ଚେନ୍ନଇକୁ ରୋକିବା ଲକ୍ଷ୍ୟରେ ମୁମ୍ବଇ

ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ) ଚଳିତ ସଂସ୍କରଣର ୨୭ତମ ଲିଗ୍ ମ୍ୟାଚରେ ଚେନ୍ନଇ ସୁପରକିଙ୍ଗ୍ସ ଓ ମୁମ୍ବଇ ଇଣ୍ଡିଆନ୍ସ ଦିଲ୍ଲୀର ଅରୁଣ ଜେଟଲୀ କ୍ରିକେଟ ଷ୍ଟାଡ଼ିୟମରେ ଶନିବାର ମୁହାଁମୁହିଁ ହେବେ। ଉଭୟ ଦଳଙ୍କ ପାଇଁ ଏହା ପ୍ରଥମ ପର୍ୟ୍ୟାୟର ଶେଷ ଲିଗ୍ ମ୍ୟାଚ। ଧୋନିଙ୍କ ନେତୃତ୍ବାଧିନ ଚେନ୍ନଇ ବିଜୟ ସହ ଶୀର୍ଷ ସ୍ଥାନ ବଜାୟ ରଖିବା ନେଇ ଉଦ୍ୟମ କରିବାବେଳେ ଶେଷ ମ୍ୟାଚରେ ପ୍ରତ୍ୟାବର୍ତ୍ତନ କରିଥିବା ରୋହିତ ଶର୍ମାଙ୍କ ମୁମ୍ବଇ ଇଣ୍ଡଆନ୍ସ ବିଜୟ ବଜାୟ ଲକ୍ଷ୍ୟ ନେଇ ଖେଳିବ।

ମହେନ୍ଦ୍ର ସିଂହ ଧୋନିଙ୍କ ନେତୃତ୍ବାଧିନ ଚେନ୍ନଇ ସୁପରକିଙ୍ଗ୍ସ ୬ଟି ମ୍ୟାଚରୁ ୫ଟି ବିଜୟ ଓ ଗୋଟିଏ ପରାଜୟ ସହ ୧୦ ପଏଣ୍ଟ ପାଇ ଟେବୁଲର ଶୀର୍ଷ ସ୍ଥାନରେ ରହିଛି। ଦଳ ପ୍ରଥମ ମ୍ୟାଚରେ ପରାଜୟ ସହ କ୍ରମାଗତ ଭାବେ ୫ଟି ମ୍ୟାଚରେ ବିଜୟୀ ହୋଇଛି। ବ୍ୟାଟିଂରେ ଋତୁରାଜ ଗାଏକ୍ବାର୍ଡ ଓ ଫ୍ଲାଫ ଡୁପ୍ଲେସି ଚମତ୍କାର ଫର୍ମରେ ରହିଥିବାବେଳେ ସୁରେଶ ରୈନା, ଧୋନି ଓ ଅମ୍ବାତି ରାଇଡୁ ସହାୟତା କରୁଛନ୍ତି। ବୋଲିଂରେ ମଧ୍ୟ ଦଳ ବହୁତ ଭଲ ପ୍ରଦର୍ଶନ କରୁଛି। ଦ୍ରୁତ ବୋଲିଂ ବିଭାଗରେ ଦୀପକ ଚହରଙ୍କୁ ଲୁଙ୍ଗି ଏନ୍ଗିଡ଼ି ଓ ସାର୍ଦୁଳ ଠାକୁର ସହାୟତା କରୁଛନ୍ତି। ମୋଇନ୍ ଅଲ୍ଲୀ, ସାମ୍ କୁରାନ ଓ ରବିନ୍ଦ୍ର ଜାଡେଜା ଅଲ୍ରାଉଣ୍ଡର ଦାୟିତ୍ବକୁ ସଠିକ୍ ଭାବେ ଉପଯୋଗ କରୁଛନ୍ତି। ଜାଡେଜା ଓ ମୋଇନ୍ ଉଭୟେ ବ୍ୟାଟିଂ ଓ ବୋଲିଂରେ ଚମତ୍କାର ପ୍ରଦର୍ଶନ କରୁଛନ୍ତି। ମୁମ୍ବଇ ଇଣ୍ଡିଆନ୍ସ ବିପକ୍ଷ ମ୍ୟାଚକୁ ଜିତି ଦଳ ପ୍ରଥମ ପର୍ଯ୍ୟାୟ ଶେଷ କରିବା ଲକ୍ଷ୍ୟ ରଖିଛି।

ଅନ୍ୟପକ୍ଷରେ ରୋହିତ ଶର୍ମାଙ୍କ ନେତୃତ୍ବାଧିନ ମୁମ୍ବଇ ଇଣ୍ଡିଆନ୍ସ ୬ଟି ମ୍ୟାଚରୁ ୩ଟି ବିଜୟ ଓ ୩ଟି ପରାଜୟ ସହ ୬ ପଏଣ୍ଟ ପାଇଛି। ଦଳ କ୍ରମାଗତ ୨ଟି ପରାଜୟ ପରେ ଶେଷ ମ୍ୟାଚରେ ରାଜସ୍ଥାନ ରୟାଲ୍ସକୁ ୭ ୱିକେଟରେ ପରାସ୍ତ କରି ବିଜୟ ଧାରାକୁ ଫେରିଛି। ବ୍ୟାଟିଂକୁ ନେଇ ରୋହିତ ଚିନ୍ତାେର ଥିବାବେଳେ ଓପନର କ୍ବାଣ୍ଟେନ ଡିକକ୍ ରାଜସ୍ଥାନ ବିପକ୍ଷ ମ୍ୟାଚରେ ଅର୍ଦ୍ଧଶତକୀୟ ଇନିଂସ ଖେଳି ଫର୍ମକୁ ଫେରିଛନ୍ତି। ସେହିପରି ମଧ୍ୟକ୍ରମରେ ସୂର୍ଯ୍ୟକୁମାର ଯାଦବ ମଧ୍ୟ ଲମ୍ବା ଇନିଂସ ଖେଳିବାରେ ବିଫଳ ହେଉଛନ୍ତି। ରାଜସ୍ଥାନ ବିପକ୍ଷରେ କ୍ରୁନାଲ ପାଣ୍ଡ୍ୟା ୩୯ରନର ଇନିଂସ ଖେଳିଥିବାବେଳେ ହାର୍ଦିକ ପାଣ୍ଡ୍ୟା ଓ କିରନ ପୋଲାର୍ଡ ମଧ୍ୟ ଫର୍ମକୁ ଫେରିବା ନେଇ ସଂଘର୍ଷ କରୁଛନ୍ତି। ବୋଲିଂ ବିଭାଗରେ ଟ୍ରେଣ୍ଟ ବୋଲ୍ଟ, ଯଶପ୍ରୀତ ବୁମ୍ରା ଓ ରାହୁଲ ଚହର ଭଲ ପ୍ରଦର୍ଶନ କରୁଛନ୍ତି। ଡେଥ୍ ଓଭରରେ ବୁମ୍ରା ମାରାତ୍ମକ ସାବ୍ୟସ୍ତ ହେଉଛନ୍ତି। ବୋଲିଂରେ ଶକ୍ତିଶାଳୀ ମନେ କରାଯାଉଥିବା ମୁମ୍ବଇ ଇଣ୍ଡିଆନ୍ସ ଧୋନିଙ୍କ ଚେନ୍ନଇ ସୁପରକିଙ୍ଗ୍ସକୁ ରୋକିବା ନେଇ ଆଶା କରାଯାଉଛି।

Comments are closed.