ଆଇପିଏଲ-୨୦୨୨ : ନିଲାମ ଲାଗି ୧୨୧୪ ଖେଳାଳିଙ୍କ ନାମ ପଞ୍ଜୀକରଣ

୨୦୦ ଅନ୍ତର୍ଜାତୀୟ, ୬୨ ବିଦେଶୀ ଖେଳାଳି; ଅଧିକ ରହିପାରେ ଶ୍ରେୟାସ, ଚହଲ , ୱାର୍ଣ୍ଣରଙ୍କ ମୂଲ୍ୟ

ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୨୦୨୨ ସଂସ୍କରଣ ଲାଗି ମେଗା ଖେଳାଳି ନିଲାମ ଫେବୃଆରୀ ୧୨ ଓ ୧୩ରେ ବାଙ୍ଗାଲୋରରେ ଆୟୋଜିତ ହେବ। ଆଇପିଏଲ୍‌ ନିଲାମ ଲାଗି ମୋଟ ୧୨୧୪ ଖେଳାଳିଙ୍କ ନାମ ପଞ୍ଜୀକରଣ ହୋଇଛି। ସେମାନଙ୍କ ମଧ୍ୟରେ ୮୯୬ ଭାରତୀୟ ଓ ୩୧୮ ବିଦେଶୀ ଖେଳାଳି ରହିଛନ୍ତି। ସେଥିମଧ୍ୟରୁ ୩୨ ଭାରତୀୟ ଓ ୧୭ ବିଦେଶୀଙ୍କ ସମେତ ମୋଟ ୪୯ ଜଣ ଖେଳାଳିଙ୍କ ମୂୂଳ ନିଲାମ ମୂଲ୍ୟ ୨ କୋଟି ଟଙ୍କା ରହିଛି। ମୋଟ ୩୩ ଜଣ ଖେଳାଳିଙ୍କୁ ୧୦ଟି ଦଳ ରଖିଥିବା ବେଳେ ସେମାନେ ନିଲାମରେ ସାମିଲ ହେବେନାହିଁ। ପୁରୁଣା ୮ଟି ଫ୍ରାଞ୍ଚାଇଜି ମୋଟ ୨୭ ଜଣ ଖେଳାଳିଙ୍କୁ ରଖିଥିବା ବେଳେ ୨ଟି ନୂଆ ଦଳ ଅହମ୍ମଦାବାଦ ଓ ଲକ୍ଷ୍ନୌ ମୋଟ ୬ ଜଣ ଖେଳାଳିଙ୍କୁ ରଖିଛନ୍ତି।

ଚଳିତଥର ୧୦ଟି ଦଳ ଅଂଶଗ୍ରହଣ କରିବେ। ନୂତନ ଭାବେ ସାମିଲ ହୋଇଥିବା ଦୁଇଟି ଦଳ ଲକ୍ଷ୍ନୌର ଲୋକେଶ ରାହୁଲ ଓ ହାର୍ଦିକ ପାଣ୍ଡ୍ୟା ଅହମ୍ମଦାବାଦର ଅଧିନାୟକ ନିଯୁକ୍ତ ହୋଇଛନ୍ତି। ସେହିପରି ଯଶପ୍ରୀତ ବୁମ୍‌ରା, ରବୀନ୍ଦ୍ର ଜାଡେଜା, କେନ୍ ୱିଲିୟମସନ, ଜୋସ ବଟ୍‌ଲର, ଗ୍ଲେନ ମ୍ୟାକ୍ସୱେଲକୁ ନିଜନିଜର ଦଳ ରଖିଥିବାବେଳେ ବଡ ଖେଳାଳିମାନଙ୍କ ମଧ୍ୟରେ ବେନ୍‌ ଷ୍ଟୋକ୍‌ସ, ଜେଫ୍ରା ଆର୍ଚର, ମିଚେଲ ଷ୍ଟାର୍କ, ସାମ୍‌ କରନ ଓ କ୍ରିସ ଗେଲ୍‌ ପ୍ରମୁଖ ନିଲାମରୁ ଓହରି ଯାଇଛନ୍ତି। ଭାରତୀୟ ଖେଳାଳି ଶ୍ରେୟାସ ଆୟର, ୟୁଜବେନ୍ଦ୍ର ଚହଲ, ଶିଖର ଧାୱନ, ଈଶାନ୍ କିଷନ, ସାର୍ଦୁଳ ଠାକୁର, ଦୀପକ ଚହର, ଗତ ସଂସ୍କରଣର ସର୍ବାଧିକ ୱିକେଟ ହାସଲକାରୀ ହର୍ଷଲ ପଟେଲ, ଅାଭେଶ ଖାନ, ସ୍ପିନର ରାହୁଲ ଚହର ଓ ୱାଶିଂଟନ ସୁନ୍ଦର ପ୍ରମୁଖଙ୍କୁ ସେମାନଙ୍କ ଦଳ ଛାଡ଼ି ଦେଇଥିବାରୁ ସେମାନେ ମଧ୍ୟ ନିଲାମରେ ସାମିଲ ହେବେ।

ବିଦେଶୀ ଖେଳାଳିମାନଙ୍କ ମଧ୍ୟରେ ଅଷ୍ଟ୍ରେଲିଆର ଡେଭିଡ୍‌ ୱାର୍ଣ୍ଣର, ମିଚେଲ ମାର୍ଶ, ପ୍ୟାଟ୍‌ କମିନ୍‌ସ, ଦକ୍ଷିଣ ଆଫ୍ରିକାର କାଗିସୋ ରାବଡା, ଫାଫ୍‌ ଡୁ ପ୍ଲେସି, ଇଂଲଣ୍ଡର ମାର୍କ ଉଡ୍‌, ନ୍ୟୁଜିଲାଣ୍ଡର ଟ୍ରେଣ୍ଟ ବୋଲ୍‌ଟ ଓ ୱେଷ୍ଟଇଣ୍ଡିଜ୍‌ର ଡାରେନ ବ୍ରାଭୋଙ୍କୁ ସେମାନଙ୍କ ପୂର୍ବ ଦଳ ଛାଡ଼ି ଦେଇଥିବାରୁ ସେମାନେ ନିଲାମରେ ସାମିଲ ହେବେ ଏବଂ ସେମାନଙ୍କୁ କିଣିବା ପାଇଁ ବେଶ୍‌ ପ୍ରତିଦ୍ବନ୍ଦ୍ବିତା ହେବ। ଭାରତୀୟ ବ୍ୟାଟ୍‌ସମ୍ୟାନ ଶ୍ରେୟାସ ଆୟର, ସ୍ପିନର ଯୁଜୁବେନ୍ଦ୍ର ଚହଲ୍‌. ଆର୍‌. ଅଶ୍ବିନ ଓ ଅଷ୍ଟ୍ରେଲିଆ ଓପନର ଡେଭିଡ୍‌ ୱାର୍ଣ୍ଣର ନିଲାମରେ ଅଧିକ ମୂଲ୍ୟରେ ବିକ୍ରିହେବା ନେଇ ଆଶା କରାଯାଉଛି। ବିଦେଶୀଙ୍କ ମଧ୍ୟରେ ଅଷ୍ଟ୍ରେଲିଆର ସର୍ବାଧିକ ୫୯ ଓ ଦକ୍ଷିଣ ଆଫ୍ରିକାର ୪୮, ୱେଷ୍ଟଇଣ୍ଡିଜ୍‌ର ୪୧, ଶ୍ରୀଲଙ୍କାର ୩୬, ଇଂଲଣ୍ଡର ୩୦, ନ୍ୟୁଜିଲାଣ୍ଡର ୨୯, ଆଫଗାନିସ୍ତାନର ୨୦ ଖେଳାଳି ରହିଛନ୍ତି। ନିଲାମରେ ଖେଳାଳି କିଣିବା ଲାଗି ପଞ୍ଜାବ କିଙ୍ଗ୍‌ସ ୭୨, ସନରାଇଜର୍ସ ହାଇଦରାବାଦ୍‌ ୬୮, ରାଜସ୍ଥାନ ରୟାଲ୍‌ସ ୬୨, ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ୫୭, ମୁମ୍ବଇ ଇଣ୍ଡିଆନ୍‌ ୪୮, ଚେନ୍ନଇ ସୁପରକିଙ୍ଗ୍‌ସ ୪୮, କଲକାତା ନାଇଟ୍‌ ରାଇଡର୍ସ ୪୮, ଦିଲ୍ଲୀ କ୍ୟାପିଟାଲ୍‌ସ ୪୭.୫୦, ଲକ୍ଷ୍ନୌ ୬୦ ଓ ଅହମ୍ମଦାବାଦ୍‌ ୫୩ କୋଟି ଟଙ୍କା ଧରି ବସିଛନ୍ତି।

Comments are closed.