ଦିଲ୍ଲୀ-ମୁମ୍ବଇ ମୁକାବିଲା ଆଜି

ଚେନ୍ନଇ : ଚଳିତ ଆଇପିଏଲ୍‌​ରେ ୧୩ଶ ମ୍ୟାଚ୍‌ରେ ମଙ୍ଗଳବାର ୫ ଥର ଚମ୍ପିଆନ୍ ହୋଇଥିବା ମୁମ୍ବଇ ଇଣ୍ଡିଆନ୍‌ସ ଓ ପ୍ରଥମ ଟାଇଟଲ ସନ୍ଧାନରେ ଥିବା ଦିଲ୍ଲୀ କ୍ୟାପିଟାଲ୍‌ସ ମଧ୍ୟରେ ମୁକାବିଲା ହେବ। ଅଦ୍ୟାବଧି ଉଭୟ ଦଳଙ୍କର ପ୍ରଦର୍ଶନ ସମାନ ରହିଛି। ଉଭୟ ଦଳ ୩ଟି ଲେଖାଏଁ ମ୍ୟାଚ୍‌ ଖେଳିଥିବା ବେ​ଳେ ୨ଟି ଲେଖାଏଁ ଜିତି ପାରିଛନ୍ତି। ତେଣୁ ମଙ୍ଗଳବାର ମ୍ୟାଚ୍‌ରେ ଯେଉଁ ଦଳ ଜିତିବ; ସେହି ଦଳ ଆଗୁଆ ହୋଇପାରିବ। ମୁମ୍ବଇ ଇଣ୍ଡିଆନ୍‌ସ ତା’ର ୩ଟିଯାକ ମ୍ୟାଚ୍‌ ଚେନ୍ନଇର ଚିଦମ୍ବରମ୍ ଷ୍ଟାଡିୟମ୍‌ରେ ଖେଳିଛି। ଏହିଠାରେ ହିଁ ମୁମ୍ବଇ ୪ର୍ଥ ମ୍ୟାଚ୍‌ ଖେଳିବାକୁ ଯାଉଛି। ଅନ୍ୟପକ୍ଷରେ ଦିଲ୍ଲୀ କ୍ୟାପିଟାଲ୍‌ସ ତା’ର ପ୍ରଥମ ୩ଟିଯାକ ମ୍ୟାଚ୍‌ ମୁୁମ୍ବଇର ୱାଙ୍ଖେଡ଼େ ଷ୍ଟାଡିୟମ୍‌ରେ ଖେଳିଛି। ତେଣୁ ୪ର୍ଥ ମ୍ୟାଚ୍‌ ଏହାକୁ ଚେନ୍ନଇରେ ଖେଳିବାର ଥିବାରୁ ଚେନ୍ନଇର ସ୍ପିନ୍ ଉପଯୋଗୀ ପିଚ୍ ସହ ନିଜକୁ ଖାପ୍‌ ଖୁଆଇବାକୁ ପଡ଼ିବ।
ପ୍ରଥମ ମ୍ୟାଚ୍‌​‌େ​‌ର ଫର୍ମ​ରେ ଥିବା ଦୁଇ ଓପ୍‌ନର ପୃଥ୍ବୀ ସ’ ଓ ଶିଖର ଧାୱନଙ୍କ ଚମତ୍କାର ବ୍ୟାଟିଂ ବଳରେ ଚେନ୍ନଇ ସୁପର କିଙ୍ଗ୍‌ସକୁ ଦିଲ୍ଲୀ କ୍ୟାପିଟାଲ୍‌ସ ପରାସ୍ତ କରିଥିଲା। ୨ୟ ମ୍ୟାଚ୍‌ରେ ଏହାର ବ୍ୟାଟିଂ ବିଫଳ ହେବାରୁ ରାଜସ୍ଥାନ ରୟାଲ୍‌ସଠାରୁ ଦିଲ୍ଲୀ ପରାସ୍ତ ହୋଇଥିଲା। ରବିବାର ପୁଣି ପୃଥ୍ବୀ ଓ ଧାୱନଙ୍କ ସଫଳତା ଯୋଗୁଁ ଦିଲ୍ଲୀ ବିଜୟୀ ହୋଇଥିଲା। ଗତ ୨ ସିଜିନ୍ ହେଲା ଚମ୍ପିଆନ୍ ହୋଇଥିବା ମୁମ୍ବଇ ଇଣ୍ଡିଆନ୍‌ସ ପ୍ରଥମ ମ୍ୟାଚ୍‌ରେ ଆର୍‌ସିବିଠାରୁ ପରାସ୍ତ ହୋଇଥିବା ବେଳେ ପରବର୍ତ୍ତୀ ୨ଟି ମ୍ୟାଚ୍‌ରେ ବୋଲରଙ୍କ ଚମତ୍କାର ପ୍ରଦର୍ଶନ ବଳରେ ଜିତିପାରିଛି। ଅଦ୍ୟାବଧି ମୁମ୍ବଇର ସମସ୍ତ ବ୍ୟାଟ୍‌ସମ୍ୟାନ୍ ରନ୍ କରିଥିବା ବେଳେ ବୋଲର ଚମତ୍କାର ପ୍ରଦର୍ଶନ କରିଛନ୍ତି। ଟ୍ରେଣ୍ଟ୍‌ ବୋଲ୍‌ଟ ଓ ଯଶପ୍ରୀତ ବୁମ୍‌ରା ଘାତକ ସିଦ୍ଧ ହୋଇଛନ୍ତି। ଯୁବ ଲେଗ୍‌ସ୍ପିନର ରାହୁଲ ଚହର ଭଲ ପ୍ରଦର୍ଶନ କରିଛନ୍ତି। ରବିବାର ୧୯୬ ରନ୍‌କୁ ଦିଲ୍ଲୀ କ୍ୟାପିଟାଲ୍‌ସ ଯେପରି ସହଜରେ ପିଛା କରିଥିଲା; ସେଥିରୁ ଏହାର ବ୍ୟାଟିଂ ଶକ୍ତି ଅନୁମେୟ। ବାମହାତି ପେସ୍ ବୋଲର ଲୁକ୍‌ମାନ ମେରିୱାଲାଙ୍କ ସ୍ଥାନରେ ଲେଗ୍‌ସ୍ପିନର ଅମିତ ମିଶ୍ର ଖେଳିପାରନ୍ତି। କାଗିସୋ ରାବାଡ଼ା ଅଧିକ ରନ୍‌ ଦେବା ଦିଲ୍ଲୀ ଦଳକୁ ଚିନ୍ତାରେ ପକାଇଛି। ମୁମ୍ବଇ ଇଣ୍ଡିଆନ୍‌ସ ଅପରିବର୍ତ୍ତିତ ଏକାଦଶ ନେଇ ଖେଳିପାରେ। ଅଦ୍ୟାବଧି ଆଇପିଏଲ୍‌ରେ ଦିଲ୍ଲୀ ଓ ମୁମ୍ବଇ ଇଣ୍ଡିଆନ୍‌ସ ମଧ୍ୟରେ ୨୮ଟି ମୁକାବିଲା ଖେଳା ଯାଇଥିବା ​ବେଳେ ମୁମ୍ବଇ ୧୬ଟି ଓ ଦିଲ୍ଲୀ ୧୨ଟି ଜିତିଛନ୍ତି। ନିରପେକ୍ଷ ସ୍ଥାନରେ ମଧ୍ୟ ମୁମ୍ବଇ ଆଗରେ  ରହିଛି।

Comments are closed.