ଅଗ୍ରୱାଲଙ୍କ ୯୯* ନିଷ୍ଫଳ ; ପଞ୍ଜାବକୁ ହରାଇ ଶୀର୍ଷରେ ଦିଲ୍ଲୀ

ଅହମ୍ମଦାବାଦ : ଚଳିତ ଆଇପିଏଲ୍‌ରେ ରବିବାର ସନ୍ଧ୍ୟାର ମ୍ୟାଚ୍‌ରେ ବିଜୟୀ ହୋଇଛି ଦିଲ୍ଲୀ କ୍ୟାପିଟାଲ୍‌ସ। ପଞ୍ଜାବ କିଙ୍ଗ୍‌ସକୁ ୭ ୱିକେଟରେ ହରାଇ ଦିଲ୍ଲୀ ୬ଷ୍ଠ ବିଜୟ ହାସଲକରି ୧୨ ପଏଣ୍ଟ ସହ ଶୀର୍ଷସ୍ଥାନକୁ ଉନ୍ନୀତ ହୋଇଛି। ଅଧିନାୟକ ଭାବେ ତାଙ୍କ ପ୍ରଥମ ମ୍ୟାଚ୍‌ରେ ମୟଙ୍କ ଅଗ୍ରୱାଲ ଅପରାଜିତ ୯୯ ରନ୍‌ର ବିସ୍ଫୋରକ ଇନିଂସ ଖେଳିବାରୁ ପ୍ରଥମେ ବ୍ୟାଟିଂ କରିଥିବା ପଞ୍ଜାବ କିଙ୍ଗ୍‌ସ ୬ ୱିକେଟରେ ୧୬୬ ରନ୍ କରିଥିଲା। ପରେ ଶିଖର ଧାୱନଙ୍କ ଅପରାଜିତ ଅର୍ଦ୍ଧଶତକ ବଳରେ ୧୭.୪ ଓଭରରେ ୩ ୱିକେଟ ହରାଇ ଦିଲ୍ଲୀ ବିଜୟୀ ହୋଇଥିଲା। ୮ମ ମ୍ୟାଚ୍‌ରେ ଏହା ପଞ୍ଜାବର ୫ମ ପରାଜୟ।
ଦିଲ୍ଲୀ କ୍ୟାପିଟାଲ୍‌ସ ୧୬୭ ରନ୍‌ର ପିଛା କରିଥିବା ବେଳେ ଏହାର ୨ ଓପ୍‌ନର ପୃଥ୍ବୀ ସ’ ଓ ଶିଖର ଧାୱନ ୬ ଓଭରର ପାୱରପ୍ଲେରେ ୬୩ ରନ୍‌ର ଭାଗିଦାରୀ କରିଥିଲେ। ପୃଥ୍ବୀ ଆକ୍ରମଣାତ୍ମକ ବ୍ୟାଟିଂକରି ୨୨ ବଲ୍‌ରୁ ୩ଟି ଲେଖାଏଁ ଛକା ଓ ଚୌକା ସହ ୩୯ ରନ୍‌କରି ଆଉଟ ହୋଇଥିଲେ। ପରେ ଶିଖର ଧାୱନ ଓ ଷ୍ଟିଭେନ୍ ସ୍ମିଥ୍ ସ୍କୋର୍‌କୁ ଆଗେଇ ନେଇଥିଲେ। ଦୁହେଁ ୨ୟ ୱିକେଟ ପାଇଁ ୭ ଓଭରରେ ୪୮ ରନ୍ ଯୋଡ଼ିବା ପରେ ସ୍ମିଥ୍ ଆଉଟ ହୋଇଥିଲେ। ୨୨ ବଲ୍‌ରୁ ଗୋଟିଏ ଚୌକା ସହ ସ୍ମିଥ୍ ୨୫ ରନ୍ କରିଥିଲେ। ତେବେ ବାମହାତି ଧାୱନ୍ ଅନ୍ୟପଟୁ ଚମତ୍କାର ବ୍ୟାଟିଂକରି ଚଳିତ ଆଇପିଏଲ୍‌ରେ ସର୍ବାଧିକ ରନ୍‌ ସ୍କୋରର ହେବା ସହ ପଞ୍ଜାବ କିଙ୍ଗ୍‌ସର କେ.ଏଲ୍‌. ରାହୁଲଙ୍କଠାରୁ ନାରଙ୍ଗୀ ଟୋପି ଛଡ଼ାଇ ଆଣିଛନ୍ତି। ଅଧିନାୟକ ଋଷଭ ପନ୍ତ୍ ୧୪ ରନ୍‌କରି ଆଉଟ ହୋଇଥିଲେ। ସିମ୍ରନ୍ ହେତ୍‌ମେୟର ୪ ବଲ୍‌ରୁ ୨ଟି ଛକା ଓ ଗୋଟିଏ ଚୌକା ସହ ୧୬ ରନ୍‌କରି ଅପରାଜିତ ଥିଲେ। ଧାୱନ ୪୭ ବଲ୍‌ରୁ ୨ଟି ଛକା ଓ ୬ଟି ଚୌକା ସହ ୬୯ ରନ୍‌କରି ଅପରାଜିତ ଥିଲେ।
ଟସ୍ ଜିତି ଦିଲ୍ଲୀ କ୍ୟାପିଟାଲ୍‌ସ ଫିଲ୍‌ଡିଂ ନେଇଥିଲା। ପଞ୍ଜାବ କିଙ୍ଗ୍‌ସର ଓପ୍‌ନର ପ୍ରଭସିମ୍ରନ୍ ସିଂହ ୧୨ ରନ୍‌କରି ବିଦାୟ ନେଇଥିଲେ। କ୍ରିସ୍ ଗେଲ୍‌ ଗୋଟିଏ ଲେଖାଏଁ ଛକା ଓ ଚୌକା ସହ ୧୩ ରନ୍‌କରି ଆଉଟ ହୋଇଥିଲେ। ୩୫ ରନ୍‌ରେ ୨ଟି ୱିକେଟ ପଡ଼ିଯିବା ପରେ ଅଧିନାୟକ ମୟଙ୍କ ଅଗ୍ରୱାଲ ଓ ବିଶ୍ବର ୧ନଂ ଟ୍ବେଣ୍ଟି୨୦ ବ୍ୟାଟ୍‌ସମ୍ୟାନ୍ ଡାୱିଡ୍‌ ମାଲାନ୍ ୮ ଓଭରରେ ୫୨ ରନ୍ ଯୋଡ଼ିଥିଲେ। ଇଂଲଣ୍ଡର ବାମହାତି ମାଲାନ୍ ସ୍ବାଭାବିକ ଭାବେ ଷ୍ଟ୍ରୋକ୍‌ ଖେଳିନପାରି ୨୬ ବଲ୍‌ରୁ ଗୋଟିଏ ଲେଖାଏଁ ଛକା ଓ ଚୌକା ସହ ୨୬ ରନ୍‌କରି ଆଉଟ ହୋଇଥିଲେ। ପରେ ୬.୫ ଓଭରରୁ ୭୯ ରନ୍ ହୋଇଥିବା ବେଳେ ମୟଙ୍କ ଅଗ୍ରୱାଲ ଏଥିରୁ ୬୪ ରନ୍ କରିଥିଲେ। ଦୀପକ ହୁଡା ପ୍ରଥମ ବଲ୍‌ରେ ରନ୍‌ଆଉଟ ହୋଇଥିଲେ। ଅଗ୍ରୱାଲଙ୍କ ଆକ୍ରମଣ ଯୋଗୁଁ ଶେଷ ୬ ଓଭରରୁ ପଞ୍ଜାବ ୭୬ ରନ୍‌ କରି ପାରିଥିଲା। ମୟଙ୍କ ଅଗ୍ରୱାଲ ୫୮ ବଲ୍‌ରୁ ୪ଟି ଛକା ଓ ୮ଟି ଚୌକା ସହ ୯୯ ରନ୍‌କରି ଅପରାଜିତ ଥିଲେ। ସୁରେଶ ରୈନା ଓ କ୍ରିସ୍‌ ଗେଲ୍‌ଙ୍କ ପରେ ୩ୟ ବ୍ୟାଟ୍‌ସମ୍ୟାନ ଭାବେ ମୟଙ୍କ ଆଇପିଏଲ୍‌ ଇତିହାସରେ ଅପରାଜିତ ୯୯ ରନ୍‌ କରିଥିଲେ। କାଗିସୋ ରାବାଡ଼ା ୩ଟି ୱିକେଟ ନେଇଥିଲେ।

Comments are closed.