ଶୀର୍ଷକୁ ଉନ୍ନୀତ ଲକ୍ଷ୍ୟରେ ଶ୍ରେୟସ ଓ ବିରାଟ

ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଓ ଦିଲ୍ଲୀ କ୍ୟାପିଟାଲ୍‌ସ ମଧ୍ୟରେ ମୁକାବିଲା

ଆବୁଧାବି : ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ) ତ୍ରୟୋଦଶତମ ସଂସ୍କରଣର ସୋମବାର ୧୯ତମ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଓ ଦିଲ୍ଲୀ କ୍ୟାପିଟାଲ୍‌ସ ମୁହାଁ ମୁହିଁ ହେବେ। ଏହି ମ୍ୟାଚ ଆବୁଧାବିରେ ଖେଳାଯିବ। ଉଭୟ ଦଳ ୫ତମ ମ୍ୟାଚ ଖେଳିବେ।
ଶ୍ରେୟସ ଆୟାରଙ୍କ ନେତୃତ୍ବାଧିନ ଦିଲ୍ଲୀ କ୍ୟାପିଟାଲ୍‌ସ ୪ଟି ମ୍ୟାଚରୁ ୩ଟି ବିଜୟ ଓ ଗୋଟିଏ ପରାଜୟ ସହ ୬ ପଏଣ୍ଟ ପାଇ ଗ୍ରୁପ ଶୀର୍ଷ ସ୍ଥାନରେ ରହିଛି। ବ୍ୟାଟିଂରେ ଓପନର ପୃଥ୍ବୀ ସ, ଶିଖର ଧାୱନ, ଶ୍ରେୟସ ଆୟାର, ଋଷଭ ପନ୍ତ, ମାର୍କୋସ ଷ୍ଟୋଇନିସ୍ ପ୍ରମୁଖ ଭଲ ଫର୍ମରେ ରହିଛନ୍ତି। ବୋଲିଂରେ କାଗିସୋ ରାବଡା, ଆନ୍‍ରିଚ ନୋର୍ଜ୍ୟେ, ଅମିତ ମିଶ୍ରା, ରବିଚନ୍ଦ୍ରନ ଅଶ୍ବିନ ଦାୟିତ୍ବ ସମ୍ଭାଳୁଛନ୍ତି। ବିଶେଷ କରି ଫାଷ୍ଟ ବୋଲିଂ ବିଭାଗରେ ରାବଡା ଓ ଆନ୍‍ରିଚ ନୋର୍ଜ୍ୟେ ଭଲ ଫର୍ମରେ ରହିଛନ୍ତି। ଦଳ ବିଜୟ ଧାରାକୁ ବଜାୟ ଲକ୍ଷ୍ୟ ନେଇ ଖେଳିବ। ବିରାଟ କୋହଲିଙ୍କ ନେତୃତ୍ବାଧିନ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ୪ଟି ମ୍ୟାଚରୁ ୩ଟି ବିଜୟ ଓ ଗୋଟିଏ ପରାଜୟ ସହ ୬ ପଏଣ୍ଟ ପାଇ ପଏଣ୍ଟ ତାଲିକାର ଦ୍ବିତୀୟ ସ୍ଥାନରେ ରହିଛି। ଓପନର ଦେବଦତ୍ତ ପାଡ଼ିକଲ ୧୭୪, ଏ.ବି ଡିଭିଲିୟର୍ସ ୧୪୬ରନ କରିଥିବାବେଳେ ଚମତ୍କାର ଫର୍ମରେ ରହିଛନ୍ତି। ରାଜସ୍ଥାନ ରୟାଲ୍‌ସ ବିପକ୍ଷ ମ୍ୟାଚରେ ବିରାଟ ଅପରାଜିତ ୭୨ରନ କରିବା ସହିତ ଫର୍ମକୁ ଫେରିଛନ୍ତି। ବୋଲିଂରେ ନବଦୀପ୍‌ ସଇନି, ଯୁଜୁବେନ୍ଦ୍ର ଚହଲ, ଶୁଭମ ଦୁବେ ଭଲ ପ୍ରଦର୍ଶନ କରୁଛନ୍ତି। ସ୍ପିନ ବିଭାଗରେ ଚହଲ ଏପର୍ଯ୍ୟନ୍ତ ୮ଟି ୱିକେଟ ନେବାରେ ସକ୍ଷମ ହୋଇଛନ୍ତି। ଉଭୟ ଦଳ ସମାନ ସଂଖ୍ୟକ ମ୍ୟାଚ ଖେଳି ସମାନ ପଏଣ୍ଟ ହାସଲ କରିଥିବାବେଳେ ପଞ୍ଚମ ଲିଗ୍‌ ମ୍ୟାଚକୁ ଜିତି ଶୀର୍ଷ ସ୍ଥାନକୁ ଉନ୍ନୀତ ହେବା ନେଇ ଉଦ୍ୟମ କରିବେ।

Comments are closed.