ବାତିଲ ହେଲେ ବିପୁଳ କ୍ଷତି

ନୂଆଦିଲ୍ଲୀ : ବିସିସିଆଇ ଆନୁକୂଲ୍ୟରେ ଆୟୋଜିତ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)ର ଚଳିତ ସଂସ୍କରଣ ଯଦି ବାତିଲ ହୁଏ ତେବେ ପାଖାପାଖି ୫୦ କୋଟି ଡଲାର କ୍ଷତି ହେବ ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ବିସିସିଆଇ କୋଷାଧ୍ୟକ୍ଷ ଅରୁଣ ଧୁମଲ୍। ପ୍ରସାରଣକାରୀ ସଂସ୍ଥା ତରଫରୁ ମିଳିବାକୁ ଥିବା ଅର୍ଥ, ବିଜ୍ଞାପନ ଅର୍ଥ ଆଦି ବାବଦରେ ବିପୁଳ କ୍ଷତି ହେବ ବୋଲି ଜଣାପଡ଼ିଛି।
ସୂଚନାଥାଉକି ଆଇପିଏଲ୍ର ଚଳିତ ସଂସ୍କରଣ ଗତ ମାର୍ଚ୍ଚ ୨୯ରୁ ଆରମ୍ଭ ହେବାର ଥିଲା। ତେବେ କରୋନା ଭୂତାଣୁ ସଂକ୍ରମଣଜନିତ ପରିସ୍ଥିତିକୁ ଦୃଷ୍ଟିରେ ରଖି ଏହାକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ସ୍ଥଗିତ ରଖିଛି ବିସିସିଆଇ। କରୋନା ଭୂତାଣୁ ସଂକ୍ରମଣକୁ ପ୍ରତିହତ କରିବାକୁ କେନ୍ଦ୍ର ସରକାର ଲକ୍ଡାଉନ୍ ଘୋଷଣା କରିବା ସହ ବିଭିନ୍ନ କଟକଣା ଜାରି କରିଛନ୍ତି। ଏପରି ପରିସ୍ଥିତିରେ ଆଇପିଏଲ୍ ଆୟୋଜନ ହୋଇପାରିବ ନାହିଁ ବୋଲି କେତେକ ମହଲରେ ମତପ୍ରକାଶ ପାଇଛି। ଏ ସଂପର୍କରେ ନିଜ ପ୍ରତିକ୍ରିୟାରେ ଧୁମଲ୍ କହିଛନ୍ତି ଆଇପିଏଲ୍ରୁ ବିସିସିଆଇ ବେଶ୍ ଅର୍ଥ ରୋଜଗାର କରିଥାଏ। ତେବେ ଆଇପିଏଲ୍ର ଚଳିତ ସଂସ୍କରଣ ଯଦି ବାତିଲ ହୁଏ ତେବେ ବିସିସିଆଇ ପ୍ରଭୂତ କ୍ଷତି ସହିବ। ବର୍ତ୍ତମାନ ଯେପରି ପରିସ୍ଥିତି ରହିଛି ତାହାକୁ ଦୃଷ୍ଟିରେ ରଖି ଆଇପିଏଲ୍ କେବେ ଆୟୋଜିତ ହେବ ସେ ସଂପର୍କରେ କୌଣସି ସୂଚନା ଦିଆଯାଇ ପାରିବ ନାହିଁ ବୋଲି ଧୁମଲ୍ ମତ ଦେଇଛନ୍ତି।
ବିଶ୍ବବ୍ୟାପୀ କ୍ରୀଡ଼ା ପ୍ରତିଯୋଗିତା ବନ୍ଦ ରହିଥିବାରୁ ଖେଳାଳିମାନଙ୍କୁ ସେମାନଙ୍କ ବୋର୍ଡ/କ୍ଲବ କମ୍ ପାରିଶ୍ରମିକ ଦେଉଛନ୍ତି। ଇଂଲଣ୍ଡ କ୍ରିକେଟ୍ ବୋର୍ଡ ତରଫରୁ କ୍ରିକେଟର୍ଙ୍କ ପ୍ରାପ୍ୟ କମା ଯାଇଥିବା ବେଳେ ଅଷ୍ଟ୍ରେଲିଆ କ୍ରିକେଟ୍ ବୋର୍ଡ ତରଫରୁ ମଧ୍ୟ ଖେଳାଳିଙ୍କ ପ୍ରାପ୍ୟ କମାଇବାର ଯୋଜନା ଥିବା ଆଲୋଚନା ହେଉଛି। ସେହିପରି ଇଂଲିଶ୍ ପ୍ରିମିୟର ଲିଗ୍ ଫୁଟବଲ ଓ ସ୍ପେନ୍ ଫୁଟବଲ ଲିଗ୍ର ବିଭିନ୍ନ ଦଳ ସେମାନଙ୍କ ଖେଳାଳିଙ୍କ ପାଉଣା କମାଇ ଦେଇଛନ୍ତି। ତେବେ ବିସିସିଆଇ ସହ ଚୁକ୍ତି କରିଥିବା ଭାରତୀୟ କ୍ରିକେଟର୍ଙ୍କ ପ୍ରାପ୍ୟ କମାଇବାକୁ ବର୍ତ୍ତମାନ ଯୋଜନା ନାହିଁ ବୋଲି ଧୁମଲ୍ ସ୍ପଷ୍ଟ କରି ଦେଇଛନ୍ତି। ଯଦି ଆଇପିଏଲ୍ ବାତିଲ ହୁଏ ତେବେ ବିସିସିଆଇର କ୍ଷତି ପରିମାଣକୁ ଦୃଷ୍ଟିରେ ରଖି ଭବିଷ୍ୟତରେ କ୍ରିକେଟର୍ଙ୍କ ପ୍ରାପ୍ୟ ଉପରେ ଏହାର କ’ଣ ପ୍ରଭାବ ପଡ଼ିବ ସେ ସଂପର୍କରେ ଚିନ୍ତା କରାଯିବ ବୋଲି ଧୁମଲ୍ କହିଛନ୍ତି। ଅନ୍ୟପକ୍ଷରେ କ୍ରିକେଟର୍ଙ୍କ ସ୍ବାସ୍ଥ୍ୟ ସୁରକ୍ଷା ବିସିସିଆଇର ପ୍ରାଥମିକତା ହୋଇଥିବାରୁ ସେମାନଙ୍କ ସ୍ବାସ୍ଥ୍ୟ ଉପରେ କୁପ୍ରଭାବ ପକାଇବା ଭଳି କୌଣସି ପଦକ୍ଷେପ ନିଆଯିବ ନାହିଁ ବୋଲି ଧୁମଲ୍ ମତ ଦେଇଛନ୍ତି।