ମେ ୨୪ରେ ଆଇପିଏଲ୍‌ ୨୦୨୦ ଫାଇନାଲ୍‌

ନୂଆଦିଲ୍ଲୀ : ଇଣ୍ଡିଆନ୍ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୨୦୨୦ ସଂସ୍କରଣର ଫାଇନାଲ ମ୍ୟାଚ୍‌ ମେ ୨୪ରେ ଖେଳାଯିବ। ୨୦୨୦ ସଂସ୍କରଣର ଉଦ୍‌ଘାଟନୀ ମ୍ୟାଚ୍‌ ମାର୍ଚ୍ଚ ୨୯ରେ ମୁମ୍ବଇର ୱାଙ୍ଖଡେ ଷ୍ଟାଡ଼ିୟମରେ ଖେଳାଯିବ ବୋଲି ଜଣାପଡ଼ିଛି। ସେହିପରି ରାତି ମ୍ୟାଚ୍‌ ୮ଟା ପରିବର୍ତ୍ତେ ୭.୩୦ରୁ ଆରମ୍ଭ ହେବା ଏକପ୍ରକାର ନିଶ୍ଚିତ ବୋଲି ବିଶ୍ବସ୍ତ ସୂତ୍ରରୁ ଜଣାପଡ଼ିଛି।
୨୦୨୦ ସଂସ୍କରଣରେ ମୋଟ୍‌ ୫୭ଟି ମ୍ୟାଚ୍‌ ଖେଳାଯିବ। ଫଳରେ ଗୋଟିଏ ଦିନ ଦୁଇଟି ମ୍ୟାଚ୍‌ ଖେଳାଯିବା ଆଶା କମ୍‌ ଥିବା କୁହାଯାଉଛି। ତେବେ ଆଇପିଏଲ୍‌ର ସଂପୂର୍ଣ୍ଣ ଖେଳସୂଚୀ ପରବର୍ତ୍ତୀ ସମୟରେ ପ୍ରକାଶ ପାଇବ ବୋଲି ଜଣାପଡ଼ିଛି। ସନ୍ଧ୍ୟା ୭.୩୦ ମିନିଟ୍‌ରୁ ମ୍ୟାଚ୍‌ ଆରମ୍ଭ କରାଯିବା ସଂପର୍କରେ ଆଇପିଏଲ୍‌ ସହ ଜଡ଼ିତ ଜଣେ ପଦାଧିକାରୀ କହିଥିଲେ ମ୍ୟାଚ୍‌ ଶୀଘ୍ର ଆରମ୍ଭ ହେଉ ବୋଲି ପ୍ରସାରଣକାରୀ ସଂସ୍ଥା ଚାହୁଁଛି। ସେହିପରି ଗତ ସିଜିନ୍‌ରେ ଅନେକ ମ୍ୟାଚ୍‌ ବିଳମ୍ବିତ ରାତି ପର୍ଯ୍ୟନ୍ତ ଚାଲିଥିବାରୁ ୨୦୨୦ ସଂସ୍କରଣରେ ମ୍ୟାଚ୍‌ ୭.୩୦ ମିନିଟ୍‌ରେ ଆରମ୍ଭ କରାଯିବାକୁ ଏକପ୍ରକାର ନିଷ୍ପତ୍ତି ହୋଇଛି। ସେହିପରି ବିଳମ୍ବିତ ରାତିରେ ମ୍ୟାଚ୍‌ ଶେଷ ହେବା ପରେ ଦର୍ଶକମାନେ ଷ୍ଟାଡ଼ିୟମରୁ ଘରକୁ ଯିବାକୁ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ଅଧିକାରୀ ଜଣକ ମତ ଦେଇଛନ୍ତି। ଅନ୍ୟପକ୍ଷରେ ସନ୍ଧ୍ୟା ୭.୩୦ ମିନିଟ୍‌​‌େ​‌ର ମ୍ୟାଚ୍‌ ଆରମ୍ଭ କରାଯିବା ପ୍ରସଙ୍ଗକୁ କେତେକ ଫ୍ରାଞ୍ଚାଇଜ୍‌ ପସନ୍ଦ କରୁଥିବା ଜଣାପଡ଼ିଛି। ଦିଲ୍ଲୀ, ମୁମ୍ବଇ, ବାଙ୍ଗାଲୋର ପରି ମେଟ୍ରୋ ସହରରେ ସନ୍ଧ୍ୟା ସମୟରେ ଅଧିକ ଟ୍ରାଫିକ୍‌ ଜାମ୍‌ ରହୁଥିବାରୁ ଜଣେ ବ୍ୟକ୍ତି ୬ଟା ବେଳେ ଅଫିସରୁ ଘରକୁ ଫେରି ନିଜ ପରିବାର ସଦସ୍ୟଙ୍କୁ ନେଇ ଷ୍ଟାଡ଼ିୟମକୁ ଯାଇ ମ୍ୟାଚ୍‌ ଦେଖିବା କଷ୍ଟକର ବୋଲି କେତେକ ଫ୍ରାଞ୍ଚାଇଜ୍‌ ପକ୍ଷରୁ ଦର୍ଶାଯାଇଛି।

Comments are closed.