ରାହୁଲଙ୍କ ଶତକ : ଆର୍‌ସିବିର ବଡ଼ ପରାଜୟ

ଦୁବାଇ : ଆଇପିଏଲ୍‍ର ୧୩ଶ ସଂସ୍କରଣରେ ପ୍ରଥମ ଶତକ ମାରିବାର କୃତିତ୍ୱ ହାସଲ କରିଛନ୍ତି କିଙ୍ଗ୍‍ସ ଏକାଦଶ ପଞ୍ଜାବର ଅଧିନାୟକ କେ.ଏଲ୍‍. ରାହୁଲ। ତାଙ୍କର ଏହି ଅପରାଜିତ ଶତକ ବଳରେ ଚଳିତ ସଂସ୍କରଣରେ ତା’ର ୨ୟ ମ୍ୟାଚରେ ପ୍ରଥମ ବିଜୟ ହାସଲ କରିଛି ପଞ୍ଜାବ। ଗୁରୁବାର ରୟାଲ୍‍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍‍ସିବି)କୁ ୯୭ ରନ୍‍ର ବିପୁଳ ବ୍ୟବଧାନରେ କିଙ୍ଗ୍‍ସ ଏକାଦଶ ପଞ୍ଜାବ ପରାସ୍ତ କରିଛି। ରାହୁଲଙ୍କ ବିସ୍ଫୋରକ ଶତକୀୟ ଇନିଂସ ବଳରେ କିଙ୍ଗ୍‍ସ ଏକାଦଶ ପଞ୍ଜାବ ୩ ୱିକେଟ ହରାଇ ୨୦୬ ରନ୍‍ର ବିଶାଳ ସ୍କୋର୍‍ କରି ପାରିଥିଲା। ପରେ ୫୭ ରନ୍‍ରେ ୫ଟି ୱିକେଟ୍‍ ହରାଇଥିବା ଆର୍‍ସିବି ୧୭ ଓଭରରେ ୧୦୯ ରନ୍‍କରି ଅଲ୍‍ଆଉଟ ହୋଇ ଯାଇଥିଲା। ପଞ୍ଜାବର ରାହୁଲ ଏକା ୧୩୨ ରନ୍‍ କରିଥିବା ବେଳେ ଆର୍‍ସିବିର ପୂରା ଦଳ ସେତିକି ରନ୍‍ କରି ପାରିନଥିଲା। ପ୍ରଥମ ମ୍ୟାଚ୍‍ରେ ବିଜୟୀ ହୋଇଥିବା ଆର୍‍ସିବିର ଏହା ପ୍ରଥମ ପରାଜୟ।
ଟସ୍‍ ଜିତି ରୟାଲ୍‍ ଚ୍ୟାଲେଞ୍ଜର୍ସ ଫିଲ୍‍ଡିଂ ନେଇଥିଲା। କିଙ୍ଗ୍‍ସ ଏକାଦଶ ପଞ୍ଜାବର ଦୁଇ ଓପ୍‍ନର କେ.ଏଲ୍‍. ରାହୁଲ ଓ ମୟଙ୍କ ଅଗ୍ରୱାଲ ଆରମ୍ଭରୁ ଚମତ୍କାର ବ୍ୟାଟିଂ କରିଥିଲେ। କର୍ଣ୍ଣାଟକର ଏହି ଦୁଇ ବ୍ୟାଟ୍‍ସମ୍ୟାନ୍‍ ୭ ଓଭରରେ ୫୭ ରନ୍‍ ଯୋଡ଼ିଥିଲେ। ପ୍ରଥମ ମ୍ୟାଚ୍‍ରେ ଚମତ୍କାର ଇନିଂସ ଖେଳିଥିବା ମୟଙ୍କ ଅଗ୍ରୱାଲ ୨୦ ବଲ୍‍ରୁ ୪ଟି ଚୌକା ସହ ୨୬ ରନ୍‍ କରିଥିଲେ। ପରେ ରାହୁଲ ଓ ନିକୋଲାସ୍‍ ପୁରନ୍‍ ୨ୟ ୱିକେଟ ପାଇଁ ମଧ୍ୟ ୫୭ ରନ୍‍ର ଭାଗିଦାରୀ କରିଥିଲେ। ୱେଷ୍ଟଇଣ୍ଡିଜ୍‍ର ପୁରନ୍‍ ୧୮ ବଲ୍‍ରୁ ଗୋଟିଏ ଚୌକା ସହ ୧୭ ରନ୍‍ କରି ପାରିଥିଲେ। କିନ୍ତୁ ଅନ୍ୟପଟେ ରାହୁଲ ଚମତ୍କାର ବ୍ୟାଟିଂ ଜାରି ରଖିଥିଲେ। କ୍ରମାଗତ ୨ୟ ମ୍ୟାଚ୍‍ରେ ବିଫଳ ହୋଇ ଗ୍ଲେନ୍‍ ମ୍ୟାକ୍ସୱେଲ ୫ ରନ୍‍କରି ବିଦାୟ ନେଇଥିଲେ। ପରେ କ୍ରିଜ୍‍ରେ ପୁଣିଥିରେ କର୍ଣ୍ଣାଟକର ଦୁଇ ବ୍ୟାଟ୍‍ସମ୍ୟାନ୍‍ ରାହୁଲ ଓ କରୁଣ ନାୟାର ଏକାଠି ହୋଇଥିଲେ। ଏହି ଭାଗିଦାରୀରେ ରାହୁଲଙ୍କ ପ୍ରାଧାନ୍ୟ ଦେଖିବାକୁ ମିଳିଥିଲା। ତେବେ ରାହୁଲ ୮୫ ଓ ୯୦ ରନ୍‍ କରିଥିବା ବେଳେ ଆର୍‍ସିବିର ଅଧିନାୟକ ବିରାଟ କୋହଲି ତାଙ୍କର ୨ଟି ସହଜ କ୍ୟାଚ୍‍ ଛାଡ଼ିଥିଲେ। ଏହାର ଫାଇଦା ଉଠାଇ ରାହୁଲ ୬୨ ବଲ୍‍ରେ ଶତକ ପୂରଣ କରିଥିଲେ। ଆଇପିଏଲ୍‍ରେ ଏହା ରାହୁଲଙ୍କ ୨ୟ ଏବଂ ମୋଟ ଉପରେ ୪ର୍ଥ ଟ୍ୱେଣ୍ଟି୨୦ ଶତକ। ଶେଷ ୪ ଓଭରରେ କିଙ୍ଗ୍‍ସ ଏକାଦଶ ପଞ୍ଜାବ ୭୪ ରନ୍‍ କରିଥିଲା। ନାୟାର ୮ ବଲ୍‍ରୁ ୧୫ ରନ୍‍କରି ଅପରାଜିତ ଥିଲେ। ରାହୁଲ ୬୯ ବଲ୍‍ରୁ ୭ଟି ଛକା ଓ ୧୪ଟି ଚୌକା ସହ ୧୩୨ ରନ୍‍କରି ଅପରାଜିତ ଥିଲେ। ଶେଷ ୯ ବଲ୍‍ରୁ ରାହୁଲ ୪୨ ରନ୍‍ ନେଇଥିଲେ। ଶିବମ୍‍ ଦୁବେ ୨ଟି ୱିକେଟ ନେଇଥିଲେ।
୨୦୭ ରନ୍‍ର ପାହାଡ଼ ଅତିକ୍ରମ କରିବା ଲକ୍ଷ୍ୟରେ ଓହ୍ଲାଇଥିବା ରୟାଲ୍‍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବିପର୍ଯ୍ୟୟ ସହ ଇନିଂସ ଆରମ୍ଭ କରିଥିଲା। ୩ୟ ଓଭରରେ ୪ ରନ୍‍ରେ ବାଙ୍ଗାଲୋର ୩ଟି ୱିକେଟ ହରାଇଥିଲା। ଯୁବ ଓପ୍‍ନର ଦେବଦତ୍ତ ପଡ଼ିକଲ ୧ ରନ୍‍କରି ବିଦାୟ ନେଇଥିଲେ। ବ୍ୟାଟିଂ କ୍ରମରେ ପଦୋନ୍ନତି ପାଇଥିବା ଜୋସ୍‍ ଫିଲିପ୍‍ ୦ ଓ ଅଧିନାୟକ ବିରାଟ କୋହଲି ୧ ରନ୍‍କରି ବିଦାୟ ନେଇଥିଲେ। ପରେ ଆର୍‍ସିବିର ଦୁଇ ବିଦେଶୀ ବ୍ୟାଟ୍‍ସମ୍ୟାନ୍‍ ଆରୋନ୍‍ ଫିଞ୍ଚ୍‍ ଓ ଏବି ଡି’ଭିଲିଅର୍ସ ଇନିଂସ ସଜାଡ଼ିବାର ପ୍ରୟାସ କରିଥିଲେ। ତେବେ ପଞ୍ଜାବର ଦୁଇ ଲେଗ୍‍ସ୍ପିନର ରବି ବିଷ୍ଣୋଇ ଓ ମୁରୁଗାନ୍‍ ଅଶ୍ୱିନ୍‍ ଉଭୟଙ୍କୁ ଅଳ୍ପ ବ୍ୟବଧାନରେ ଆଉଟ କରି ଦେଇଥିଲେ। ଓପ୍‍ନର ଆରୋନ୍‍ ଫିଞ୍ଚ୍‍ ୨୧ ବଲ୍‍ରୁ ୨୦ ଏବଂ ଡି’ଭିଲିଅର୍ସ ୧୮ ବଲ୍‍ରୁ ଗୋଟିଏ ଛକା ଓ ୪ଟି ଚୌକା ସହ ୨୮ ରନ୍‍ କରିଥିଲେ। ୫୭ ରନ୍‍ରେ ରୟାଲ୍‍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ୫ଟି ୱିକେଟ ହରାଇବା ପରେ ଏହାର ପରାଜୟ ଆସନ୍ନ ଲାଗୁଥିଲା। ଶିବମ୍‍ ଦୁବେ ୧୨ ଓ ୱାଶିଂଟନ ସୁନ୍ଦର ୨୭ ବଲ୍‍ରୁ ଗୋଟିଏ ଛକା ଓ ୨ଟି ଚୌକା ସହ ୩୦ ରନ୍‍ କରିଥିଲେ। ପରବର୍ତ୍ତୀ ବ୍ୟାଟ୍‍ସମ୍ୟାନ୍‍ ବିଫଳ ହୋଇଥିଲେ। ରବି ବିଷ୍ଣୋଇ ଓ ମୁରୁଗାନ୍‍ ଅଶ୍ୱିନ ୩ଟି ଲେଖାଏଁ ୱିକେଟ ନେଇଥିଲେ।

Comments are closed.