୨ ଦିନ ଘୁଞ୍ଚିପାରେ ଆଇପିଏଲ୍‍ ଫାଇନାଲ

ମୁମ୍ବଇ: ଇଣ୍ଡିଆନ୍‍ ପ୍ରିମିୟର ଲିଗ୍‍ (ଆଇପିଏଲ୍‍)ର ୧୩ଶ ସଂସ୍କରଣ ଚଳିତବର୍ଷ ୟୁନାଇଟେଡ୍‍ ଆରବ ଏମିରେଟ୍‍ସରେ ସେପ୍ଟେମ୍ବର ୧୯ରୁ ନଭେମ୍ବର ୮ ପର୍ଯ୍ୟନ୍ତ ଖେଳାଯିବ ବୋଲି ଗତ ସପ୍ତାହରେ ବିସିସିଆଇ ଘୋଷଣା କରିଥିଲା। ତେବେ ଆଇପିଏଲ୍‍ର ଫାଇନାଲ ମ୍ୟାଚ୍‍ ୨ ଦିନ ଘୁଞ୍ଚାଇ ନଭେମ୍ବର ୮ ବଦଳରେ ୧୦ରେ ଆୟୋଜନ କରିବାକୁ ବିଚାରବିମର୍ଷ ଚାଲିଛି। ଦୀପାବଳି ସପ୍ତାହର ଫାଇଦା ଉଠାଇବା ପାଇଁ ଆଇପିଏଲ୍‍ର ସିଧା ପ୍ରସାରଣ ଅଧିକାର ପାଇଥିବା ଷ୍ଟାର୍‍ ସ୍ପୋର୍ଟସ ଦାବି କରିବାରୁ ନଭେମ୍ବର ୧୦ରେ ଆଇପିଏଲ୍‍ ଫାଇନାଲ ଖେଳା ଯାଇପାରେ ବୋଲି ବିସିସିଆଇ ମଧ୍ୟସ୍ଥ ସୂତ୍ରରୁ ପ୍ରକାଶ। ତେବେ ଶନିବାରରୁ ସୋମବାର ପର୍ଯ୍ୟନ୍ତ ଆଇପିଏଲ୍‍ ପରିଚାଳନା ପରିଷଦ (ଗଭର୍ଣ୍ଣିଂ କାଉନ୍‍ସିଲ)ର ବୈଠକ ପରେ ବିଧିବଦ୍ଧ ଭାବେ ଏହା ବିଷୟରେ ଘୋଷଣା ହୋଇପାରେ।

ପୂର୍ବରୁ ବିସିସିଆଇ ନିଷ୍ପତ୍ତି ନେଇଥିଲା ଯେ ସେପ୍ଟେମ୍ବର ୨୬ରୁ ନଭେମ୍ବର ୮ ପର୍ଯ୍ୟନ୍ତ ଆଇପିଏଲ୍‍ ଖେଳାଯିବ। ଫଳରେ ୪୪ ଦିନ ମଧ୍ୟରେ ୬୦ଟି ମ୍ୟାଚ୍‍ ଆୟୋଜନ ହେବ। ତେବେ ଏହି ଖେଳସୂଚୀକୁ ଷ୍ଟାର୍‍ ସ୍ପୋର୍ଟସ ବିରୋଧ କରିଥିଲା। ଦୀପାବଳି ସପ୍ତାହର ଫାଇଦା ଉଠାଇବା ପାଇଁ ସେପ୍ଟେମ୍ବର ୨୬ରୁ ନଭେମ୍ବର ୧୫ ପର୍ଯ୍ୟନ୍ତ ଆଇପିଏଲ୍‍ ଖେଳାଯିବାକୁ ଏହା ଦାବି କରିଥିଲା। ତେବେ ଭାରତୀୟ ଦଳ ଅଷ୍ଟ୍ରେଲିଆ ଗସ୍ତରେ ଯିବାର ଥିବାରୁ ବିସିସିଆଇ ଏଥିରେ ରାଜି ହୋଇନଥିଲା। ତେବେ ଆଇପିଏଲ୍‍କୁ ସପ୍ତାହେ ଲମ୍ବାକରିବା ଦାବିକୁ ମାନି ଏହାକୁ ସେପ୍ଟେମ୍ବର ୨୬ ବଦଳରେ ସେପ୍ଟେମ୍ବର ୧୯ରୁ ଆରମ୍ଭ କରିବାକୁ ରାଜି ହୋଇଥିଲା। ଫଳରେ ୫୧ ଦିନରେ ୬୦ଟି ମ୍ୟାଚ୍‍ ଖେଳାଯିବ। ହେଲେ ଏବେ ନଭେମ୍ବର ୧୦ (ମଙ୍ଗଳବାର)ରେ ଫାଇନାଲ ମ୍ୟାଚ୍‍ ଖେଳାଗଲେ ୫୩ ଦିନରେ ୬୦ଟି ମ୍ୟାଚ୍‍ ଖେଳାଯିବ।

ପୁଣି ଭାରତୀୟ ଟେଷ୍ଟ ଦଳରେ ଥିବା ଆଇପିଏଲ୍‍ ଖେଳାଳି ୟୁଏଇରୁ ସିଧା ଅଷ୍ଟ୍ରେଲିଆ ଯିବେ। ୮ରେ ଫାଇନାଲ ଖେଳାଗଲେ ୨ ଦିନ ପାଇଁ ସେମାନେ ଭାରତ ଆସିବେ ବୋଲି ପୂର୍ବରୁ ଯେଉଁ ଯୋଜନା ଥିଲା; ତାହା ଆଉ ସମ୍ଭବ ହେବନାହିଁ। ଚଳିତବର୍ଷ ଦୀପାବଳି ନଭେମ୍ବର ୧୪ରେ ପଡ଼ୁଛି। ନଭେମ୍ବର ୧୫ରେ ଫାଇନାଲ ଖେଳା ଯାଇଥିଲେ ଦୀପାବଳି ସପ୍ତାହରେ ସମସ୍ତ ପ୍ଲେଅଫ୍‍ ମ୍ୟାଚ୍‍ ଖେଳା ଯାଇଥାଆନ୍ତା। ଏହି ସମୟରେ ବିଜ୍ଞାପନରୁ ବେଶ୍‍ କିଛି ଆୟ କରିଥାଆନ୍ତା ଷ୍ଟାର୍‍ ସ୍ପୋର୍ଟସ। ତେବେ ଷ୍ଟାର୍‍ ସ୍ପୋର୍ଟସ ଦାବିକୁ ଆଂଶିକ ଭାବେ ମାନି ନଭେମ୍ବର ୮ରେ ୨ୟ କ୍ୱାଲିଫାୟର ଏବଂ ୧୦ରେ ଫାଇନାଲ ଖେଳାଯିବାକୁ ବିସିସିଆଇ ରାଜି ହୋଇଥିବା ଜାଣିବାକୁ ମିଳିଛି। ଆଇପିଏଲ୍‍ ଗଭର୍ଣ୍ଣିଂ କାଉନ୍‍ସିଲ ବୈଠକରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ। ଆଇପିଏଲ୍‍ ଇତିହାସରେ ପ୍ରଥମଥର ପାଇଁ ଫାଇନାଲ ମ୍ୟାଚ୍‍ ରବିବାର ଖେଳାନଯିବା ବିଷୟରେ ଷ୍ଟାର୍‍ ସ୍ପୋର୍ଟସର ଜଣେ ଅଧିକାରୀ କହିଛନ୍ତି, ଦୀପାବଳି ସପ୍ତାହର ସମସ୍ତ ଦିନ ରବିବାର ପରି। ତେଣୁ ମଙ୍ଗଳବାର ଫାଇନାଲ ଖେଳାଗଲେ କୌଣସି ଫରକ ପଡ଼ିବନାହିଁ। ପୁଣି ଡିସେମ୍ବର ୩ରୁ ଘରୋଇ ଅଷ୍ଟ୍ରେଲିଆ ବିପକ୍ଷରେ ଆରମ୍ଭ ହେଉଥିବା ଟେଷ୍ଟ ସିରିଜ୍‍ ବିଷୟରେ ବିସିସିଆଇର ଜଣେ ଅଧିକାରୀ କହିଛନ୍ତି, ପ୍ଲେଅଫ୍‍ ପର୍ଯ୍ୟାୟରୁ ସେମାନଙ୍କ ଦଳ ବାଦ୍‍ ପଡ଼ିଥିଲେ ବି ଭାରତୀୟ ଟେଷ୍ଟ ଦଳରେ ଥିବା ଆଇପିଏଲ୍‍ ଖେଳାଳି ସ୍ୱଦେଶ ନ ଫେରି ୟୁଏଇରେ ରହିବେ। ଆଇପିଏଲ୍‍ ସରିବା ପରେ ସମସ୍ତ ଖେଳାଳି ଏକାଠି ଅଷ୍ଟ୍ରେଲିଆ ଗସ୍ତରେ ଯିବେ।

Comments are closed.