ଚଳିତ ଆଇପିଏଲରେ ଛକା ବର୍ଷା

ଦୁବାଇ : ପୂର୍ବରୁ ଆଇପିଏଲ୍ର ୧୨ଟି ସଂସ୍କରଣ ଖେଳା ଯାଇଥିବା ବେଳେ ଆରମ୍ଭରୁ ଏତେ ସଂଖ୍ୟକ ଛକା ଦେଖିବାକୁ ମିଳିନଥିଲା। ହେଲେ ଏଥରର ଆଇପିଏଲ୍ ୟୁଏଇରେ ଖେଳା ଯାଉଥିବା ବେଳେ ଆରମ୍ଭରୁ ଛକାର ବର୍ଷା ଦେଖିବାକୁ ମିଳିଛି। ମଙ୍ଗଳବାର ସୁଦ୍ଧା ଆଇପିଏଲ୍-୧୩ରେ ୧୦ଟି ମ୍ୟାଚ୍ ଖେଳାଯାଇଛି। ଏହି ୧୦ଟି ମ୍ୟାଚ୍ରେ ଅଦ୍ୟାବଧି ୧୫୩ଟି ଛକା ଦେଖିବାକୁ ମିଳିଛି। ମ୍ୟାଚ୍ ପିଛା ଛକାର ଆଭ୍ରେଜ୍ ହେଉଛି ୧୫.୩। ୟୁଏଇରେ ମାତ୍ର ୩ଟି ଷ୍ଟାଡିୟମ୍ରେ ମ୍ୟାଚ୍ ଖେଳାଯାଉଛି। ଫଳରେ ପିଚ୍ ସହ ଖାପ୍ ଖୁଆଇବାକୁ ବ୍ୟାଟ୍ସମ୍ୟାନ୍ଙ୍କୁ ବେଶି ସମୟ ଲାଗିନାହିଁ। ଫଳରେ ଏତେ ସଂଖ୍ୟକ ଛକା ଦେଖିବାକୁ ମିଳିଛି। ବ୍ୟାଟ୍ସମ୍ୟାନ ଯେତେ ଅଧିକ ୟୁଏଇର ଏହି ୩ଟି ପିଚ୍ ସହ ନିଜକୁ ଖାପ୍ ଖୁଆଇବେ; ଆଗକୁ ଆହୁରି ଅଧିକ ଛକା ଦେଖିବାକୁ ମିଳିବ ବୋଲି କ୍ରିକେଟ୍ ବିଶେଷଜ୍ଞ ଭବିଷ୍ୟବାଣୀ କରିଛନ୍ତି।
ଏହାସହ ଗ୍ରାଉଣ୍ଡ ଅନୁସାରେ ଛକାର ସଂଖ୍ୟା କମ୍ ବା ବେଶି ମରାଯିବା ଦେଖିବାକୁ ମିଳିଛି। ଶାରଜା ଷ୍ଟାଡିୟମ୍ ଆକାରରେ ଆବୁଧାବି ଓ ଦୁବାଇ ଷ୍ଟାଡିୟମ୍ଠାରୁ ସାନ ଏବଂ ଶାରଜାର ପିଚ୍ ବ୍ୟାଟିଂ ପାଇଁ ଅଧିକ ସହାୟକ। ଫଳରେ ଶାରଜାରେ ଅଦ୍ୟାବଧି ୨ଟି ମ୍ୟାଚ୍ ଖେଳା ଯାଇଥିବା ବେଳେ ୬୨ଟି ଛକା ଦେଖିବାକୁ ମିଳିଛି। ଶାରଜାରେ ଏହି ୨ଟି ମ୍ୟାଚ୍ ରାଜସ୍ଥାନ ରୟାଲ୍ସ ଓ ଚେନ୍ନଇ ସୁପର କିଙ୍ଗ୍ସ (୩୩ଟି ଛକା) ଏବଂ ରାଜସ୍ଥାନ ରୟାଲ୍ସ ଓ କିଙ୍ଗ୍ସ ଏକାଦଶ ପଞ୍ଜାବ (୨୯ଟି ଛକା) ମଧ୍ୟରେ ଖେଳା ଯାଇଥିଲା। ଅନ୍ୟପକ୍ଷରେ ଆବୁଧାବି ଓ ଦୁବାଇ ଷ୍ଟାଡିୟମ୍ରେ ୮ଟି ମ୍ୟାଚ୍ ଖେଳା ଯାଇଥିବା ବେଳେ ୯୧ଟି ଛକା ଦେଖିବାକୁ ମିଳିଛି। ଶାରଜା ଷ୍ଟାଡିୟମ୍କୁ ଛାଡ଼ି ଦୁବାଇରେ ମଙ୍ଗଳବାର ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ ମୁମ୍ବଇ ଇଣ୍ଡିଆନ୍ସ ମଧ୍ୟରେ ମ୍ୟାଚ୍ରେ ୨୬ଟି ଛକା ଦେଖିବାକୁ ମିଳିଛି। ଅଦ୍ୟାବଧି ଦୁବାଇରେ ୫ଟି ମ୍ୟାଚ୍ ଖେଳା ଯାଇଥିବା ବେଳେ ୫୮ଟି ଛକା ମରାଯାଇଛି। ଏଠାରେ ମ୍ୟାଚ୍ ପିଛା ଛକାର ହାର ୧୧.୬। ପୁଣି ଆବୁଧାବିରେ ଅଦ୍ୟାବଧି ୩ଟି ମ୍ୟାଚ୍ ଖେଳା ଯାଇଥିବା ବେଳେ ୩୩ଟି ଛକା ଦେଖିବାକୁ ମିଳିଛି। ଏଠାରେ ମ୍ୟାଚ୍ ପ୍ରତି ଛକା ସଂଖ୍ୟାର ଆଭ୍ରେଜ ହେଉଛି ୧୧। ଆଗକୁ ଏହି ସଂଖ୍ୟା ବଢ଼ିଲେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ ବୋଲି କ୍ରିକେଟ୍ ବିଶେଷଜ୍ଞ ମତ ଦେଇଛନ୍ତି।