ରୋହିତ, ସୌରଭ ତିୱାରୀଙ୍କ ଫିଟ୍‌ନେସକୁ ନେଇ ଚର୍ଚ୍ଚା

ଦୁବାଇ : ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ) ଆରମ୍ଭ ହୋଇଯାଇଛି। ବହୁ ପ୍ରତୀକ୍ଷା ପରେ ଭାରତୀୟ କ୍ରିକେଟରମାନେ କ୍ରିକେଟ ପଡ଼ିଆକୁ ଫେରିଛନ୍ତି। ବିଶେଷ କରି କରୋନା ମହାମାରୀ ଲକ୍‌ଡାଉନ୍‌ ପାଇଁ ଅଭ୍ୟାସ ଓ ଫିଟ୍‌ନେସଠାରୁ ଦୂରରେ ଥିବା କ୍ରିକେଟରମାନଙ୍କ ଫିଟ୍‌ନେସକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି। ୬ମାସ ପରେ କ୍ରିକେଟ ପଡ଼ିଆକୁ ଫେରିଥିବା ମୁମ୍ବଇ ଇଣ୍ଡିଆନ୍ସର ଓପନର ତଥା ଅଧିନାୟକ ରୋହିତ ଶର୍ମା ଓ ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ ସୌରଭ ତିୱାରୀଙ୍କ ଫିଟ୍‌ନେସକୁ ନେଇ ସାମାଜିକ ଗଣମାଧ୍ୟମରେ ଚର୍ଚ୍ଚା ଆରମ୍ଭ ହୋଇଛି। ଲକ୍‌ଡାଉନ୍‌ ପାଇଁ ଖେଳାଳିମାନେ ଖେଳଠାରୁ ଦୂରରେ ରହିଥିବାରୁ ଫିଟ୍‌ନେସ ପ୍ରତି ବିଶେଷ ଧ୍ୟାନ ଦେଉନଥିବା ଭଳି ମନେ କରାଯାଉଛି। ଭାରତୀୟ ହକି ଦଳର ପୂର୍ବତନ ଅଧିନାୟକ ବିରେନ୍ ରସ୍କିନା କହିଛନ୍ତି ଯେ , ଶନିବାର ମୁମ୍ବଇ ଇଣ୍ଡିଆନ୍ସ ଓ ଚେନ୍ନଇ ସୁପରକିଙ୍ଗସ୍‌ ଆଇପିଏଲ ମ୍ୟାଚ ଗଲି କ୍ରିକେଟ ଭଳି ଲାଗୁଥିଲା। ଖେଳାଳିମାନଙ୍କ ଏଭଳି ଫିଟ୍‌ନେସ କ୍ରିକେଟରେ ପୂର୍ବରୁ କେବେ ଦେଖିବାକୁ ମିଳିନଥିଲା। ଯାହା ଆଇପିଏଲର ଚଳିତ ସଂସ୍କରଣ ଉଦ୍‌ଘାଟନୀ ମ୍ୟାଚରେ ଦେଖିବାକୁ ମିଳିଛି। ସୌରଭ ଓ ରୋହିତ ଅଧିକ ମୋଟା ହୋଇଯାଇଥିବାର ଦେଖିବାକୁ ମିଳିଛି। ଯାହା ଲକ୍‌ଡାଉନ ପାଇଁ ବୋଲି ଭାଷ୍ୟକାର ହର୍ସ ଭୋଗ୍‌ଲେ କହିଛନ୍ତି। ଲିସା ସାତଲକର ମଧ୍ୟ ସୌରଭ ଓ ରୋହିତଙ୍କ ଅତ୍ୟଧିକ ମୋଟାପଣକୁ ନାପସନ୍ଦ କରିଛନ୍ତି। ଯାହା କ୍ରିକେଟରେ ଆଦୌ ଗ୍ରହଣୀୟ ନୁହେଁ ବୋଲି ଲିସା କହିଛନ୍ତି।

Comments are closed.