ଇଂଲଣ୍ଡର କମ୍ପାନୀକୁ ଆଇପିଏଲ ଜୈବ ନିରାପତ୍ତା ପରିଧି ଦାୟିତ୍ୱ

ମୁମ୍ବଇ: ଚଳିତବର୍ଷର ଆଇପିଏଲ୍‍ ସେପ୍ଟେମ୍ବର ୧୯ରୁ ନଭେମ୍ବର ୧୦ ପର୍ଯ୍ୟନ୍ତ ୟୁଏଇର ୩ଟି ସହରରେ ଆୟୋଜନ ହେବ। ଭାରତରେ କୋଭିଡ୍‍-୧୯ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଥିବା ବେଳେ ଚଳିତବର୍ଷ ବିଦେଶରେ ତା’ର ଧନଶାଳୀ କ୍ରିକେଟ୍‍ ଲିଗ୍‍ ଆଇପିଏଲ୍‍ ଆୟୋଜନ କରିବା ପାଇଁ ବିସିସିଆଇ ନିଷ୍ପତ୍ତି ନେଇଛି। ଏବେ ଆୟୋଜକଙ୍କ ପାଇଁ ମୁଖ୍ୟ ଚିନ୍ତା ହେଉଛି ଖେଳାଳିଙ୍କୁ କୋଭିଡ୍‍-୧୯ ଭୂତାଣୁ ସଂକ୍ରମଣରୁ ବଞ୍ଚାଇବା। କାରଣ କିଛି ଖେଳାଳି କିମ୍ବା ସପୋର୍ଟ ଷ୍ଟାଫ୍‍ ଏହି ଭୂତାଣୁ ଦ୍ୱାରା ସଂକ୍ରମିତ ହେଲେ ପୂରା ଟୁର୍ଣ୍ଣାମେଣ୍ଟ ବାତିଲ ହୋଇପାରେ। ତେଣୁ ଆଇପିଏଲ୍‍ର ୮ଟିଯାକ ଫ୍ରାଞ୍ଚାଇଜି ଏବଂ ବିସିସିଆଇ ଅଧିକାରୀ ଓ ଆୟୋଜନ ସହ ସମ୍ପୃକ୍ତ ବ୍ୟକ୍ତିବିଶେଷଙ୍କ ଲାଗି ବିସିସିଆଇ ଏକ ଜୈବ ନିରାପତ୍ତା ପରିଧି ତିଆରି କରିବାର ଘୋଷଣା କରିଥିଲା। ୟୁଏଇରେ ଏହି ଜୈବ ନିରାପତ୍ତା ପରିଧି ତିଆରି କରିବାର ଦାୟିତ୍ୱ ପାଇଛି ଇଂଲଣ୍ଡର ନିରାପତ୍ତା ଓ ସୁରକ୍ଷା କମ୍ପାନୀ ‘ରିଷ୍ଟ୍ରାଟା’। ଆଇପିଏଲ୍‍ ପାଇଁ ଜୈବ ନିରାପତ୍ତା ପରିଧି ତିଆରି କରିବା ପାଇଁ ବିଭିନ୍ନ କମ୍ପାନୀଙ୍କଠାରୁ ବିସିସିଆଇ ଦାବି ଆହ୍ୱାନ କରିଥିଲା। ଏଥିରେ ଭାରତର ଟାଟା ଗ୍ରୁପ୍‍କୁ ପଛରେ ପକାଇ ରିଷ୍ଟ୍ରାଟା ଏହି ଦାୟିତ୍ୱ ପାଇଛି। ଗୁରୁବାରଠାରୁ ବିଭିନ୍ନ ଫ୍ରାଞ୍ଚାଇଜ ଦଳବଳ ସହ ୟୁଏଇରେ ପହଞ୍ଚିବା ଆରମ୍ଭ କରିଛନ୍ତି। ସେଠାରେ ପ୍ରତି ଫ୍ରାଞ୍ଚାଇଜି ପହଞ୍ଚିବା ପରେ ରିଷ୍ଟ୍ରାଟା ଦ୍ୱାରା ଗଠିତ ଜୈବ ନିରାପତ୍ତା ପରିଧି ମଧ୍ୟରେ ସେମାନେ ରହିବେ। ସମସ୍ତେ ଯେପରି କୋଭିଡ୍‍ ନିୟମର କଡ଼ାକଡ଼ି ପାଳନ କରିବେ. ପରିଧି ବାହାରର କୌଣସି ବ୍ୟକ୍ତିଙ୍କ ସହ ନ ମିଶିବେ ଏବଂ ସମସ୍ତେ ସାମାଜିତ ଦୂରତ୍ୱ ନିୟମ ମାନିବେ; ତାହା ରିଷ୍ଟ୍ରାଟା ନିଶ୍ଚିତ କରିବ। ଖେଳାଳିଙ୍କ ଗତିବିଧି ଉପରେ ନଜର ରଖିବା ପାଇଁ ଏକ ଜିପିଏସ୍‍ ଚିପ୍‍ ସେମାନଙ୍କ ପରିଚୟ ପତ୍ର କିମ୍ବା ମୁଦିରେ ଲଗାଯିବ। ପ୍ରତି ଖେଳାଳି କେଉଁ ସମୟରେ କେଉଁଠାରେ ଅଛନ୍ତି; ଯାହା ରିଷ୍ଟ୍ରାଟା ଜାଣିପାରିବ। ୱେଷ୍ଟଇଣ୍ଡିଜ୍‍ ସିରିଜ୍‍ ସମୟରେ ଇଂଲଣ୍ଡର ଫାଷ୍ଟବୋଲର ଜୋଫ୍ରା ଆର୍ଚର ଜିପିଏସ୍‍ ଚିପ୍‍ ଯୋଗୁଁ ହୋଟେଲ ଯିବା ବାଟରେ ନିଜ ଫ୍ଲାଟ୍‍କୁ ଯାଇ ଧରା ପଡ଼ିଥିଲେ ଏବଂ ସଂଗରୋଧରେ ରହିଥିଲେ। ପ୍ରତି ଫ୍ରାଞ୍ଚାଇଜଙ୍କ ପାଇଁ ଜୈବ ନିରାପତ୍ତା ପରିଧି ଦଳ ରହୁଥିବା ହୋଟେଲ, ଅଭ୍ୟାସ ଗ୍ରାଉଣ୍ଡ, ମ୍ୟାଚ୍‍ ସ୍ଥଳ ପ୍ରଭୃତି ସ୍ଥାନରେ ରହିବ। ଏହି ପରିଧି ବାହାରକୁ ଯିଏ ମଧ୍ୟ ଗଲେ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବିସିସିଆଇ ଚେତାବନୀ ଦେଇଛି।

Comments are closed.