ପଞ୍ଜାବକୁ ହରାଇ ପଏଣ୍ଟ ଖାତା ଖୋଲିଲା ସନରାଇଜର୍ସ

ଚେନ୍ନଇ: ଚଳିତ ଆଇପିଏଲର ୪ର୍ଥ ମ୍ୟାଚରେ ପ୍ରଥମ ବିଜୟର ସ୍ବାଦ ଚାଖିପାରିଛି ପୂର୍ବତନ ଚମ୍ପିଆନ୍ ସନରାଇଜର୍ସ ହାଇଦରାବାଦ। ବୁଧବାର ଅପରାହ୍ଣରେ ଖେଳା ଯାଇଥିବା ମ୍ୟାଚରେ ପଞ୍ଜାବ କିଙ୍ଗ୍ସକୁ ୯ ୱିକେଟରେ ସନରାଇଜର୍ସ ପରାସ୍ତ କରିଛି। ସନରାଇଜର୍ସ ବୋଲରଙ୍କ ଚମତ୍କାର ପ୍ରଦର୍ଶନ ଯୋଗୁଁ ପ୍ରଥମେ ବ୍ୟାଟିଂ କରିଥିବା ପଞ୍ଜାବ ୧୯.୪ ଓଭରରେ ୧୨୦ ରନ୍ କରି ସମସ୍ତ ୱିକେଟ ହରାଇଥିଲା। ପରେ ଜନି ବେୟାରଷ୍ଟୋଙ୍କ ଅପରାଜିତ ଅର୍ଦ୍ଧଶତକ ବଳରେ ୧୮.୪ ଓଭରରେ ୧ ୱିକେଟ ହରାଇ ସନରାଇଜର୍ସ ଜିତିପାରିଛି। ପ୍ରଥମ ବିଜୟ ପରେ ୨ ପଏଣ୍ଟ ପାଇ ସନରାଇଜର୍ସ ପଏଣ୍ଟ ଖାତା ଖୋଲିପାରିଛି। ୪ର୍ଥ ମ୍ୟାଚରେ ୩ୟ ପରାଜୟ ପରେ ପଞ୍ଜାବ କିଙ୍ଗ୍ସ ତଳକୁ ଖସିଆସିଛି।

ଭଲ ଫର୍ମରେ ଥିବା ସନରାଇଜର୍ସ ହାଇଦରାବାଦର ଦୁଇ ବିଦେଶୀ ଓପ୍ନର ଦୃଢ଼ତାର ସହ ୧୫୦ ରନ୍ର ପିଛା ଆରମ୍ଭ କରିଥିଲେ। ଅଧିନାୟକ ଡେଭିଡ୍ ୱାର୍ଣ୍ଣର ଓ ଜନି ବେୟାରଷ୍ଟୋ ୧୦ ଓଭରରେ ୭୩ ରନ୍ କରିବା ପରେ ୱାର୍ଣ୍ଣର ଆଉଟ ହୋଇଥିଲେ। ୩୭ ବଲ୍ରୁ ଗୋଟିଏ ଛକା ଓ ୩ଟି ଚୌକା ସହ ୩୭ ରନ୍ କରିଥିବା ବାମହାତି ୱାର୍ଣ୍ଣରଙ୍କୁ ଫାବିଏନ୍ ଆଲେନ୍ ଆଉଟ କରିଥିଲେ। ପରେ ବେୟାରଷ୍ଟୋ ଓ କେନ୍ ୱିଲିୟମ୍ସନ ଆଉ ୱିକେଟ ପଡ଼ିବାକୁ ନ ଦେଇ ଦଳକୁ ବିଜୟଲକ୍ଷ୍ୟରେ ପହଞ୍ଚାଇଥିଲେ। ଦୁହେଁ ଅବିଭାଜିତ ୨ୟ ୱିକେଟ ପାଇଁ ୪୮ ରନ୍ ଯୋଡ଼ିଥିଲେ। ଚଳିତ ଟୁର୍ଣ୍ଣାମେଣ୍ଟରେ ପ୍ରଥମ ମ୍ୟାଚ୍ ଖେଳିଥିବା ନ୍ୟୁଜିଲାଣ୍ଡର ୱିଲିୟମ୍ସନ ୧୯ ବଲରୁ ୧୬ ରନ୍ କରି ଅପରାଜିତ ଥିଲେ। ୪ଟି ମ୍ୟାଚ୍ରୁ ୩ୟ ମ୍ୟାଚରେ ଭଲ ସ୍କୋର୍ କରିଥିବା ଜନି ବେୟାରଷ୍ଟୋ ୫୬ ବଲରୁ ୩ଟି ଲେଖାଏଁ ଛକା ଓ ଚୌକା ସହ ୬୩ ରନ୍କରି ଅପରାଜିତ ଥିଲେ। ବେୟାରଷ୍ଟୋ ପ୍ଲେୟର ଅଫ୍ ଦି ମ୍ୟାଚ୍ ହୋଇଥିଲେ।

ଟସ୍ ଜିତି ପଞ୍ଜାବ କିଙ୍ଗ୍ସ ବ୍ୟାଟିଂର ନିଷ୍ପତ୍ତି ନେଇଥିଲା। ପଞ୍ଜାବ ନିୟମିତ ଭାବେ ୱିକେଟ ହରାଇବାରୁ ଏହା ମାତ୍ର ୧୨୦ ରନ୍ କରି ପାରିଥିଲା। ଅଧିନାୟକ କେ.ଏଲ୍. ରାହୁଲ ମାତ୍ର ୪ ରନ୍ କରି ପାରିଥିଲେ। ରସିଦ୍ ଖାଁଙ୍କ ଦର୍ଶନୀୟ କ୍ୟାଚରେ ମୟଙ୍କ ଅଗ୍ରୱାଲ ୨୫ ବଲରୁ ୨୨ ରନ୍ କରି ଆଉଟ ହୋଇଥିଲେ। ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ କ୍ରିସ୍ ଗେଲ୍ ୧୫ ରନ୍ କରି ପାରିଥିଲେ। ନିକୋଲାସ୍ ପୁରନ୍ ତାଙ୍କ ୪ର୍ଥ ମ୍ୟାଚ୍ରେ ୩ୟ ଥର ପାଇଁ ଶୂନରେ ଆଉଟ ହୋଇଥିଲେ। ଦୀପକ ହୁଡା ୧୩ ଓ ଅଷ୍ଟ୍ରେଲୀୟ ମୋଇଜେସ୍ ହେନ୍ରିକ୍ସ ୧୪ ରନ୍ କରି ଆଉଟ ହୋଇଥିଲେ। ଶାହା ରୁଲହ ଖାଁ ୧୭ ବଲରୁ ୨ଟି ଛକା ସହ ୨୨ ରନ୍ କରି ପାରିଥିଲେ। ୧୯ ରନରେ ପଞ୍ଜାବ ଶେଷ ୪ଟି ୱିକେଟ ହରାଇ ଅଲ୍ଆଉଟ ହୋଇ ଯାଇଥିଲା। ଖଲିଲ ଅହମ୍ମଦ ୩ଟି ଓ ଅଭିଷେକ ଶର୍ମା ୨ଟି ୱିକେଟ ନେଇଥିଲେ।

Comments are closed.