ଆଜି ରୋହିତ-ୱାର୍ଣ୍ଣର, ରାହୁଲ-ଧୋନି ମୁକାବିଲା

ସାରଜା : ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ) ତ୍ରୟୋଦଶତମ ସଂସ୍କରଣର ରବିବାର ଦୁଇଟି ମ୍ୟାଚ ଖେଳାଯିବ। ପ୍ରଥମ ମ୍ୟାଚରେ ସାରଜାରେ ମୁମ୍ବଇ ଇଣ୍ଡିଆନ୍ସ -ସନରାଇଜର୍ସ ହାଇଦ୍ରାବାଦକୁ ଭେଟିବାବେଳେ ଦ୍ବିତୀୟ ମ୍ୟାଚରେ ଦୁବାଇରେ କିଙ୍ଗସ୍ ଏକାଦଶ ପଞ୍ଜାବ-ଚେନ୍ନଇ ସୁପରକିଙ୍ଗସ୍‌ ମୁହାଁମୁହିଁ ହେବେ। ପ୍ରଥମ ମ୍ୟାଚ ଭାରତୀୟ ସମୟ ଅପରାହ୍ଣ ୩ଟା୩୦ରୁ ଓ ଦ୍ବିତୀୟ ମ୍ୟାଚ ରାତି ୭ଟା୩୦ରୁ ଖେଳାଯିବ। ରୋହିତ ଶର୍ମାଙ୍କ ନେତୃତ୍ବାଧୀନ ମୁମ୍ବଇ ଇଣ୍ଡିଆନ୍ସ ୪ଟି ମ୍ୟାଚରୁ ଦୁଇଟି ବିଜୟ ଓ ଦୁଇଟି ପରାଜୟ ସହ ୪ ପଏଣ୍ଟ ହାସଲ କରିଛି। ଅଧିନାୟକ ରୋହିତ ଶର୍ମା, ସୂର୍ୟ୍ୟକୁମାର ଯାଦବ, କ୍ବାଣ୍ଟେନ ଡିକକ୍‌ , ଇଶାନ କିଷାନ, ହାର୍ଦିକ ପାଣ୍ଡ୍ୟା, କିରନ ପୋଲାର୍ଡ, ଯଶପ୍ରିତ ବୁମ୍‌ରା, ଟ୍ରେଣ୍ଟ ବୋଲ୍ଟ, ଜେମ୍ସ ପ୍ୟାଟିନସନଙ୍କ ଭଳି ଖେଳାଳି ରହିଛନ୍ତି। ଦଳ ବିଜୟ ଧାରାକୁ ବଜାୟ ରଖିବା ଲକ୍ଷ୍ୟ ନେଇ ଖେଳିବ।
ସେହିପରି ଡେଭିଡ୍‌ ୱାର୍ଣ୍ଣରଙ୍କ ନେତୃତ୍ବାଧିନ ସନରାଇଜର୍ସ ହାଇଦ୍ରାବାଦ ୪ଟି ମ୍ୟାଚରୁ ଦୁଇଟି ବିଜୟ ଓ ଦୁଇଟି ପରାଜୟ ସହ ୪ ପଏଣ୍ଟ ହାସଲ କରିଛି। ଦଳ ପ୍ରଥମ ଦୁଇଟି ମ୍ୟାଚରେ ପରାଜିତ ହୋଇଥିବାବେଳେ ତୃତୀୟ ଓ ଚତୁର୍ଥ ମ୍ୟାଚକୁ ଜିତି ମନୋବଳ ବୃଦ୍ଧି କରିଛି। କେନ୍ ୱିଲିୟମସନ, ପ୍ରିୟମ ଗର୍ଗ, ମନୀଷ ପାଣ୍ଡେ ପ୍ରମୁଖ ଭଲ ଫର୍ମରେ ରହିଛନ୍ତି। ବୋଲିଂରେ ଭୁବନେଶ୍ବର କୁମାର, ରସିଦ୍‌ ଖାନ ପ୍ରମୁଖ ଭଲ ବୋଲିଂ କରୁଛନ୍ତି। ଉଭୟ ଦଳ ସମାନ ସଂଖ୍ୟକ ମ୍ୟାଚ ଖେଳି ସମାନ ପଏଣ୍ଟରେ ରହିଥିବାରୁ ମ୍ୟାଚ ପ୍ରତିଦ୍ବନ୍ଦ୍ବିତା ହେବା ନେଇ ଅନୁମାନ କରାଯାଉଛି। ଦ୍ବିତୀୟ ମ୍ୟାଚରେ ମହେନ୍ଦ୍ର ସିଂହ ଧୋନିଙ୍କ ନେତୃତ୍ବାଧିନ ଚେନ୍ନଇ ସୁପରକିଙ୍ଗସ୍‌ ୪ଟି ମ୍ୟାଚରୁ ଗୋଟିଏ ବିଜୟ ଓ ୩ଟି ପରାଜୟ ସହ ମାତ୍ର ୨ ପଏଣ୍ଟ ହାସଲ କରିଛି। ଦଳ ପ୍ରଥମ ମ୍ୟାଚରେ ବିଜୟୀ ହୋଇଥିବାବେଳେ ଲଗାତାର ହ୍ୟାଟ୍ରିକ୍‌ ପରାଜୟ ବରଣ କରିଛି। ବିଶେଷ କରି ଦଳ ଓପନିଂ ବ୍ୟାଟିଂକୁ ନେଇ ଚିନ୍ତାରେ ରହିଛି। ଫ୍ଲାଫ ଡୁପ୍ଲେସିକୁ ବାଦ୍ ଦେଲେ ଅନ୍ୟ କୌଣସି ଖେଳାଳି ସେଭଳି ପ୍ରଦର୍ଶନ କରିପାରୁନାହାନ୍ତି। ଲୋକେଶ ରାହୁଲଙ୍କ ନେତୃତ୍ବାଧିନ କିଙ୍ଗସ୍‌ ଏକାଦଶ ପଞ୍ଜାବ ମଧ୍ୟ ୪ଟି ମ୍ୟାଚ ଖେଳି ଗୋଟିଏ ବିଜୟ ଓ ୩ଟି ପରାଜୟ ସହ ୨ ପଏଣ୍ଟ ହାସଲ କରିଛି। ଦୁଇ ଭାରତୀୟ ଓପନର ରାହୁଲ ଓ ମୟଙ୍କ ଅଗ୍ରୱାଲ ଚମତ୍କାର ଫର୍ମରେ ଥିବାବେଳେ ଅନ୍ୟ କୌଣସି ଖେଳାଳିଙ୍କ ସେଭଳି ପ୍ରଦର୍ଶନ ଦେଖିବାକୁ ମିଳୁନାହିଁ।

Comments are closed.