ହୋଟେଲରେ ଚାଲିଥିଲା ଆଇପିଏଲ ବେଟିଂ: ୬ ଗିରଫ, କାର ଓ ଲକ୍ଷାଧିକ ଟଙ୍କା ଜବତ

ଲଖନପୁର: ଝାରସୁଗୁଡ଼ା ଜିଲା ବେଲପାହାଡ଼ ସ୍ଥିତ ଏକ ହୋଟେଲରେ ଚାଲିଥିବା ଏକ ହାଇ ପ୍ରୋଫାଇଲ ଆଇପିଏଲ କ୍ରିକେଟ ଜୁଆ ଆଡ୍ଡାକୁ ପୁଲିସ ଚଢ଼ଉ କରି ଛତିଶଗଡ଼ର ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ ଛତିଶଗଡ଼ ରାଜ୍ୟ ରାୟଗଡ଼ର ପ୍ରଦୀପ ପଟେଲ (୨୮), ଅରିଫ ଅହମ୍ମଦ(୩୦), ମହମ୍ମଦ ୱାସିମ୍ (୩୦), ବିଜୟ ବାସୁଦେବ ଶର୍ମା (୪୪), ଶେର ଖାନ (୨୮) ଓ ଜଗନ୍ନାଥ ସିଂହ (୨୪)। ସୂଚନାରୁ ପ୍ରକାଶ ଯେ, ଅଭିଯୁକ୍ତମାନେ ଧରା ପଡ଼ିଯିବା ଭୟରେ ବିଭିନ୍ନ ସ୍ଥାନରେ ହୋଟେଲରେ ରହି ଅନଲାଇନ ମାଧ୍ୟମରେ ଆଇପିଏଲ କ୍ରିକେଟ ବେଟିଂ କରୁଥିଲେ। ଏହି କ୍ରମରେ ଦୁଇ ଦିନ ପୂର୍ବରୁ ସେମାନେ ପଶ୍ଚିମବଙ୍ଗ ଅଞ୍ଚଳରୁ ବେଲପାହାଡ଼ ସହରକୁ ଆସି ଏକ ହୋଟେଲରେ ଜୁଆ ଖେଳ ଜାରି ରଖିଥିଲେ। ପୁଲିସ କୌଣସି ସୂତ୍ରରୁ ଖବର ପାଇ ଗୁରୁବାର ରାତି ପ୍ରାୟ ସାଢ଼େ ୯ଟାରେ ଚଢ଼ଉ କରି ସମ୍ପୃକ୍ତ ୬ ଜଣଙ୍କୁ ଗିରଫ କରିଥିବା ପ୍ରକାଶ। ଏହା ସହ ପୁଲିସ ସେମାନଙ୍କ ଠାରୁ ମୋଟ ୧ ଲକ୍ଷ ୧ହଜାର ୩୦୦ଟଙ୍କା ନଗଦ ସହ ଏକ ରେନଲ୍ଡ ଡଷ୍ଟର କାର (ସିଜି ୧୩ଭି ୧୩୫୬), ଏକ ଲାପଟପ୍, ୨ଟି ଟାବଲେଟ, ୨୦ଟି ମୋବାଇଲ ଆଦି ଜବତ କରିଛି। ବେଲପାହାଡ଼ ପୁଲିସ ଏନେଇ କେସ ନମ୍ବର ୨୮୯/୨୦ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରିବା ସହ ଗିରଫ ସମସ୍ତ ୬ ଜଣ ଅଭିଯୁକ୍ତକୁ ଶୁକ୍ରବାର କୋର୍ଟ ଚାଲାଣ କରିଛି।

Comments are closed.