ଆଇପିଏଲ୍‌ ୨୦୧୯ : ଆଜି ହାଇଦରାବାଦ-ଦିଲ୍ଲୀ ଏଲିମିନେଟର ମୁକାବିଲା

ବିଶାଖାପାଟଣା : ଚଳିତ ଆଇପିଏଲ୍‌ର ପ୍ରଥମ ନକ୍‌ଆଉଟ ମ୍ୟାଚ୍ ଆଜି (ବୁଧବାର)  ଖେଳାଯିବ। ଦିଲ୍ଲୀ କ୍ୟାପିଟାଲ୍‌ସ ଓ ସନ୍‌ରାଇଜର୍ସ ହାଇଦରାବାଦ ମଧ୍ୟରେ ଏଲିମିନେଟର ମ୍ୟାଚ୍ ଖେଳାଯିବ। ଏହି ମ୍ୟାଚ୍‌ର ବିଜେତା କ୍ବାଲିଫାୟର-୨ ଖେଳିବା ପାଇଁ ଯୋଗ୍ୟତା ଅର୍ଜନ କରିବ। ଅର୍ଥାତ୍ ମଙ୍ଗଳବାରର କ୍ବାଲିଫାୟର-୧ ମ୍ୟାଚ୍‌ର ପରାଜିତ ଦଳ ବିପକ୍ଷରେ ଏହା ଶୁକ୍ରବାର କ୍ବାଲିଫାୟର-୨ ମ୍ୟାଚ୍ ଖେଳିବ। ତେଣୁ ଫାଇନାଲ ଖେଳିବାର ରାସ୍ତା ଉନ୍ମୁକ୍ତ ରଖିବା ଲାଗି ଉଭୟ ଦଳ ଏଲିମିନେଟର ମ୍ୟାଚ୍ ଜିତିବାକୁ ନିଶ୍ଚୟ ପ୍ରୟାସ କରିବେ। କାରଣ ପରାଜିତ ଦଳର ଆଇପିଏଲ୍‌-୧୨ ଅଭିଯାନ ଶେଷ ହୋଇଯିବ। ପ୍ରଥମଥର ପାଇଁ ଏକ ମ୍ୟାଚ୍‌ର ପରାଜିତ ଦଳ ପ୍ରତିଯୋଗିତାରୁ ବିଦାୟ ନେବ।

ଚଳିତ ଟୁର୍ଣ୍ଣାମେଣ୍ଟରେ ଦିଲ୍ଲୀ ଓ ସନ୍‌ରାଇଜର୍ସର ପ୍ରଦର୍ଶନରେ ବହୁତ ଫରକ ରହିଛି। ୬ ବର୍ଷ ପରେ ପ୍ଲେଅଫ୍ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଥିବା ଦିଲ୍ଲୀ କ୍ୟାପିଟାଲ୍‌ସ ୧୪ଟି ମ୍ୟାଚ୍‌ରୁ ୯ଟି ଜିତି ୧୮ ପଏଣ୍ଟ ପାଇଛି। କେବଳ ନେଟ୍ ରନ୍‌ରେଟ୍‌ରେ ଏହା ପ୍ରଥମ ୨ଟି ଦଳଙ୍କଠାରୁ ପଛରେ ରହିଛି। ତେବେ ସନ୍‌ରାଇଜର୍ସ ହାଇଦରାବାଦ ୧୪ଟି ମ୍ୟାଚ୍‌ରୁ ମାତ୍ର ୬ଟି ମ୍ୟାଚ୍ ଜିତି ୧୨ ପଏଣ୍ଟ ପାଇଛି। ଆଉ ୨ଟି ଦଳ ମଧ୍ୟ ୧୨ ପଏଣ୍ଟ ପାଇଥିଲେ ହେଁ ଏହା ମଧ୍ୟ ନେଟ୍‌ ରନ୍‌ରେଟ୍‌ରେ ଅନ୍ୟ ୨ଟି ଦଳଙ୍କଠାରୁ ଉପରେ ରହିଛି।
ସନ୍‌ରାଇଜର୍ସ ହାଇଦରାବାଦକୁ ଆଜି ପ୍ଲେଅଫ୍‌ରେ ପହଞ୍ଚାଇବାରେ ସର୍ବାଧିକ ଯୋଗଦାନ କରିଥିବା ଦୁଇ ଓପ୍‌ନର ଡେଭିଡ୍‌ ୱାର୍ଣ୍ଣର ଓ ଜନି ବେୟାରଷ୍ଟୋ ସ୍ବଦେଶ ଫେରି ଯାଇଛନ୍ତି। ତେବେ ଦଳ ପାଇଁ ଏହା ଖୁସିର ବିଷୟ ଯେ ମନୀଷ ପାଣ୍ଡେ ଫର୍ମକୁ ଫେରିଛନ୍ତି। ବୋଲିଂରେ ରସିଦ୍ ଖାଁ, ଭୁବନେଶ୍ବର କୁମାର ଓ ଖଲିଲ ଅହମ୍ମଦ ଭଲ ପ୍ରଦର୍ଶନ କରିଛନ୍ତି। କେନ୍ ୱିଲିୟମ୍‌ସନଙ୍କ ପରି ନିର୍ଭରଯୋଗ୍ୟ ଅଧିନାୟକ ସନ୍‌ରାଇଜର୍ସର ଅଛନ୍ତି। ଓପ୍‌ନିଂ ସ୍ଥାନରେ ନ୍ୟୁଜିଲାଣ୍ଡର ସାଥୀ ଖେଳାଳି ମାର୍ଟିନ୍ ଗପ୍‌ଟିଲଙ୍କଠାରୁ ସେ ନିଶ୍ଚିତ ଭାବେ ଭଲ ପ୍ରଦର୍ଶନର ଆଶା ରଖିଥିବେ। ପୁଣି ବିଶ୍ବକପ୍ ଖେଳିବାକୁ ଇଂଲଣ୍ଡ ଯିବା ପୂର୍ବରୁ ଭଲ ପ୍ରଦର୍ଶନ କରିବାକୁ ବିଜୟ ଶଙ୍କରଙ୍କ ପାଖରେ ଏହା ଆଉ ଏକ ସୁଯୋଗ। ସନ୍‌ରାଇଜର୍ସ ହେଉଛି ଆଇପିଏଲ୍‌ ଇତିହାସରେ ପ୍ରଥମ ଦଳ; ଯାହା ମାତ୍ର ୧୨ ପଏଣ୍ଟ ସହ ପ୍ଲେଅଫ୍ ​ଖେ‌ଳିବାକୁ ଯୋଗ୍ୟତା ଅର୍ଜନ କରିଛି।
ତେବେ ଏଥର ଆଇପିଏଲ୍‌ରେ ଆଲୋଚନାର ବିଷୟ ହୋଇଛି ଦିଲ୍ଲୀ କ୍ୟାପିଟାଲ୍‌ସର ପ୍ରଦର୍ଶନ । ଗତ ୧୨ଟି ସିଜିନ୍ ମଧ୍ୟରୁ ଚଳିତ ସିଜିନ୍‌ରେ ଦିଲ୍ଲୀ ତା’ର ଶ୍ରେଷ୍ଠ ପ୍ରଦର୍ଶନ କରିଛି। ଶେଷ ମ୍ୟାଚ୍‌ରେ ଚେନ୍ନଇ ସୁପର କିଙ୍ଗ୍‌ସଠାରୁ ପରାସ୍ତ ହୋଇନଥିଲେ ଦିଲ୍ଲୀ ଏଲିମିନେଟ ନୁହେଁ; ବରଂ କ୍ବାଲିଫାୟର-୧ ଖେଳିଥାଆନ୍ତା। ଏହି ପରାଜୟ ପୂର୍ବରୁ ଚେନ୍ନଇ ଓ ମୁମ୍ବଇ ଇଣ୍ଡିଆନ୍‌ସ ସହ ଟେବୁଲ୍‌ର ଶୀର୍ଷସ୍ଥାନରେ ରହିବା ପାଇଁ ଦିଲ୍ଲୀ ସଂଘର୍ଷ କରୁଥିଲା। ଦିଲ୍ଲୀ କଦାପି ଆଇପିଏଲ୍‌ ଫାଇନାଲରେ ପ୍ରବେଶ କରିନାହିଁ। ଏତେବର୍ଷ ଧରି ଯେଉଁ ମ୍ୟାଚ୍ ବିଜେତା ଦଳକୁ ଦିଲ୍ଲୀ ଖୋଜୁଥିଲା; ତାହା ଚଳିତ ସିଜିନ୍‌ରେ ଏହା ପାଇପାରିଛି। ଚଳିତ ସିଜିନ୍‌ରେ ଦିଲ୍ଲୀ କ୍ୟାପିଟାଲ୍‌ସରେ ସାମିଲ ହୋଇଥିବା ଶିଖର ଧାୱନ ତାଙ୍କ ଖ୍ୟାତି ଅନୁସାରେ ପ୍ରଦର୍ଶନ କରିଛନ୍ତି। ଅଦ୍ୟାବଧି ବାମହାତି ଧାୱନ ୪୫୦ରୁ ଅଧିକ ରନ୍ ସ୍କୋର୍ କରିଛନ୍ତି। ପୃଥ୍ବୀ ସ’ଙ୍କ ସହ ମିଶି ଧାୱନ ଅନ୍ୟତମ ଶ୍ରେଷ୍ଠ ଓପ୍‌ନିଂ ଯୋଡ଼ି ପ୍ରମାଣିତ କରିଛନ୍ତି। ଅଧିନାୟକ ଶ୍ରେୟାସ ଆୟର ଚମତ୍କାର ଭାବେ ଦଳର ନେତୃତ୍ବ ନେଇଥିବା ବେଳେ ମଧ୍ୟକ୍ରମକୁ ସମ୍ଭାଳିଛନ୍ତି। ଅଦ୍ୟାବଧି ଆୟର ୪୦୦ରୁ ଅଧିକ ରନ୍ ସ୍କୋର୍ କରିଛନ୍ତି। ବିଶ୍ବକପ୍ ଦଳରୁ ବାଦ୍ ପଡ଼ିଥିଲେ ହେଁ ଋଷଭ ପନ୍ତ୍ କିଛି ବିସ୍ଫୋରକ ଇନିଂସ ଖେଳିଛନ୍ତି। ପୁଣି ରିକି ପଣ୍ଟିଂ ଓ ସୌରଭ ଗାଙ୍ଗୁଲି ଭଳି ବ୍ୟକ୍ତିତ୍ବଙ୍କ ଉପସ୍ଥିତି ଦିଲ୍ଲୀ କ୍ୟାପିଟାଲ୍‌ସକୁ ଉତ୍ସାହିତ କରିଛି। କାଗିସୋ ରାବାଡ଼ା ସ୍ବଦେଶ ଫେରି ଯାଇଥିଲେ ହେଁ ଦିଲ୍ଲୀ ଦଳରେ ଯଥେଷ୍ଟ ବୋଲିଂ ସାମର୍ଥ୍ୟ ରହିଛି।

Comments are closed.