୍ଡିଆନ୍‌ସର ବ୍ୟାଟିଂ ମୋଟ ଉପରେ ଦୁଇ ଓପ୍‌ନର ଅଧିନାୟକ ରୋହିତ ଶର୍ମା ଓ କ୍ବିଣ୍ଟନ ଡି କକ୍‌ଙ୍କ ଉପରେ ନିର୍ଭର କରିବ। ଦୁହେଁ ଅଦ୍ୟାବଧି ଦଳର ସବୁଠାରୁ ସଫଳ ବ୍ୟାଟ୍‌ସମ୍ୟାନ ପ୍ରମାଣିତ ହୋଇଛନ୍ତି ଏବଂ ମିଳିତ ଭାବେ ପାଖାପାଖି ୯୦୦ ରନ୍ କରିଛନ୍ତି। ତେବେ ଗୋଟିଏ/୨ଟି ଇନିଂସକୁ ଛାଡ଼ି କୈରନ୍ ପୋଲାର୍ଡ ସେପରି ଭଲ ବ୍ୟାଟିଂ କରି ପାରିନାହାନ୍ତି। କ୍ବାଲିଫାୟରରେ ସୂର୍ଯ୍ୟକୁମାର ଯାଦବଙ୍କ ବ୍ୟାଟିଂ ଦଳକୁ ବେଶ୍ ଉତ୍ସାହିତ କରିଛି। ଫାଇନାଲର ମୁକାବିଲା ଚେନ୍ନଇର ବ୍ୟାଟିଂ ଓ ମୁମ୍ବଇ ଇଣ୍ଡିଆନ୍‌ସର ବୋଲିଂ ମଧ୍ୟରେ ହେବ। ମୁମ୍ବଇ ଇଣ୍ଡିଆନ୍‌ସ ବୋଲିଂ ଲାଇନ୍‌ରେ ଅଛନ୍ତି ଯଶପ୍ରୀତ ବୁମ୍‌ରା, ଲାସିଥ୍ ମାଲିଙ୍ଗା, ହାର୍ଦିକ ପାଣ୍ଡ୍ୟା, କ୍ରୁନାଲ ପାଣ୍ଡ୍ୟା ଓ ଲେଗ୍‌ସ୍ପିନର ରାହୁଲ ଚହର। ଏ ସମସ୍ତେ ୧୦ରୁ ଅଧିକ ୱିକେଟ ନେଇ ସାରିଲେଣି। ଚେନ୍ନଇ ବୋଲିଂ ମୁଖ୍ୟତଃ ସ୍ପିନରଙ୍କ ଉପରେ ନିର୍ଭର କରିବ। ରବୀନ୍ଦ୍ର ଜାଡ଼େଜା, ଇମ୍ରାନ୍ ତାହିର ଓ ହରଭଜନ ସିଂହ ନିୟମିତ ୱିକେଟ ନେଇଛନ୍ତି। ନୂଆବଲ୍‌ରେ ପେସ୍ ବୋଲର ଦୀପକ ଚହର ଭଲ ବୋଲିଂ କରିଛନ୍ତି।

Comments are closed.