ସେପ୍ଟେମ୍ବରରେ ଆଇପିଏଲ୍‍ର ଅବଶିଷ୍ଟ ମ୍ୟାଚ୍‍ ସମ୍ଭବ?

ନୂଆଦିଲ୍ଲୀ: ଇଣ୍ଡିଆନ୍‍ ପ୍ରିମିୟର ଲିଗ୍‍ (ଆଇପିଏଲ୍‍)ର ଜୈବ ନିରାପତ୍ତା ବଳୟକୁ ଭେଦକରି ମହାମାରୀ କରୋନା ଭୂତାଣୁ କିଛି ଖେଳାଳି ଓ ଆଇପିଏଲ୍‍ ସହ ସମ୍ପୃକ୍ତ କିଛି ବ୍ୟକ୍ତିଙ୍କୁ ସଂକ୍ରମିତ କରିବା ପରେ ଆଇପିଏଲ୍‍ର ୧୪ଶ ସଂସ୍କରଣକୁ ଅଧାରୁ ସ୍ଥଗିତ କରାଯାଇଛି। ତେବେ ଆଇପିଏଲ୍‍ର ଅବଶିଷ୍ଟ ୩୧ଟିିି ମ୍ୟାଚ୍‍ ଖେଳାଯାଇ କିପରି ଆଇପିଏଲ୍‍ ସମ୍ପନ୍ନ କରାଯିବ; ତାହା ବିଶ୍ୱର ସବୁଠାରୁ ଧନଶାଳୀ କ୍ରିକେଟ୍‍ ବୋର୍ଡ ବିସିସିଆଇର ମୁଖ୍ୟ ଚିନ୍ତା। କାରଣ ଚଳିତ ବର୍ଷର ଆଇପିଏଲ୍‍ ସମ୍ପନ୍ନ ନ ହେଲେ ବିସିସିଆଇ ୨୫୦୦ କୋଟି ଟଙ୍କା ହରାଇବା ସମ୍ଭବ। ଆଇପିଏଲ୍‍ର ଅବଶିଷ୍ଟ ମ୍ୟାଚ୍‍କୁ ସେପ୍ଟେମ୍ବରରେ ଆୟୋଜନ କରିବା ନେଇ ବିସିସିଆଇ ଚିନ୍ତାକରୁଛି। ସେତେବେଳେ ସମସ୍ତ ଭାରତୀୟ ଖେଳାଳି ଏହି ଟୁର୍ଣ୍ଣାମେଣ୍ଟ ନିଶ୍ଚିତ ଖେଳିପାରିବେ; ହେଲେ ବିଦେଶୀ ଖେଳାଳି ସେପ୍ଟେମ୍ବରରେ ଆଇପିଏଲ୍‍ ଖେଳିିବା ଅସମ୍ଭବ। କାରଣ ସେତେବେଳେ ବିଦେଶୀ କ୍ରିକେଟର ସେମାନଙ୍କ ଦେଶ ପାଇଁ ଆନ୍ତର୍ଜାତିକ କ୍ରିକେଟ୍‍ ଖେଳୁଥିବେ। ତେଣୁ ବିଦେଶୀ ଖେଳାଳିଙ୍କ ଅନୁପସ୍ଥିତିରେ ଆଇପିଏଲ୍‍ ଘରୋଇ ଟୁର୍ଣ୍ଣାମେଣ୍ଟ ସୟଦ୍‍ ମୁସ୍ତାକ୍‍ ଅଲୀ ଟ୍ରଫି ପରି ମନେହେବ।

ସେପ୍ଟେମ୍ବରରେ ସମସ୍ତ ଦଳଙ୍କର ଲକ୍ଷ୍ୟ ରହିଛି ସୀମିତ ଓଭରର ଆନ୍ତର୍ଜାତିକ ସିରିଜ୍‍ ଖେଳି ଭାରତରେ ଅକ୍ଟୋବର-ନଭେମ୍ବରରେ ହେବାକୁ ଥିବା ଟ୍ୱେଣ୍ଟି୨୦ ବିଶ୍ୱକପ୍‍ ପାଇଁ ପ୍ରସ୍ତୁତ ହେବା। ଇଂଲଣ୍ଡ ଦଳ ଦୁଇ ଏସୀୟ ଦଳ ବାଂଲାଦେଶ ଓ ପାକିସ୍ତାନ ବିପକ୍ଷରେ ସୀମିତ ଓଭର ସିରିଜ୍‍ ଖେଳୁଥିବ। ଆଇପିଏଲ୍‍କୁ ସର୍ବାଧିକ ବିଦେଶୀ ଖେଳାଳି ଦେଇଥିବା ଅଷ୍ଟ୍ରେଲିଆ ଦଳର ସେପ୍ଟେମ୍ବରରେ କୌଣସି ମ୍ୟାଚ୍‍ ନାହିଁ। ହେଲେ ଟ୍ୱେଣ୍ଟି୨୦ ବିଶ୍ୱକପ୍‍ ପୂର୍ବରୁ ଶ୍ରୀଲଙ୍କା ବିପକ୍ଷରେ ଅଷ୍ଟ୍ରେଲିଆ ଟ୍ୱେଣ୍ଟି୨୦ ସିରିଜ୍‍ ଖେଳିବ। ନ୍ୟୁଜିଲାଣ୍ଡ ଦଳ ସେପ୍ଟେମ୍ବରରେ ୟୁଏଇରେ ପାକିସ୍ତାନ ବିପକ୍ଷରେ ୩ଟି ଲେଖାଏଁ ଟ୍ୱେଣ୍ଟି୨୦ ଓ ଦିନିକିଆ ସିରିଜ୍‍ ଖେଳିବ। ସେପ୍ଟେମ୍ବରରେ ୱେଷ୍ଟଇଣ୍ଡିଜ୍‍ର କୌଣସି ଆନ୍ତର୍ଜାତିକ ମ୍ୟାଚ୍‍ ନାହିଁ। ହେଲେ ଟ୍ୱେଣ୍ଟି୨୦ ବିଶ୍ୱକପ୍‍ ପୂର୍ବରୁ ଏହା କିଛି ସୀମିତ ଓଭର ମ୍ୟାଚ୍‍ ଖେଳିବାକୁ ଆଲୋଚନା ଚଳାଇଛି। ବାଂଲାଦେଶର ୨ ଜଣ କ୍ରିକେଟର ସାକିବ୍‍ ଅଲ୍‍ ହାସନ୍‍ ଓ ମୁସ୍ତାଫିଜୁର ରେହ୍‍ମାନ ଆଇପିଏ୍‍ଲ ଖେଳୁଥିଲେ ହେଁ ସେପ୍ଟେମ୍ବରରେ ଏହି ଟୁର୍ଣ୍ଣାମେଣ୍ଟ ଖେଳାଗଲେ ଦୁହିଁଙ୍କ ଖେଳିବା ଅସମ୍ଭବ। ସେତେବେଳେ ଘରୋଇମାଟିରେ ବାଂଲାଦେଶ ସୀମିତ ଓଭର ସିରିଜ୍‍ ଇଂଲଣ୍ଡ ବିପକ୍ଷରେ ଖେଳୁଥିବ। ଆଫ୍‍ଗାନିସ୍ତାନ ଦଳ ମଧ୍ୟ ଏହି ସମୟରେ ୟୁଏଇରେ ପାକିସ୍ତାନ ବିପକ୍ଷରେ ସୀମିତ ଓଭର ସିରିଜ୍‍ ଖେଳୁଥିବ। ଆଇପିଏଲ୍‍ ପରିଚାଳନା ପରିଷଦ (ଗଭର୍ଣ୍ଣିଂ କାଉନ୍‍ସିଲ)ର ଅଧ୍ୟକ୍ଷ ବ୍ରିଜେଶ ପଟେଲଙ୍କ ଅନୁସାରେ, ଆଇପିଏଲ୍‍ର ବାକି ମ୍ୟାଚ୍‍ସବୁ ଭାରତରେ ଆୟୋଜନ ଅସମ୍ଭବ। ହେଲେ ଆମ ପାଖରେ ୨ଟି ସମୟ ରହିଛି। ଗୋଟିଏ ହେଉଛି ଟ୍ୱେଣ୍ଟି୨୦ ବିଶ୍ୱକପ୍‍ ପୂର୍ବରୁ ଅନ୍ୟଟି ଏହି ବିଶ୍ୱକପ୍‍ ପରେ। ତେବେ ସେପ୍ଟେମ୍ବରରେ ବିଶ୍ୱକପ୍‍ ପୂର୍ବରୁ ଅବଶିଷ୍ଟ ମ୍ୟାଚ୍‍ସବୁ ଖେଳାଗଲେ ଭଲ ହେବ। ହେଲେ ଏଥିନେଇ କୌଣସି ନିଷ୍ପତ୍ତି ନିଆ ଯାଇନାହିଁ କିମ୍ବା କୌଣସି କ୍ରିକେଟ୍‍ ବୋର୍ଡ ସହ ଆଲୋଚନା ହୋଇନାହିଁ।

Comments are closed.