୨୦୨୧ ଆଇପିଏଲ୍‌ରେ ନୂଆ ଦଳ ସାମିଲ ସମ୍ଭାବନା କମ୍‌

ମୁମ୍ବଇ : ବିସିସିଆଇ ଆନୁକୂଲ୍ୟରେ ଆୟୋଜିତ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୨୦୨୧ ସଂସ୍କରଣରେ ନୂଆ ଦଳ ସାମିଲ କରାଯିବା ସମ୍ଭାବନା କମ୍‌ ବୋଲି ଚର୍ଚ୍ଚା ହେଉଛି। ୨୦୨୧ ସଂସ୍କରଣରେ ପୂର୍ବପରି ୮ଟି ଦଳକୁ ନେଇ ଆଇପିଏଲ୍ ଖେଳାଯିବ ବୋଲି ବିଶ୍ବସ୍ତ ସୂତ୍ରରୁ ଜଣାପଡ଼ିଛି। ୨୦୨୧ ଆଇପିଏଲ୍‌ରେ ଗୋଟିଏ କିମ୍ବା ଦୁଇଟି ନୂଆ ଦଳ ସାମିଲ କରିବାକୁ ବିସିସିଆଇ ଯୋଜନା ରଖିଥିଲା। ତେବେ ଏହି ଆଇପିଏଲ୍‌ ନିମନ୍ତେ ହାତରେ ମାତ୍ର ସାଢ଼େ ୩ ମାସ ସମୟ ରହିଥିବାରୁ ନୂଆ ଦଳ ସାମିଲ କରାଯିବାକୁ ସ୍ଥଗିତ ରଖାଯିବାକୁ ବିସିସିଆଇ ମନସ୍ଥ କରିଛି। ଆଇପିଏଲ୍‌ର ୨୦୨୨ ସଂସ୍କରଣରେ ନୂଆ ଦଳକୁ ସାମିଲ କରାଯିବ ବୋଲି ଜଣାପଡ଼ିଛି।

 

ଆସନ୍ତା ୨୪ରେ ଅହମ୍ମଦାବାଦ୍‌ରେ ବିସିସିଆଇର ବାର୍ଷିକ ସାଧାରଣ ବୈଠକ (ଏଜିଏମ୍‌) ଅନୁଷ୍ଠିତ ହେବାକୁ ଯାଉଥିବାରୁ ଏ ସଂପର୍କରେ ଏଜିଏମ୍‌ରେ ଘୋଷଣା କରାଯିବ ବୋଲି ଚର୍ଚ୍ଚା ହେଉଛି। ବିସିସିଆଇ ଏଜିଏମ୍‌ରେ ଆଇପିଏଲ୍‌ରେ ନୂଆ ଦଳ ସାମିଲ କରାଯିବା ନେଇ ଆଲୋଚନା ହେବ। ନୂଆ ଦଳ ସାମିଲ କରାଯିବା ନେଇ ଟେଣ୍ଡର ପ୍ରକ୍ରିୟା ଆରମ୍ଭ କରିବାକୁ ମଧ୍ୟ ବୈଠକରେ ନିଷ୍ପତ୍ତି ନିଆଯାଇପାରେ। ତେବେ ଆଇପିଏଲ୍‌ରେ ନୂଆ ଦଳ ୨୦୨୨ ସଂସ୍କରଣରେ ଖେଳିବାର ସୁଯୋଗ ପାଇବେ। ନୂଆ ଦଳ ପାଇଁ ବିସିସିଆଇ ଦ୍ବାରା ଯେଉଁ ଟେଣ୍ଡର ଡକାଯିବ ତା ଉପରେ ବିଭିନ୍ନ ବଡ଼ ବଡ଼ ସଂସ୍ଥାଙ୍କର ନଜର ରହିଛି। ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହେବା ପରେ ନୂଆ ଦଳ କିଣିବା ଦୌଡ଼ରେ କେଉଁମାନେ ସାମିଲ ହେବେ ତାହା ସ୍ପଷ୍ଟ ହୋଇଯିବ।

Comments are closed.