ଆଇପିଏଲ-୨୦୨୨, ନିଲାମ ତାଲିକାରେ ଓଡ଼ିଶାରୁ ୫ କ୍ରିକେଟର

କଟକ: ଆଇପିଏଲ୍‌ ଖେଳାଳି ନିଲାମ ତାଲିକାରେ ଓଡ଼ିଶାରୁ ୫ ଖେଳାଳି ସ୍ଥାନ ପାଇଛନ୍ତି। ସେମାନେ ହେଲେ ପେସ୍‌ ବୋଲର ରାଜେଶ ମହାନ୍ତି, ବାମହାତି ସ୍ପିନର ଜୟନ୍ତ ବେହେରା, ଅଫ୍‌ସ୍ପିନର ବିକାଶ ରାଉତ, ବ୍ୟାଟିଂ ଅଲରାଉଣ୍ଡର ଅଭିଷେକ ରାଉତ ଓ ବ୍ୟାଟ୍‌ସମ୍ୟାନ ଶୁଭ୍ରାଂଶୁ ସେନାପତି। ଅଭିଷେକ ପୂର୍ବରୁ ରାଜସ୍ଥାନ ରୟାଲ୍‌ସ ପକ୍ଷରୁ ଆଇପିଏଲ ଖେଳିଛନ୍ତି। ଚଳିତ ଋତୁରେ ଆନ୍ତଃରାଜ୍ୟ ଦିନିକିଆ ଟୁର୍ଣ୍ଣାମେଣ୍ଟ ବିଜୟ ହଜାରେ ଟ୍ରଫି ଏବଂ ଆନ୍ତଃରାଜ୍ୟ ଟ୍ବେଣ୍ଟି୨୦ ଟୁର୍ଣ୍ଣାମେଣ୍ଟ ସୟଦ ମୁସ୍ତାକ ଅଲୀ ଟ୍ରଫିରେ ଖେଳିଥିବା ସମସ୍ତ ଖେଳାଳିଙ୍କ ନାମ ଆଇପିଏଲ୍‌ ନିଲାମ ଲାଗି ଓଡ଼ିଶା କ୍ରିକେଟ୍‌ ଆସୋସିଏସନ୍ (ଓସିଏ) ସୁପାରିସ କରିଥିଲା। ତେବେ ୫ ଜଣଙ୍କୁ ବୋର୍ଡ ମନୋନୀତ କରିଛି।

ମୁସ୍ତାକ ଅଲୀ ଟ୍ରଫିରେ ଓଡ଼ିଶା ପକ୍ଷରୁ ଅଭିଷେକ ରାଉତ ସର୍ବାଧିକ ୧୭୧ ଓ ଶୁଭ୍ରାଂଶୁ ୨ୟ ସର୍ବାଧିକ ୧୩୮ ରନ୍‌ କରିଥିଲେ। ବିକାଶ ରାଉତ ସର୍ବାଧିକ ୭ଟି ଓ ଜୟନ୍ତ ବେହେରା ୨ୟ ସର୍ବାଧିକ ୬ଟି ୱିକେଟ ନେଇଥିଲେ। ରାଜେଶ ମହାନ୍ତି ଭାରତୀୟ ୧୯ ବର୍ଷରୁ କମ୍ ଦଳ ପାଇଁ ଖେଳିଛନ୍ତି। ଉକ୍ତ ପ୍ରଦର୍ଶନକୁ ଆଧାରକରି ଉପରୋକ୍ତ ୫ ଓଡ଼ିଆ କ୍ରିକେଟର ଆଇପିଏଲ୍‌ ନିଲାମ ତାଲିକାରେ ସାମିଲ ହୋଇଛନ୍ତି। ଆଇପିଏଲ୍‌ ନିଲାମ ଲାଗି ଏହି ୫ ଓଡ଼ିଆ ଖେଳାଳିଙ୍କୁ ଓସିଏ ସଭାପତି ପଙ୍କଜ ଲୋଚନ ମହାନ୍ତି ଓ ସମ୍ପାଦକ ସଞ୍ଜୟ ବେହେରା ଶୁଭକାମନା ଜଣାଇଛନ୍ତି।

Comments are closed.