କଲକାତା ନାଇଟ୍‌ ରାଇଡର୍ସର ଅଧିନାୟକ ପଦ ଛାଡିଲେ ଦୀନେଶ କାର୍ତ୍ତିକ, ଇୟାନ ମୋର୍ଗାନ କେକେଆରର ନୂଆ ଅଧିନାୟକ

ଆବୁଧାବି : ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ) ତ୍ରୟୋଦଶତମ ସଂସ୍କରଣର ୩୨ତମ ମ୍ୟାଚ ଆବୁଧାବିରେ ମୁମ୍ବଇ ଇଣ୍ଡିଆନ୍‌ସ ଓ କଲକାତା ନାଇଟ୍‌ ରାଇଡର୍ସ ମଧ୍ୟରେ ଖେଳାଯିବ । ଆଜିର ମ୍ୟାଚ ପୂର୍ବରୁ କଲକାତା ନାଇଟ୍‌ ରାଇଡର୍ସ ଦଳରେ ଏକ ବଡ ପରିବର୍ତ୍ତନ କରାଯାଇଛି । ୨୦୨୦ ଆଇପିଏଲ ଆରମ୍ଭରୁ କଲକାତା ନାଇଟ୍‌ ରାଇଡର୍ସର ଅଧିନାୟକ ପଦ ସମ୍ଭାଳୁଥିବା ଭାରତୀୟ ୱିକେଟ କିପର ବ୍ୟାଟ୍ସମ୍ୟାନ ଦୀନେଶ କାର୍ତ୍ତିକ ଅଧିନାୟକତ୍ୱ ଛାଡିଛନ୍ତି । ଦୀନେଶ କାର୍ତ୍ତିକଙ୍କ ସ୍ଥାନରେ ୨୦୧୯ରେ ଇଂଲଣ୍ଡକୁ ବିଶ୍ୱ ଚାମ୍ପିଅନ୍ କରିଥିବା ଇୟାନ ମୋର୍ଗାନ କଲକାତା ନାଇଟ୍‌ ରାଇଡର୍ସ ଦଳର ଅଧିନାୟକ ପଦ ସମ୍ଭାଳିବେ । ଏନେଇ କଲକାତା ନାଇଟ୍‌ ରାଇଡର୍ସର ଟିମ୍ ମ୍ୟାନେଜମେଣ୍ଟ ପକ୍ଷରୁ ସୂଚନା ଦିଆଯାଇଛି ।

ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ) ତ୍ରୟୋଦଶତମ ସଂସ୍କରଣର ପ୍ରଥମ ରାଉଣ୍ଡରେ କଲକାତା ନାଇଟ୍‌ ରାଇଡର୍ସ ଦୀନେଶ କାର୍ତ୍ତିକ ଅଧିନାୟକତ୍ୱରେ ୭ଟି ମ୍ୟାଚରୁ ୪ଟି ବିଜୟ, ୩ଟି ପରାଜୟ ସହ ୮ ପଏଣ୍ଟ ହାସଲ କରିଛି। ତେବେ ଦ୍ବିତୀୟ ରାଉଣ୍ଡରେ ଇୟାନ ମୋର୍ଗାନଙ୍କ ଅଧିନାୟକତ୍ଵ ଉପରେ କେକେଆର ଦଳ ନିର୍ଭର କରୁଛି । ତେବେ ଟୁର୍ନାମେଣ୍ଟର ମଧ୍ୟ ଭାଗରେ କଣ ପାଇଁ କାର୍ତ୍ତିକ ଅଧିନାୟକତ୍ଵ ଛାଡିଲେ ତାହା ଟିମ୍ ମ୍ୟାନେଜମେଣ୍ଟ ଜଣାଇନଥିଲେ ମଧ୍ୟ କାର୍ତ୍ତିକ ତାଙ୍କ ବ୍ୟାଟିଂ ଉପରେ ଅଧିକ ଧ୍ୟ୍ୟାନ ଦେବା ପାଇଁ ଅଧିନାୟକ ପଦ ଛାଡିଥିବା ଚର୍ଚା ହେଉଛି ।

 

 

Comments are closed.