ହୋଟେଲ ଛାତରେ ଆଇପିଏଲ ପାର୍ଟି : ପ୍ରଶାସନ ବେଖବର

ସମ୍ବଲପୁର : ସମ୍ବଲପୁରରେ ଦିନକୁ ଦିନ କରୋନା ବିକଟାଳ ରୂପ ଧାରଣ କରୁଥିବାବେଳେ ଧିରେ ଧିରେ ମୃତ୍ୟୁ ହାର ମଧ୍ୟ ବୃଦ୍ଧି ପାଉଛି। ଏଭଳି ସ୍ଥଳରେ ହୋଟେଲ ଖୋଲିବା, ଜନ ସମାବେଶ ଆଦି ବିଭିନ୍ନ କାର୍ଯ୍ୟକ୍ରମ ଉପରେ ବ୍ୟାପକ କଟକଣା ସରକାରଙ୍କ ତରଫରୁ ଜାରି ରହିଛି। ଇତି ମଧ୍ୟରେ ଶନିବାରରୁ ଆଇପିଏଲ କ୍ରିକେଟ ମ୍ୟାଚ ଆରମ୍ଭ ହୋଇଯାଇଛି। ଏଣୁ କ୍ରିକେଟ ପ୍ରେମୀମାନଙ୍କ ପାଇଁ ସମ୍ବଲପୁରର କିଛି ବଡ ହୋଟେଲଗୁଡିକରେ ବଡ ପରଦା ଲଗାଇ ମୌଜମସ୍ତିର ବ୍ୟବସ୍ଥା କରାଯାଇଥିବା ଜଣାପଡିଛି। ସମ୍ବଲପୁରର ତାରକା ହୋଟେଲ ଗ୍ରାଣ୍ଡ ଶିବା ଓ ହୋଟେଲ ଶିଲା ଟାୱାରଠାରେ ବଡ଼ ପରଦାରେ କ୍ରିକେଟ ମ୍ୟାଚର ଲାଇଭ ସହିତ ଖାଦ୍ୟପେୟର ବ୍ୟବସ୍ଥା ମଧ୍ୟ କରାଯାଇଛି। ଏଥିପାଇଁ ସାମାଜିକ ଗଣମାଧ୍ୟମଗୁଡିକ ଜରିଆରେ ବ୍ୟାପକ ପ୍ରଚାର ପ୍ରସାର କରାଯାଇ ଗ୍ରାହକ ଠିକ୍ ମଧ୍ୟ କରାଯାଇଛି। ତେବେ ଆର୍ଶ୍ଚର୍ଯ୍ୟର ବିଷୟ ଯେ, ଏହି ସମାବେଶ କାର୍ଯ୍ୟକ୍ରମର ଆୟୋଜନ ପାଇଁ କୌଣସି ହୋଟେଲ ପୁଲିସ କିମ୍ବା ଜିଲା ପ୍ରଶାସନ ନିକଟରୁ କୌଣସି ଅନୁମତି ନେଇ ନାହାନ୍ତି। ଏହା ସହିତ ହୋଟେଲ ଗ୍ରାଣ୍ଡ ଶିବାର ଫେସବୁକ୍ ପେଜରେ ମଧ୍ୟ ଚାଲିଥିବା କାର୍ଯ୍ୟକ୍ରମକୁ ଲାଇଭ୍ କରାଯାଇଛି ଏବଂ ଏଥି ପାଇଁ ବିଜ୍ଞାପନ ପୋଷ୍ଟର ମଧ୍ୟ ଦିଆଯାଇଛି। ପୋଷ୍ଟରୁ ସ୍ପଷ୍ଟ ଜଣାପଡୁଛି ଯେ ମଦ ସହିତ ଖାଦ୍ୟପେୟର ମଧ୍ୟ ଏହି ରୁଫ୍ ଟଫ୍ ଆଇପିଏଲ ମ୍ୟାଚ ପ୍ରଦର୍ଶନ କାର୍ଯ୍ୟକ୍ରମରେ ବ୍ୟବସ୍ଥା କରାଯାଇଛି। ଏ ସର୍ମ୍ପକରେ ଅଇଁଠାପାଲି ଥାନାଧିକାରୀଙ୍କୁ ପଚରାଯିବାରୁ ହୋଟେଲ ଗ୍ରାଣ୍ଡ ଶିବା ତରଫରୁ କୌଣସି ପ୍ରକାରର ଅନୁମତି ପାଇଁ ଆବେଦନ କିମ୍ବା ମୌଖିକ ଅନୁରୋଧ ଆସି ନାହିଁ ବୋଲି କହିଛନ୍ତି। ତେବେ ଖବର ବ୍ୟାପିବାରୁ ସାମାଜିକ ଗଣମାଧ୍ୟମରୁ ପୋଷ୍ଟ ଗୁଡିକୁ ଡିଲିଟ କରି ଦିଆଯାଇଛି।

ଏ ସର୍ମ୍ପକରେ ହୋଟେଲ ମାଲିକ ଶିବ ପ୍ରସାଦଙ୍କୁ ପଚରାଯିବାରୁ ସେ କଥାକୁ ଏଡାଇବା ପାଇଁ ଚେଷ୍ଟା କରି ବିଭିନ୍ନ ପ୍ରକାରର ବିଷୟ କହିବା ପରେ ରବିବାର ଜିଲା ପ୍ରଶାସନକୁ ଅନୁମତି ମାଗିବେ ବୋଲି କହିଛନ୍ତି। ବହୁ ଦିନରୁ ହୋଟେଲ ବନ୍ଦ ରହିଥିବାବେଳେ ଆଇପିଏଲ ପାଇଁ ଏଭଳି ବିଚାର କରି ସମସ୍ତ ପ୍ରାକ୍ ପ୍ରସ୍ତୁତି କରାଯାଇଛି ବୋଲି ସ୍ୱିକାର କରିଛନ୍ତି। ଗ୍ରାହକ ରେସ୍ପନ୍ସକୁ ଦେଖି ଆଗକୁ ନିଷ୍ପତ୍ତି ନିଆଯିବ ବୋଲି ଶିବ ପ୍ରସାଦ କହିଛନ୍ତି।

ସେହିଭଳି ବୀର ସୁରେନ୍ଦ୍ର ସାଏ ମାର୍ଗଠାରେ ରହିଥିବା ହୋଟେଲ ଶିଲା ଟାୱାରଠାରେ ମଧ୍ୟ ଏଭଳି ମ୍ୟାଚ୍ ପ୍ରଦର୍ଶନ କରାଯିବାର ବ୍ୟବସ୍ଥା କରାଯାଇଥିବା ଜଣାପଡିଛି। ଏ ସର୍ମ୍ପକରେ ହୋଟେଲ ମାଲିକଙ୍କ ସହିତ ଯୋଗାଯୋଗ କରାଯାଇ ପାରି ନ ଥିବାରୁ ତାଙ୍କର ପ୍ରତିକ୍ରିୟା ଜଣାପଡି ନାହିଁ। ଅନ୍ୟ ପଟରେ ଧନୁପାଲି ଥାନାଧିକାରୀ ଏ ସର୍ମ୍ପକରେ ସେ ମଧ୍ୟ ଖବର ପାଇଛନ୍ତି, କିନ୍ତୁ କୌଣସି ଅଭିଯୋଗ ହୋଇ ନାହିଁ କି ସେଭଳି କିଛି ପ୍ରମାଣ ମଧ୍ୟ ମିଳି ନାହିଁ ବୋଲି କହିଛନ୍ତି। ସନ୍ଧ୍ୟାରେ ପାଟ୍ରୋଲିଂ ଗାଡି ମଧ୍ୟ ଯାଞ୍ଚ କରି ସେହି ଅଞ୍ଚଳକୁ ଯାଇଥିବା ବେଳେ ସେଭଳି କିଛି ଜଣାପଡି ନ ଥିଲା। ତେବେ ଏ ନେଇ ରବିବାର ହୋଟେଲ କତ୍ତୃପକ୍ଷଙ୍କୁ ତାଗିଦ କରାଯିବ ବୋଲି ଥାନାଧିକାରୀ କମଳ କୁମାର ପଣ୍ଡା କହିଛନ୍ତି।

ଏ ବାବଦରେ ମହାନଗର ନିଗମ କମିଶନରଙ୍କୁ ପଚରାଯିବାରୁ ସେ ମଧ୍ୟ କୌଣସି ପ୍ରକାରର ଅନୁମତି କୌଣସି ହୋଟେଲ କତ୍ତୃପକ୍ଷ ମାଗି ନାହାନ୍ତି ବୋଲି କହିଛନ୍ତି। ତେବେ ଏତେ ବଡ ବଡ ହୋଟେଲଗୁଡିକ କରୋନା ଭଳି ସଙ୍କଟ ସମୟରେ ବ୍ୟବସାୟକୁ ପ୍ରାଥମିକତା ଦେଇ ସରକାରୀ ନିୟମକୁ ଖୋଲାଖୋଲି ଉଲ୍ଲଂଘନ କରୁଥିବାବେଳେ ପ୍ରଶାସନକୁ ଜଣା ନ ପଡିବା ଆର୍ଶ୍ଚର୍ଯ୍ୟଜନକ ବିଷୟ ଅଟେ। ଏବେ ଘଟଣାକୁ ନେଇ ସାମାଜିକ ଗଣମାଧ୍ୟମ ଗୁଡିକରେ ପ୍ରତିକ୍ରିୟା ଦେଖା ଯାଉଥିବାବେଳେ କିନ୍ତୁ ଦାୟିତ୍ୱବାନ ଅଧିକାରୀମାନେ ନିଜ ନିଜ ଉପରୁ ଅଠା ଛଡାଇବାରେ ବ୍ୟସ୍ତ। ଏବେ ସମ୍ବଲପୁରରେ କରୋନା ସ୍ଥିତି ବିଗଡୁଥିବାବେଳେ ଏଭଳି ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ ଦୃଷ୍ଟାନ୍ତ ମୂଳକ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସବୁ ମହଲରୁ ଦାବି ହେଉଛି।

Comments are closed.