୨୦୨୧ ଆଇପିଏଲ୍‍ ପାଇଁ ମେଗା ନିଲାମ ସ୍ଥଗିତ

କଲକାତା : ୨୦୨୦ ପର୍ଯ୍ୟନ୍ତ ଇଣ୍ଡିଆନ୍‍ ପ୍ରିମିୟର ଲିଗ୍‍ (ଆଇପିଏଲ୍‍)ର ୮ଟିଯାକ ଫ୍ରାଞ୍ଚାଇଜି ସେମାନଙ୍କର ପ୍ରମୁଖ ଖେଳାଳିଙ୍କୁ ଦଳରେ ରଖିବାର ସୁବିଧା ପାଇଥିଲେ। ଦଳରେ ଅଳ୍ପ କିଛି ସ୍ଥାନ ପାଇଁ ୨୦୨୦ ଆଇପିଏଲ୍‍ ଲାଗି ଖେଳାଳି ନିଲାମ ହୋଇଥିଲା। ତେବେ ୨୦୨୧ ପୂର୍ବରୁ ୮ଟିଯାକ ଫ୍ରାଞ୍ଚାଇଜିଙ୍କୁ ମୂଳରୁ ଦଳ ଗଠନ କରିବାକୁ ପଡ଼ିବ। ତେଣୁ ଚଳିତବର୍ଷ ଡିସେମ୍ବର କିମ୍ବା ଆସନ୍ତାବର୍ଷ ଜାନୁୟାରୀରେ ୨୦୨୧ ଆଇପିଏଲ୍‍ ପାଇଁ ମେଗା ଖେଳାଳି ନିଲାମ ହେବାର ଯୋଜନା ଥିଲା। ଏଥିରେ ୮ଟିଯାକ ଫ୍ରାଞ୍ଚାଇଜି ସେମାନଙ୍କ ଦଳର ପୁନର୍ଗଠନ କରିଥାଆନ୍ତେ। ତେବେ ଦେଶରେ କୋଭିଡ୍‍-୧୯ ପରିସ୍ଥିତିକୁ ଦେଖି ଉପରୋକ୍ତ ମେଗା ନିଲାମ ପ୍ରକ୍ରିୟା ବିସିସିଆଇ ଆୟୋଜନ କରିବ ନାହିଁ ବୋଲି ଗଣମାଧ୍ୟମ ରିପୋର୍ଟରୁ ପ୍ରକାଶ।
ଗଣମାଧ୍ୟମର ରିପୋର୍ଟରୁ ପ୍ରକାଶ ଯେ ୮ଟିଯାକ ଫ୍ରାଞ୍ଚାଇଜି ୨୦୨୧ ଆଇପିଏଲ୍‍ରେ ମଧ୍ୟ ବର୍ତ୍ତମାନ ସେମାନଙ୍କ ପାଖରେ ଥିବା ଖେଳାଳିଙ୍କୁ ନେଇ ଖେଳିବେ। କେବଳ କୌଣସି ଖେଳାଳି ଆହତ ହେଲେ କିମ୍ବା କୌଣସି ଖେଳାଳି ଆଇପିଏଲ୍‍ ଖେଳିବାକୁ ନ ଚାହିଁଲେ; ସେମାନଙ୍କ ସ୍ଥାନରେ ନୂଆ ଖେଳାଳି ଦଳରେ ସାମିଲ ହୋଇପାରିବେ। ନଭେମ୍ବର ୧୦ରେ ଆଇପିଏଲ୍‍ର ୧୩ଶ ସଂସ୍କରଣ ସମାପ୍ତ ହେବ। ଏହାର ସାଢ଼େ ୪ ମାସ ପରେ ଆଇପିଏଲ୍‍ର ୧୪ଶ ସଂସ୍କରଣ ଆରମ୍ଭହେବ। ଚଳିତବର୍ଷ ଆଇପିଏଲ୍‍ରେ ୮ଟିଯାକ ଫ୍ରାଞ୍ଚାଇଜିଙ୍କୁ ଆର୍ଥିକ କ୍ଷତି ସହିବାକୁ ଥିବା ବେଳେ ଏହା ଭରଣା କରିବା ପାଇଁ ଆସନ୍ତା ବର୍ଷ ୫୦ରୁ ଅଧିକ ଦିନ ଆଇପିଏଲ୍‍ ଆୟୋଜନ ପାଇଁ ବିସିସିଆଇ ନିଷ୍ପତ୍ତି ନେଇଛି। ଫ୍ରାଞ୍ଚାଇଜିମାନେ ମଧ୍ୟ ବିସିସିଆଇ ସହ ଏକମତ ଯେ ଆସନ୍ତାବର୍ଷ ଲାଗି ନୂଆ ଦଳ ଗଢ଼ିବା ପାଇଁ ସେମାନଙ୍କ ପାଖରେ ସମୟ କମ୍‍ ଅଛି। କାରଣ ମେଗା ନିଲାମ ବା ସମ୍ପୂର୍ଣ୍ଣ ନୂଆ ଦଳ ଗଠନ ପ୍ରକ୍ରିୟା ପାଇଁ ବିଭିନ୍ନ ପ୍ରସଙ୍ଗକୁ ବିଚାର କରିବାକୁ ପଡ଼ିବ।
ପ୍ରଥମତଃ ଖେଳାଳି କିଣିବାକୁ ଏବେ ୮ଟିଯାକ ଫ୍ରାଞ୍ଚାଇଜିଙ୍କୁ ବାର୍ଷିକ ସର୍ବାଧିକ ୮୫ କୋଟି ଖର୍ଚ୍ଚ କରିବାକୁ ଅନୁମତି ଥିବା ବେଳେ ଏଥିରେ କେତେ ବୃଦ୍ଧି କରାଯିବ? ଦ୍ୱିତୀୟତଃ; ପୁଣିଥରେ ନିଲାମ ପାଇଁ ଭାରତୀୟ ଓ ବିଦେଶୀ ଖେଳାଳିଙ୍କ ସହ ଚୁକ୍ତିକରି ନିଲାମ ପାଇଁ ଖେଳାଳିଙ୍କ ତାଲିକା ପ୍ରସ୍ତୁତ କରିବା ପାଇଁ ବହୁତ ସମୟ ଆବଶ୍ୟକ।
ତୃତୀୟତଃ; ଖେଳାଳି ନିଲାମରେ ଭାଗନେଇ କେଉଁ ଖେଳାଳିଙ୍କୁ ସେମାନେ ନେବ; ତାହା ନିର୍ଦ୍ଧାରଣ କରିବା ପାଇଁ ଫ୍ରାଞ୍ଚାଇଜିମାନେ ୪ରୁ ୬ ମାସ ସମୟ ଆବଶ୍ୟକ କରନ୍ତି। ଶେଷରେ; ନୂଆ ଖେଳାଳି ଦଳରେ ସାମିଲ ହେବା ପରେ ଫ୍ରାଞ୍ଚାଇଜି ନୂଆ ପ୍ରାୟୋଜକ ଖୋଜିବା। ଏସୁବୁକି ବିଚାରକଲେ; ମେଗା ଖେଳାଳି ନିଲାମ ପାଇଁ ଯଥେଷ୍ଟ ସମୟ ନାହିଁ। ତେଣୁ ଆଇପିଏଲ୍‍ର ୨୦୨୧ ସଂସ୍କରଣର ସମାପ୍ତି ପରେ ମେଗା ନିଲାମ କଥା ବିଚାର କରାଯିବ।

Comments are closed.