ବିନା ଦର୍ଶକ ଓ ଚିଅରଗାର୍ଲରେ ଚମକ ହରାଇବ ଆଇପିଏଲ୍‍?

ନୂଆଦିଲ୍ଲୀ : ଇଣ୍ଡିଆନ୍‍ ପ୍ରିମିୟର ଲିଗ୍‍ (ଆଇପିଏଲ୍‍) କେବଳ ଏକ କ୍ରିକେଟ୍‍ ଟୁର୍ଣ୍ଣାମେଣ୍ଟ ନୁହେଁ। ଏହା ମନୋରଞ୍ଜନର ସମ୍ପୂର୍ଣ୍ଣ ପ୍ୟାକେଜ୍‍। ଗ୍ୟାଲେରୀରେ ଝୁମୁଥିବା ରଙ୍ଗୀନ୍‍ ଦର୍ଶକଙ୍କ ସହ ଚମକ, ନୃତ୍ୟ, ଗୀତ ଓ ଗ୍ଲାମର୍‍ ଆଇପିଏଲ୍‍ର ଅଭିନ୍ନ ଅଙ୍ଗ ପାଲଟି ଯାଇଛି। କ୍ରିକେଟ୍‍ ସହ ଏସବୁର ସମ୍ମିଶ୍ରଣ ଆଇପିଏଲ୍‍କୁ ଆଜି ବିଶ୍ୱର ସବୁଠାରୁ ଲୋକପ୍ରିୟ ଓ ଧନଶାଳୀ କ୍ରିକେଟ୍‍ ଲିଗ୍‍ର ମର୍ଯ୍ୟାଦା ଦେଇଛି। ତେବେ ଆସନ୍ତା ୧୯ରୁ ୟୁଏଇରେ ଆରମ୍ଭ ହେଉଥିବା ଆଇପିଏଲ୍‍ର ୧୩ଶ ସଂସ୍କରଣ କେବଳ ଏକ କ୍ରିକେଟ୍‍ ଟୁର୍ଣ୍ଣାମେଣ୍ଟ ହେବାକୁ ଯାଉଛି। ଏଥିରେ ଟ୍ୱେଣ୍ଟି୨୦ କ୍ରିକେଟ୍‍ର ରୋମାଞ୍ଚ ରହିବ ସତ; ଗ୍ଲାମର ରହିବ ନାହିଁ। ଗ୍ୟାଲେରୀକୁ ଦର୍ଶକ ଆସିବେ ନାହିଁ; ଚିଅରଗାର୍ଲଙ୍କୁ ମଧ୍ୟ ଦେଖିବାକୁ ମିଳିବନାହିଁ। ପ୍ରକୃତରେ ସାରାବିଶ୍ୱକୁ କବଳିତ କରିଥିବା ମହାମାରୀ କରୋନା ଭୂତାଣୁ ଆଇପିଏଲ୍‍ରୁ ଚମକ ଓ ଗ୍ଲାମର ଛଡ଼ାଇ ନେଇଛି। ତେବେ କ୍ରିକେଟ୍‍ପ୍ରେମୀଙ୍କ ପାଇଁ ଏହା ଏକ ସାନ୍ତ୍ୱନା ଯେ ଟ୍ୱେଣ୍ଟି୨୦ ବିଶ୍ୱକପ୍‍ ପରି ଟୁର୍ଣ୍ଣାମେଣ୍ଟ କରୋନା ଯୋଗୁଁ ସ୍ଥଗିତ ହୋଇ ଯାଉଥିବା ବେଳେ ଆଇପିଏଲ୍‍ ଆୟୋଜନ ହେବା ବହୁତ ବଡ଼ କଥା।
ପ୍ରତିବର୍ଷ ମାର୍ଚ୍ଚ/ଏପ୍ରିଲରେ ଆଇପିଏଲ୍‍ ଆରମ୍ଭ ହୋଇଥାଏ। ତେବେ ଚଳିତବର୍ଷ ଭାରତରେ କରୋନା ସଂକ୍ରମଣର ମାତ୍ରା ବଢ଼ି ଚାଲିଥିବା ଦୃଷ୍ଟିରୁ ଏହି ଟୁର୍ଣ୍ଣାମେଣ୍ଟକୁ ୟୁଏଇକୁ ନିଆଯାଇଛି। ୟୁଏଇରେ ପହଞ୍ଚିବା ପରଠାରୁ ୮ଟିଯାକ ଫ୍ରାଞ୍ଚାଇଜି ଜୈବ ନିରାପତ୍ତା ବଳୟ ମଧ୍ୟରେ ରହିଛନ୍ତି। ତଥାପି ଚେନ୍ନଇ ସୁପର କିଙ୍ଗ୍‍ସ କରୋନା ସଂକ୍ରମଣରୁ ବର୍ତ୍ତି ପାରିନାହିଁ। ଆବୁଧାବିରେ ଗତବର୍ଷର ଦୁଇ ଫାଇନାଲିଷ୍ଟ ଚେନ୍ନଇ ସୁପର କିଙ୍ଗ୍‍ସ ଓ ମୁମ୍ବଇ ଇଣ୍ଡିଆନ୍‍ସ ମଧ୍ୟରେ ୧୯ରେ ଉଦ୍‍ଘାଟନୀ ମ୍ୟାଚ୍‍ ଖେଳାଯିବ। ଏଥର ଉଦ୍‍ଘାଟନୀ ଉତ୍ସବ ମଧ୍ୟ ଆୟୋଜନ ହେବନାହିଁ। ଫଳରେ ବଲିଉଡ୍‍ କଳାକାରଙ୍କ ନୃତ୍ୟ ସଂଗୀତ ଦେଖିବାରୁ କ୍ରିକେଟପ୍ରେମୀ ବଞ୍ଚିତ ହେବେ। ତେବେ ଟିଭି ଦର୍ଶକଙ୍କ ପାଇଁ ଆଇପିଏଲ୍‍ ଆୟୋଜନ ହେବାକୁ ଯାଉଛି। ଦର୍ଶକଙ୍କ ସୁବିଧା ପାଇଁ ଏଥର ମ୍ୟାଚ୍‍ର ସମୟରେ ପରିବର୍ତ୍ତନ କରାଯାଇଛି। ଅପରାହ୍‍ଣ ମ୍ୟାଚ୍‍ ୩.୩୦ରୁ ଏବଂ ସନ୍ଧ୍ୟା ମ୍ୟାଚ୍‍ ୭.୩୦ରୁ ଆରମ୍ଭହେବ। ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲିଙ୍କ କହିବା ଅନୁସାରେ ବିନା ଦର୍ଶକରେ ମ୍ୟାଚ୍‍ ଖେଳାଯିବା ଦ୍ୱାରା ଦର୍ଶକଙ୍କର ସେପରି କ୍ଷତି ହେବନାହିଁ। ହେଲେ ଖେଳାଳି ଦର୍ଶକଙ୍କ ଅନୁପସ୍ଥିତି ଅନୁଭବ କରିବେ। ହେଲେ ଆଇପିଏଲ୍‍ର ୨ୟ ପର୍ଯ୍ୟାୟରେ ଷ୍ଟାଡିୟମ୍‍କୁ ୩୦ ପ୍ରତିଶତ ଦର୍ଶକ ଛାଡ଼ିବାର ବ୍ୟବସ୍ଥା ଥିଲେ ହେଁ ଏହା ନିଶ୍ଚିତ ନୁହେଁ। ହେଲେ ସାରାବିଶ୍ୱର କ୍ରିକେଟ୍‍ପ୍ରେମୀଙ୍କ ପାଇଁ ଆଇପିଏଲ୍‍ ଏକ ଟନିକ୍‍ ପରି କାର୍ଯ୍ୟକରିବ। କାରଣ କରୋନା ସଂକ୍ରମଣ ଯୋଗୁଁ ମାର୍ଚ୍ଚରୁ ଅଦ୍ୟାବଧି ଇଂଲଣ୍ଡ ଛଡ଼ା ଅନ୍ୟ କୌଣସି ଦେଶରେ ଆନ୍ତର୍ଜାତିକ କ୍ରିକେଟ୍‍ ଖେଳା ଯାଇନାହିଁ। କ୍ୟାରିବିୟାନ୍‍ ପ୍ରିମିୟର ଲିଗ୍‍ ଖେଳା ଯାଇଥିଲେ ବି ଏହା ସେପରି ଲୋକପ୍ରିୟ ନୁହେଁ। ତେଣୁ ସାରାବିଶ୍ୱର କ୍ରିକେଟ୍‍ପ୍ରେମୀ ଆଇପିଏଲ୍‍କୁ ଅପେକ୍ଷା କରିଛନ୍ତି। ଅନ୍ୟ ବର୍ଷ ଅପେକ୍ଷା ଚଳିତବର୍ଷ ଆଇପିଏଲ୍‍ରେ ଟିଭି ଦର୍ଶକଙ୍କ ସଂଖ୍ୟାରେ ବୃଦ୍ଧିଘଟିବ ବୋଲି ବିସିସିଆଇ ଓ ପ୍ରସାରଣ ଅଧିକାର ପାଇଥିବା ଷ୍ଟାର୍‍ ସ୍ପୋର୍ଟସ ଆଶାରଖିଛି। ଗ୍ଲାମର ଅପେକ୍ଷା ଏହି ଆଇପିଏଲ୍‍କୁ ସୁରୁଖୁରୁରେ ସମାପ୍ତ କରିବାକୁ ଆୟୋଜକ ବ୍ୟସ୍ତ।

Comments are closed.