ରାଜସ୍ଥାନର ୪ର୍ଥ ପରାଜୟ; ମୁମ୍ବଇର ୩ୟ ବିଜୟ

ଦିଲ୍ଲୀ : ଚଳିତ ଆଇପିଏଲ୍‌ରେ ଗୁରୁବାର ପ୍ରଥମ ମ୍ୟାଚ୍‌ରେ  ୫ ଥର ଏହି ଟାଇଟଲ ଜିତିଥିବା ମୁମ୍ବଇ ଇଣ୍ଡିଆନ୍‌ସ ବିଜୟୀ ହୋଇଛି । କ୍ବିଣ୍ଟନ୍ ଡି କକ୍‌ଙ୍କ ଅପରାଜିତ ଇନିଂସ ବଳରେ ରାଜସ୍ଥାନ ରୟାଲ୍‌ସକୁ ୭ ୱିକେଟରେ ମୁମ୍ବଇ ପରାସ୍ତ କରିଛି। ଜୋସ୍‌ ବଟ୍‌ଲର ଓ ସଞ୍ଜୁ ସାମ୍‌ସନଙ୍କ ଉପଯୋଗୀ ଇନିଂସ ବଳରେ ପ୍ରଥମେ ବ୍ୟାଟିଂ କରିଥିବା ରାଜସ୍ଥାନ ୪ ୱିକେଟରେ ୧୭୧ ରନ୍‌ କରି ପାରିଥିଲା। ପରେ ଓପ୍‌ନର ଡି କକ୍ ଶେଷ ପର୍ଯ୍ୟନ୍ତ କ୍ରିଜ୍‌ରେ ରହିବାରୁ ୧୮.୩ ଓଭରରେ ୩ ୱିକେଟ ହରାଇ ମୁମ୍ବଇ ବିଜୟୀ ହୋଇଥିଲା। କ୍ରମାଗତ ୨ଟି ମ୍ୟାଚ୍‌ ହାରିବା ପରେ ମୁମ୍ବଇ ବିଜୟଧାରାକୁ ଫେରିଛି। ୬ଷ୍ଠ ମ୍ୟାଚ୍‌ରେ ୩ୟ ବିଜୟ ପରେ ମୁମ୍ବଇ ୬ ପଏଣ୍ଟରେ ରହିଛି। ରାଜସ୍ଥାନ ୬ଷ୍ଠ ମ୍ୟାଚ୍‌ରେ ୪ର୍ଥ ପରାଜୟ ଭୋଗିଛି।
ମୁମ୍ବଇ ଇଣ୍ଡିଆନ୍‌ସ ଦୃଢ଼ତାର ସହ ୧୭୨ ରନ୍ ବିଜୟଲକ୍ଷ୍ୟର ପିଛା କରିଥିଲା। ଆରମ୍ଭରୁ ଦକ୍ଷିଣ ଆଫ୍ରିକାର ଓପ୍‌ନର କ୍ବିଣ୍ଟନ୍ ଡି କକ୍ ଆକ୍ରମଣ କରିଥିବା ବେ​‌େ​‌ଳ ୬ ଓଭରରେ ୪୯ ରନ୍‌ ହୋଇଥିଲା। ଅଧିନାୟକ ରୋହିତ ଶର୍ମା ୧୪ ରନ୍‌କରି ଆଉଟ ହୋଇଥିଲେ। ପରେ ସୂର୍ଯ୍ୟକୁମାର ଯାଦବଙ୍କ ସହ ଡି କକ୍ ୧୯ ବଲ୍‌ରୁ ୩୪ ରନ୍ ଯୋଗକରିବା ପରେ ସୂର୍ଯ୍ୟକୁମାର ଆଉଟ ହୋଇଥିଲେ। ୧୦ ବଲ୍‌ରୁ ୩ଟି ଚୌକା ସହ ସୂର୍ଯ୍ୟକୁମାର ୧୬ ରନ୍‌ କରିଥିଲେ। ପରେ କ୍ରୁନାଲ ପାଣ୍ଡ୍ୟାଙ୍କ ସହ ମିଶି ବାମହାତି ଡି କକ୍ ମୁମ୍ବଇ ଇଣ୍ଡିଆନ୍‌ସକୁ ବିଜୟ ଆଡ଼କୁ ନେଇ ଯାଇଥିଲେ। ଦୁହେଁ ୩ୟ ୱିକେଟ ପାଇଁ ୬୩ ରନ୍ ଯୋଡ଼ିଥିଲେ। ବାମହାତି କ୍ରୁନାଲ ପାଣ୍ଡ୍ୟା ୨୬ ବଲ୍‌ରୁ ୨ଟି ଲେଖାଏଁ ଛକା ଓ ଚୌକା ସହ ୩୯ ରନ୍‌ କରିଥିଲେ। ପରେ କୈରନ୍ ପୋଲାର୍ଡଙ୍କ ସହ ଡି କକ୍ ଦଳକୁ ବିଜୟଲକ୍ଷ୍ୟ​‌େ​‌ର ପହଞ୍ଚାଇଥିଲେ। ପୋଲାର୍ଡ ୮ ବଲ୍‌ରୁ ଗୋଟିଏ ଛକା ଓ ୨ଟି ଚୌକା ସହ ୧୬ ରନ୍‌କରି ଅପରାଜିତ ଥିଲେ। ପ୍ଲେୟର ଅଫ୍ ଦି ମ୍ୟାଚ୍‌ ଡି କକ୍ ୫୦ ବଲ୍‌ରୁ ୨ଟି ଛକା ଓ ୬ଟି ଚୌକା ସହ ୭୦ ରନ୍‌କରି ଅପରାଜିତ ଥିଲେ। ଚଳିତ ଟୁର୍ଣ୍ଣାମେଣ୍ଟରେ ଏହା ଡି କକ୍‌ଙ୍କ ପ୍ରଥମ ଅର୍ଦ୍ଧଶତକ। କ୍ରିସ୍ ମରିସ୍ ୨ଟି ୱିକେଟ ନେଇଥିଲେ।
ଟସ୍ ଜିତି ମୁମ୍ବଇ ଇଣ୍ଡିଆନ୍‌ସ ଫିଲ୍‌ଡିଂ ନେବା ପରେ ରାଜସ୍ଥାନ ଦୃଢ଼ତାର ସହ ଇନିଂସ ଆରମ୍ଭ କରିଥିଲା। ଓପ୍‌ନିଂ ଯୋଡ଼ି ୮ମ ଓଭରରେ ୬୬ ରନ୍ ଯୋଡ଼ିବା ପରେ ଜୋସ୍ ବଟ୍‌ଲର ଆଉଟ ହୋଇଥିଲେ। ବଟ୍‌ଲର ୩୨ ବଲ୍‌ରୁ ୩ଟି ଲେଖାଏଁ ଛକା ଓ ଚୌକା ସହ ୪୧ ରନ୍ କରିଥିଲେ। ଯୁବ ଓପ୍‌ନର ଯଶସ୍ବୀ ଜୟସୱାଲ ୨୦ ବଲ୍‌ରୁ ୨ଟି ଲେଖାଏଁ ଛକା ଓ ଚୌକା ସହ ୩୨ ରନ୍‌ କରିଥିଲେ। ୩ୟ ୱିକେଟ ପାଇଁ ଅଧିନାୟକ ସଞ୍ଜୁ ସାମ୍‌ସନ ଓ ଶିବମ୍ ଦୁବେ ୮ ଓଭରରେ ୫୭ ରନ୍ ଯୋଡ଼ିଥିଲେ। ଆକ୍ରମଣାତ୍ମକ ବ୍ୟାଟିଂ କରିଥିବା ସାମ୍‌ସନ ୨୭ ବଲ୍‌ରୁ ୫ଟି ଚୌକା ସହ ୪୨ ରନ୍‌ କରିଥିଲେ। ବାମହାତି ଶିବମ୍ ଦୁବେ ୩୧ ବଲ୍‌ରୁ ୨ଟି ଲେଖାଏଁ ଛକା ଓ ଚୌକା ସହ ୩୫ ରନ୍‌ କରିଥିଲେ। ରାହୁଲ ଚହର ୨ଟି ୱିକେଟ ନେଇଥିଲେ।

Comments are closed.