କଲକାତା ନାଇଟ୍ ରାଇଡର୍ସକୁ ୧୮ ରନରେ ପରାସ୍ତ କଲା ଚେନ୍ନଇ ସୁପର କିଙ୍ଗ୍ସ

ମୁମ୍ବଇ: ଚଳିତ ଆଇପିଏଲର ବୁଧବାର ୨ୟ ମ୍ୟାଚରେ ବିଜୟୀ ହୋଇଛି ଚେନ୍ନଇ ସୁପର କିଙ୍ଗ୍ସ (ସିଏସ୍କେ)। ଏକ ସଂଘର୍ଷପୂର୍ଣ୍ଣ ମ୍ୟାଚରେ କଲକାତା ନାଇଟ୍ ରାଇଡର୍ସକୁ ୧୮ ରନରେ ଚେନ୍ନଇ ସୁପର କିଙ୍ଗ୍ସ ପରାସ୍ତ କରିଛି। ଫାଫ୍ ଡୁ ପ୍ଲେସି ଓ ଋତୁରାଜ ଗାଏକ୍ୱାଡଙ୍କ ଅର୍ଦ୍ଧଶତକ ବଳରେ ପ୍ରଥମେ ବ୍ୟାଟିଂକରି ସିଏସ୍କେ ୩ ୱିକେଟରେ ୨୨୦ ରନ୍ର ବିଶାଳ ସ୍କୋର୍ କରିଥିଲା। ପରେ ଆେନ୍ଦ୍ର ରସେଲ ଓ ପ୍ୟାଟ୍ କମିନ୍ସଙ୍କ ବିସ୍ଫୋରକ ଅର୍ଦ୍ଧଶତକ ସତ୍ତ୍ବେ କେକେଆର୍ ୧୯.୧ ଓଭରରେ ୨୦୨ ରନ୍କରି ଅଲ୍ଆଉଟ ହୋଇ ଯାଇଥିଲା। ପ୍ରଥମ ମ୍ୟାଚ୍ରେ ପରାସ୍ତ ହୋଇଥିବା ସିଏସ୍କେ ଏହାକୁ ମିଶାଇ ହ୍ୟାଟ୍ରିକ୍ ବିଜୟ ହାସଲ କରିଛି। ଅନ୍ୟପକ୍ଷରେ ପ୍ରଥମ ମ୍ୟାଚ୍ ଜିତିଥିବା କେକେଆର୍ ହ୍ୟାଟ୍ରିକ୍ ପରାଜୟ ବରଣ କରିଛି।

ବିପର୍ଯ୍ୟୟ ସହ କଲକାତା ନାଇଟ୍ ରାଇଡର୍ସ ୨୨୧ ରନର ପିଛା ଆରମ୍ଭ କରିଥିଲା। ୬ଷ୍ଠ ଓଭରରେ ମାତ୍ର ୩୧ ରନ୍ ସ୍କୋର୍ ହୋଇଥିବା ବେଳେ କେକେଆର୍ ୫ଟି ୱିକେଟ ହରାଇଥିଲା। ଏହି ୫ଟିରୁ ଦୀପକ ଚହର ୪ଟି ୱିକେଟ ନେଇଥିଲେ। ଓପ୍ନର ଶୁବ୍ମାନ ଗିଲ୍ ବିନା ସ୍କୋର୍ରେ ଓ ନୀତୀଶ ରାଣା ୯ ରନ୍କରି ଆଉଟ ହୋଇଥିଲେ। ତାଙ୍କ ଖରାପ ଫର୍ମ ଜାରିରଖି ଅଧିନାୟକ ଇଓନ୍ ମୋର୍ଗାନ୍ ୭ ରନ୍କରି ବିଦାୟ ନେଇଥିବା ବେଳେ ପ୍ରଥମ ମ୍ୟାଚ୍ ଖେଳିଥିବା ସୁନୀଲ ନାରାୟଣ ୪ ରନ୍କରି ଦୀପକ ଚହରଙ୍କ ୪ର୍ଥ ଶିକାର ହୋଇଥିଲେ। ରାହୁଲ ତ୍ରିପାଠୀ ୮ ରନ୍କରି ଆଉଟ ହେବା ବେଳକୁ କଲକାତାର ସ୍କୋର୍ ଥିଲା ୫ ୱିକେଟରେ ୩୧ ରନ୍। ପରେ ଆେନ୍ଦ୍ର ରସେଲ୍ ଆସି ଆକ୍ରମଣାତ୍ମକ ବ୍ୟାଟିଂ କରିଥିଲେ। ୬ଷ୍ଠ ୱିକେଟ ପାଇଁ ରସେଲ୍ ଓ ଦିନେଶ କାର୍ତ୍ତିକ ୬ ଓଭରରୁ ୮୧ ରନ୍ ଯୋଗ କରିଥିଲେ। ବିସ୍ଫୋରକ ବ୍ୟାଟିଂ କରିଥିବା ଆେନ୍ଦ୍ର ରସେଲ୍ ନିଜ ତ୍ରୁଟିରୁ ବୋଲ୍ଡ ହୋଇଥିଲେ। ରସେଲ୍ ୨୧ ବଲ୍ରୁ ଅର୍ଦ୍ଧଶତକ ପୂରଣ କରିଥିଲେ। ରସେଲ ୨୨ ବଲ୍ରୁ ୬ଟି ଛକା ଓ ୩ଟି ଚୌକା ସହ ୫୪ ରନ୍ କରିଥିଲେ। ଦିନେଶ କାର୍ତ୍ତିକ ୨୪ ବଲ୍ରୁ ୨ଟି ଛକା ଓ ୪ଟି ଚୌକା ସହ ୪୦ ରନ୍କରି ଆଉଟ ହୋଇଥିଲେ। ୧୬ଶ ଓଭରରେ ପ୍ୟାଟ୍ କମିନ୍ସ ୩୦ ରନ୍ ମାରିଥିଲେ। ୨୩ ବଲ୍ରୁ କମିନ୍ସ ଅର୍ଦ୍ଧଶତକ ପୂରଣ କରିଥିଲେ। କମିନ୍ସ ୩୪ ବଲ୍ରୁ ୬ଟି ଛକା ଓ ୪ଟି ଚୌକା ସହ ୬୬ ରନ୍କରି ଅପରାଜିତ ଥିଲେ। ଦୀପକ ଚହର ୪ଟି ଓ ଲୁଙ୍ଗି ଏନ୍ଗିଡ଼ି ୩ଟି ୱିକେଟ ପାଇଥିଲେ।

ଟସ୍ ଜିଣି କଲକାତା ନାଇଟ୍ ରାଇଡର୍ସ ଫିଲ୍ଡିଂ ନେବା ପରେ ଚେନ୍ନଇ ସୁପର କିଙ୍ଗ୍ସର ଇନିଂସରେ ଫାଫ୍ ଡୁ ପ୍ଲେସି ରାଜୁତି କରିଥିଲେ। ଦୁଇ ଓପ୍ନର ଡୁ ପ୍ଲେସି ଓ ଋତୁରାଜ ଗାଏକ୍ୱାଡ୍ ଆରମ୍ଭରୁ ଆକ୍ରମଣ କରିଥିଲେ। ୬ ଓଭରର ପାୱରପ୍ଲେ ଶେଷରେ ସିଏସ୍କେ ୫୪ ରନ୍ କରିଥିଲା। ଋତୁରାଜ ୩୩ ବଲ୍ରୁ ଏବଂ ଡୁ ପ୍ଲେସି ୩୫ ବଲ୍ରୁ ଅର୍ଦ୍ଧଶତକ ପୂରଣ କରିଥିଲେ। ୧୨ ଓଭରରେ ୧୧୫ ରନ୍ର ଓପ୍ନିଂ ଭାଗିଦାରୀ ପରେ ଗାଏକ୍ୱାଡ୍ ଆଉଟ ହୋଇଥିଲେ। ମହାରାଷ୍ଟ୍ରର ଋତୁରାଜ ୪୨ ବଲରୁ ୪ଟି ଛକା ଓ ୬ଟି ଚୌକା ସହ ୬୪ ରନ୍ କରିଥିଲେ। ସିଏସ୍କେ ଶେଷ ୧୦ ଓଭରରୁ ୧୩୮ ରନ୍ କରିଥିବା ବେଳେ ଶେଷ ୬ ଓଭରରୁ ୯୦ ରନ୍ କରିଥିଲା। ୨ୟ ୱିକେଟ ପାଇଁ ଫାଫ୍ ଡୁ ପ୍ଲେସି ଓ ମୋଇନ୍ ଅଲୀ ୫୦ ରନ୍ ଯୋଡ଼ିଥିଲେ। ମୋଇନ୍ ୧୨ ବଲ୍ରୁ ୨ଟି ଲେଖାଏଁ ଛକା ଓ ଚୌକା ସହ ୨୫ ରନ୍ କରିଥିଲେ। ଅଧିନାୟକ ମହେନ୍ଦ୍ର ସିଂହ ଧୋନି ୮ ବଲ୍ରୁ ଗୋଟିଏ ଛକା ଓ ୨ଟି ଚୌକା ସହ ୧୭ ରନ୍ କରିଥିଲେ। ରବୀନ୍ଦ୍ର ଜାଡ଼େଜା ଗୋଟିଏ ବଲ୍ ଖେଳି ଛକା ମାରିଥିଲେ। ଫାଫ୍ ଡୁ ପ୍ଲେସି ୬୦ ବଲ୍ ଖେଳି ବିସ୍ଫୋରକ ବ୍ୟାଟିଂକରି ୪ଟି ଛକା ଓ ୯ଟି ଚୌକା ସହ ୯୫ ରନ କରି ଅପରାଜିତ ଥିଲେ।

Comments are closed.