୩ନଂରେ ବ୍ୟାଟିଂକଲେ ରସେଲ୍‍ ଆଇପିଏଲ୍‌ରେ ଦ୍ୱିଶତକ ମାରିଦେବେ: ହସି

ଦୁବାଇ : ରବିବାର ଇଣ୍ଡିଆନ୍‍ ପ୍ରିମିୟର ଲିଗ୍‍ (ଆଇପିଏଲ୍‍)ର ଖେଳସୂଚୀ ଘୋଷଣା ହୋଇସାରିଛି। ଫଳରେ ୟୁଏଇରେ ହେବାକୁ ଥିବା ଏହି ଟ୍ୱେଣ୍ଟି୨୦ ଲିଗ୍‍ର ଆୟୋଜନକୁ ନେଇ ଥିବା ସାମାନ୍ୟତମ ସନ୍ଦେହ ମଧ୍ୟ ଦୂର ହୋଇଯାଇଛି। ଏବେ ୮ଟିଯାକ ଫ୍ରାଞ୍ଚାଇଜି ସେମାନଙ୍କର ରଣନୀତି ପ୍ରସ୍ତୁତ କରିବାରେ ବ୍ୟସ୍ତ। କଲକାତା ନାଇଟ୍‍ ରାଇଡର୍ସ (କେକେଆର୍‍)ର ପ୍ରଶିକ୍ଷକ ବ୍ରେଣ୍ଡନ୍‍ ମ୍ୟାକ୍‍କଲମ୍‍ ଓ ଉତ୍ସାହଦାତା (ମେଣ୍ଟର) ଡେଭିଡ୍‍ ହସି ଦଳର ଅଲ୍‍ରାଉଣ୍ଡର ଆନ୍ଦ୍ରେ ରସେଲଙ୍କୁ ଉପର ଅର୍ଡରରେ ବ୍ୟାଟିଂ ପଠାଇବାକୁ ପ୍ରସ୍ତୁତ ହେଉଛନ୍ତି। ଏପରି ହେଲେ ରସେଲ୍‍ଙ୍କ ବିସ୍ଫୋରକ ବ୍ୟାଟିଂ ଦକ୍ଷତାର ସର୍ବାଧିକ ଉପଯୋଗ ହୋଇପାରିବ ବୋଲି ମ୍ୟାକ୍‍କଲମ୍‍ ଓ ହସି ଅନୁଭବ କରନ୍ତି। ହସି ଏହା ମଧ୍ୟ କହିଛନ୍ତି ଯେ ଯଦି କେକେଆର୍‍ ଜଲ୍‍ଦି ପ୍ରଥମ ୱିକେଟ ହରାଏ ଏବଂ ରସେଲ୍‍ ୩ନଂ ସ୍ଥାନରେ ବ୍ୟାଟିଂକରି ଯଥେଷ୍ଟ ବଲ୍‍ ଖେଳିବାର ସୁଯୋଗ ପାଆନ୍ତି; ସେ ଆଇପିଏଲ୍‍ ଇତିହାସରେ ସର୍ବପ୍ରଥମ ଦ୍ୱିଶତକ ମଧ୍ୟ ମାରିପାରନ୍ତି। ଏପରି କୃତିତ୍ୱ ହାସଲ କରିବା ପାଇଁ ରସେଲ୍‍ଙ୍କୁ ପାଖାପାଖି ୬୦ ବଲ୍‍ ଖେଳିବାକୁ ମିଳିବା ଉଚିତ।

ଏକ ସାମ୍ବାଦିକ ସମ୍ମିଳନୀରେ ଅଷ୍ଟ୍ରେଲିଆର ଡେଭିଡ୍‍ ହସି କହିଛନ୍ତି, ଯଦି ଏହା ଦଳ ଏବଂ କ୍ରିକେଟ୍‍ର ଭଲ ପାଇଁ ଉଦ୍ଦିଷ୍ଟ; ତେବେ ଆନ୍ଦ୍ରେ ରସେଲ୍‍ଙ୍କୁ କାହିଁକି ଉପର ଅର୍ଡରରେ ବ୍ୟାଟିଂ କରିବାକୁ ଦିଆନଯିବ? ମୋର ଅନୁମାନ ହେଉଛି ଯଦି ରସେଲ୍‍ ୩ନଂ ସ୍ଥାନରେ ବ୍ୟାଟିଂକରନ୍ତି ଏବଂ ଅତିକମ୍‍ରେ ୬୦ଟି ବଲ୍‍ ଖେଳିବାର ସୁଯୋଗ ପାଆନ୍ତି; ତେବେ ପ୍ରକୃତରେ ସେ ଦ୍ୱିଶତକ ମାରିପାରନ୍ତି। ରସେଲ୍‍ କ୍ରିଜ୍‍ରେ ଥିଲେ କିଛି ବି ହୋଇପାରେ। ଗତବର୍ଷ ଆଇପିଏ୍‍ଲରେ ୱେଷ୍ଟଇଣ୍ଡିଜ୍‍ର ଅଲ୍‍ରାଉଣ୍ଡର ଆନ୍ଦ୍ରେ ରସେଲ ଚମତ୍କାର ପ୍ରଦର୍ଶନ କରିଥିଲେ। ସେ ୧୩ଟି ମ୍ୟାଚ୍‍ ଖେଳି ୫୬.୬୬ ଆଭ୍‍ରେଜରେ ୫୧୦ ରନ୍‍ କରିଥିଲେ। ଏହାସହ ସେ ୧୧ଟି ୱିକେଟ ନେଇଥିଲେ। ଆନ୍ଦ୍ରେ ରସେଲ୍‍ଙ୍କୁ ପ୍ରଶଂସାକରି ଡେଭିଡ୍‍ ହସି କହିଛନ୍ତି, ରସେଲ୍‍ ଜଣେ ଚମତ୍କାର କ୍ରିକେଟର। ପ୍ରକୃତରେ ସେ କେକେଆର୍‍ ଦଳର ହୃଦ୍‍ସ୍ପନ୍ଦନ। ଆମର ଏଥର ଚମତ୍କାର ଦଳ ରହିଛି। ଯେକୌଣସି ବ୍ୟାଟ୍‍ସମ୍ୟାନ୍‍ ଯେକୌଣସି ସ୍ଥାନରେ ବ୍ୟାଟିଂ କରିପାରନ୍ତି। ଯଦି ଏହା ଦଳ ପାଇଁ ପ୍ରକୃତରେ ସହାୟକ ହୁଏ; ତେବେ ରସେଲ୍‍ଙ୍କୁ ଉପର ଅର୍ଡରରେ କାହିଁକି ବ୍ୟାଟିଂ ଦିଆନଯିବ? ବ୍ରେଣ୍ଡନ୍‍ ମ୍ୟାକ୍‍କଲମ୍‍ ଜଣେ ଚମତ୍କାର ପ୍ରଶିକ୍ଷକ ଏବଂ ଦଳର ଖେଳାଳିଙ୍କଠାରୁ ଶ୍ରେଷ୍ଠ ପ୍ରଦର୍ଶନ ଆଦାୟ କରିବାରେ ସମର୍ଥ। ଏଥର କେକେଆର୍‍ ଦଳରେ ଇଂଲଣ୍ଡର ସୀମିତ ଓଭର ଅଧିନାୟକ ଇଓନ୍‍ ମୋର୍ଗାନ୍‍ ଥିବାରୁ ଦଳର ବ୍ୟାଟିଂ ଶକ୍ତି ବହୁତ ବୃଦ୍ଧିପାଇଛି ବୋଲି ହସି କହିଛନ୍ତି। ଦିନେଶ କାର୍ତ୍ତିକ ଅଧିନାୟକ ଥିବା ବେଳେ ମୋର୍ଗାନ୍‍ କେକେଆର୍‍ର ଉପଅଧିନାୟକ ଦାୟିତ୍ୱ ନିର୍ବାହ କରିବେ। ବିଶ୍ୱକପ୍‍ ବିଜେତା ଦଳର ଅଧିନାୟକ ଦଳରେ ରହିବା ଏକ ଚମତ୍କାର ଅନୁଭୂତି। କାର୍ତ୍ତିକ ଷ୍ଟମ୍ପ୍‍ ପଛରୁ ଓ ମୋର୍ଗାନ୍‍ ବୋଲରଙ୍କ ପାଖରେ ରହି ସେମାନଙ୍କୁ ପରାମର୍ଶ ଦେଇପାରିବେ।

Comments are closed.