ସୁପର ଓଭରରେ ପଞ୍ଜାବକୁ ହରାଇଲା ଦିଲ୍ଲୀ

ଦୁବାଇ : ଚଳିତ ଇଣ୍ଡିଆନ୍‍ ପ୍ରିମିୟର ଲିଗ୍‍ (ଆଇପିଏଲ୍‍)ର ୨ୟ ମ୍ୟାଚ୍‍ ସୁପର ଓଭରରେ ଫଇସଲା ହୋଇଛି। ସୁପର ଓଭରରେ ଜିତି ଦିଲ୍ଲୀ କ୍ୟାପିଟାଲ୍‍ସ ପୂରା ୨ ପଏଣ୍ଟ ପାଇଛି। କିଙ୍ଗ୍‍ସ ଏକାଦଶ ପଞ୍ଜାବ ଓ ଦିଲ୍ଲୀ କ୍ୟାପିଟାଲ୍‍ସ ମଧ୍ୟରେ ରବିବାର ଖେଳା ଯାଇଥିବା ଏହି ମ୍ୟାଚ୍‍ରେ ୨୦ ଓଭର ଶେଷରେ ଓଭୟ ଦଳ ୧୫୭ ରନ୍‍ ଲେଖାଏଁ କରିବାରୁ ଏହା ଟାଇ ରହିଥିଲା। ଫଳରେ ସୁପର ଓଭର ହୋଇଥିଲା। ମାର୍କସ ଷ୍ଟୋଇନିସ୍‍ଙ୍କ ବିସ୍ଫୋରକ ଇନିଂସ ବଳରେ ୧୭ ଓଭରରେ ମାତ୍ର ୧୦୦ ରନ୍‍ କରିଥିବା ଦିଲ୍ଲୀ ଶେଷ ୩ ଓଭରରୁ ୫୭ ରନ୍‍ ନେଇ ପାରିଥିଲା। ଦିଲ୍ଲୀ ୨୦ ଓଭର ଶେଷରେ ୮ ୱିକେଟରେ ୧୫୭ ରନ୍‍ କରି ପାରିଥିଲା। ପରେ ମୟଙ୍କ ଅଗ୍ରୱାଲଙ୍କ ବିସ୍ଫୋରକ ୮୯ ରନ୍‍ ବଳରେ କିଙ୍ଗ୍‍ସ ଏକାଦଶ ପଞ୍ଜାବ ମଧ୍ୟ ୮ ୱିକେଟରେ ୧୫୭ ରନ୍‍ କରି ପାରିଥିଲା। କାଗିସୋ ରାବାଡ଼ା ବୋଲିଂ କରିଥିବା ସୁପର ଓଭରରେ କିଙ୍ଗ୍‍ସ ଏକାଦଶ ପଞ୍ଜାବ ମାତ୍ର ୨ ରନ୍‍କରି କେ.ଏଲ୍‍. ରାହୁଲ ଓ ନିକୋଲାସ୍‍ ପୁରନ୍‍ଙ୍କ ୱିକେଟ ହରାଇଥିଲା। ୩ ରନ୍‍ର ବିଜୟ ଲକ୍ଷ୍ୟକୁ ଦିଲ୍ଲୀ କ୍ୟାପିଟାଲ୍‍ସ ୨ଟି ବଲ୍‍ରେ ହାସଲ କରି ନେଇଥିଲା।
ଟସ୍‍ ଜିତି କିଙ୍ଗ୍‍ସ ଏକାଦଶ ପଞ୍ଜାବ ଫିଲ୍‍ଡିଂ ନେଇଥିଲା। ଦିଲ୍ଲୀ କ୍ୟାପିଟାଲ୍‍ସ ମୂଳରୁ ଦୟନୀୟ ବ୍ୟାଟିଂ କରିଥିଲା। ୪ ଓଭରରେ ମାତ୍ର ୧୩ ରନ୍‍ ହୋଇଥିବା ବେଳେ ଦିଲ୍ଲୀ କ୍ୟାପିଟାଲ୍‍ସ ୩ ପ୍ରମୁଖ ବ୍ୟାଟ୍‍ସମ୍ୟାନଙ୍କୁ ହରାଇ ସାରିଥିଲା। ଭୁଲ୍‍ ବୁଝାମଣା ଯୋଗୁଁ ଦିଲ୍ଲୀର ଶିଖର ଧାୱନ୍‍ ବିନା ସ୍କୋର୍‍ରେ ରନ୍‍ଆଉଟ୍‍ ହୋଇଥିଲେ। ମହମ୍ମଦ ସାମି ବୋଲିଂ କରିଥିବା ୪ର୍ଥ ଓଭରରେ ଆଉ ୨ଟି ୱିକେଟ୍‍ ପଡ଼ିଥିଲା। ଯୁବ ଓପ୍‍ନର ପୃଥ୍ୱୀ ସ’ ୫ ଏବଂ ୱେଷ୍ଟଇଣ୍ଡିଜ୍‍ର ବାମହାତି ସିମ୍ରନ୍‍ ହେତ୍‍ମେୟର ୭ ରନ୍‍କରି ବିଦାୟ ନେଇଥିଲେ। ପରେ ଋଷଭ ପନ୍ତ୍‍ ଓ ଅଧିନାୟକ ଶ୍ରେୟାସ ଆୟର ଇନିଂସ ସଜାଡ଼ିବାର ପ୍ରୟାସ କରିଥିଲେ। ତେବେ ଲାଗଲାଗ ୨ଟି ବଲ୍‍ରେ ଦୁହେଁ ଆଉଟ ହୋଇ ଯାଇଥିଲେ। ୮ ଓଭରରେ ୩ ୱିକେଟରେ ମାତ୍ର ୩୨ ରନ୍‍ ହୋଇଥିବା ବେଳେ ପରବର୍ତ୍ତୀ ୬ ଓଭରରୁ ୫୪ ରନ୍‍ ହୋଇଥିଲା। ବାମହାତି ଋଷଭ ୨୯ ବଲ୍‍ରୁ ୪ଟି ଚୌକା ସହ ୩୧ ରନ୍‍ କରିଥିଲେ। କ୍ରିଜ୍‍ରେ ଜମିଯାଇ ଚମତ୍କାର ବ୍ୟାଟିଂ କରୁଥିବା ଶ୍ରେୟାସ ଆୟର ୩୨ ବଲ୍‍ରୁ ୩ଟି ଛକା ସହ ୩୯ ରନ୍‍ କରିଥିଲେ। ୮୭ ରନ୍‍ରେ ଦିଲ୍ଲୀ କ୍ୟାପିଟାଲ୍‍ସ ୫ଟି ୱିକେଟ୍‍ ହରାଇ ଦୟନୀୟ ସ୍ଥିତିରେ ଥିଲା। ଅକ୍ଷର ପଟେଲ ୬ ଓ ରବିଚନ୍ଦ୍ରନ ଅଶ୍ୱିନ ୪ ରନ୍‍ କରିଥିଲେ। ମାର୍କସ ଷ୍ଟୋଇନିସ୍‍ ଶେଷ ୩ ଓଭରରେ ବିସ୍ଫୋରକ ବ୍ୟାଟିଂକରି ମାତ୍ର ୨୧ ବଲ୍‍ରୁ ୩ଟି ଛକା ଓ ୭ଟି ଚୌକା ସହ ୫୩ ରନ୍‍ କରି ଇନିଂସର ଅନ୍ତିମ ବଲ୍‍ରେ ଆଉଟ ହୋଇଥିଲେ। କ୍ରିସ୍‍ ଜୋର୍ଡାନ୍‍ ବୋଲିଂ କରିଥିବା ଶେଷ ଓଭରରୁ ଷ୍ଟୋଇନିସ୍‍ ୩୦ ରନ୍‍ ନେଇଥିଲେ। ମହମ୍ମଦ ସାମି ୩ଟି ଓ ସେଲ୍‍ଡନ୍‍ କଟ୍ରେଲ୍‍ ୨ଟି ୱିକେଟ ନେଇଥିଲେ।
ଦିଲ୍ଲୀ କ୍ୟାପିଟାଲ୍‍ସ ପରି କିଙ୍ଗ୍‍ସ ଏକାଦଶ ପଞ୍ଜାବ ମଧ୍ୟ ବିପର୍ଯ୍ୟୟ ସହ ଇନିଂସ ଆରମ୍ଭ କରିଥିଲା। ଓପ୍‍ନିଂ ଯୋଡ଼ି ୩୦ ରନ୍‍ କରିବା ପରେ ୫ ରନ୍‍ରେ କିଙ୍ଗ୍‍ସ ଏକାଦଶ ୪ଟି ୱିକେଟ ହରାଇଥିଲା। ଅଧିନାୟକ କେ.ଏଲ୍‍. ରାହୁଲ ୧୯ ବଲ୍‍ରୁ ଗୋଟିଏ ଛକା ଓ ୨ଟି ଚୌକା ସହ ୨୧ ରନ୍‍ କରିଥିଲେ। ରବିଚନ୍ଦ୍ରନ୍‍ ଅଶ୍ୱିନ୍‍ ଗୋଟିଏ ଓଭରରେ କରୁଣ ନାୟର (୧) ଓ ନିକୋଲାସ୍‍ ପୁରନ୍‍ (୦)ଙ୍କୁ ଆଉଟ କରିଥିଲେ। ବେପରୁଆ ସଟ୍‍ ଖେଳି ଗ୍ଲେନ୍‍ ମ୍ୟାକ୍ସୱେଲ ୧ ରନ୍‍କରି ବିଦାୟ ନେଇଥିଲେ। ୩୫ ରନ୍‍ରେ ୪ଟି ୱିକେଟ ପଡ଼ିଯିବା ପରେ ସର୍ଫରାଜ ଖାଁ ୧୨ ରନ୍‍କରି ଆଉଟ ହୋଇଥିଲେ। ୧୦ ଓଭରରେ ପଞ୍ଜାବ ୫ ୱିକେଟରେ ୫୫ ରନ୍‍ କରିଥିଲା। ପରେ କର୍ଣ୍ଣାଟକର ଦୁଇ ବ୍ୟାଟ୍‍ସମ୍ୟାନ୍‍ ମୟଙ୍କ ଅଗ୍ରୱାଲ ଓ କୃଷ୍ଣପ୍ପା ଗୌତମ ୪୬ ରନ୍‍ ଯୋଡ଼ିଥିଲେ। ଗୌତମ ୧୪ ବଲ୍‍ରୁ ୨୦ ରନ୍‍ କରି ଆଉଟ୍‍ ହୋଇଥିଲେ। ଶେଷ ୪ ଓଭରରୁ ୫୩ ରନ୍‍ ଆବଶ୍ୟକ ଥିବା ବେଳେ ମୟଙ୍କ ଆକ୍ରମଣ କରିଥିଲେ। ଶେଷ ଓଭରରୁ ୧୨ ଏବଂ ଶେଷ ୨ଟି ବଲ୍‍ରୁ ପଞ୍ଜାବ ୧ ରନ୍‍ ଆବଶ୍ୟକ କରୁଥିଲା। ତେବେ ତେବେ ୫ମ ବଲ୍‍ରେ ମୟଙ୍କ ଅଗ୍ରୱାଲ ଓ ଶେଷ ବଲ୍‍ରେ କ୍ରିସ୍‍ ଜୋର୍ଡାନ୍‍ ଆଉଟ୍‍ ହୋଇଯିବାରୁ ମ୍ୟାଚ୍‍ ଟାଇ ରହିଥିଲା। ମୟଙ୍କ ୬୦ ବଲ୍‍ରୁ ୪ଟି ଛକା ଓ ୭ଟି ଚୌକା ସହ ୮୯ ରନ୍‍ କରିଥିଲେ। କାଗିସୋ ରାବାଡ଼ା, ଆର୍‍. ଅଶ୍ୱିନ ଓ ଷ୍ଟୋଇନିସ୍‍ ୨ଟି ଲେଖାଏଁ ୱିକେଟ ନେଇଥିଲେ।

Comments are closed.