କରୋନା ଯୋଗୁଁ ସମ୍ପୂର୍ଣ୍ଣ ଦୁର୍ନୀତିମୁକ୍ତ ହେବ ଆଇପିଏଲ୍‍

ମୁମ୍ବଇ: ୟୁଏଇର ଦୁବାଇ, ଆବୁଧାବି ପରି ସହର ହେଉଛି ମ୍ୟାଚ୍‍ ଫିକ୍ସର ଓ ବୁକିମାନଙ୍କର ପେଣ୍ଠସ୍ଥଳ। ୟୁଏଇରେ ହିଁ ମାସକ ପରେ ଇଣ୍ଡିଆନ୍‍ ପ୍ରିମିୟର ଲିଗ୍‍ (ଆଇପିଏଲ୍‍)ର ୧୩ଶ ସଂସ୍କରଣ ଆୟୋଜନ ହେବ। ଏଥିରେ ୫୧ ଦିନରେ ୬୦ଟି ମ୍ୟାଚ୍‍ ଖେଳାଯିବ। ଏତେଦିନ ଧରି ଚାଲିବାକୁ ଥିବା ବଡ଼ ଟୁର୍ଣ୍ଣାମେଣ୍ଟ ଉପରେ ମ୍ୟାଚ୍‍ ଫିକ୍ସର ଓ ବୁକିମାନେ ନଜର ରଖିଥାଆନ୍ତି। ତେଣୁ ଏହି ସନ୍ଦର୍ଭରେ ଚଳିତବର୍ଷର ଆଇପିଏଲ୍‍ ବିସିସିଆଇ ପାଇଁ ମୁଣ୍ଡବିନ୍ଧାର କାରଣ ହେବ ବୋଲି କ୍ରିକେଟ୍‍ ସମୀକ୍ଷକ ଆଶଙ୍କା କରୁଛନ୍ତି। ତେବେ ବିସିସିଆଇର ଦୁର୍ନୀତି ନିରୋଧ ସଂସ୍ଥା (ଏସିୟୁ)ର ମୁଖ୍ୟ ଅଜିତ ସିଂହ ସମ୍ପୂର୍ଣ୍ଣ ଓଲଟା କଥା କହିଥାଆନ୍ତି। ଅଜିତଙ୍କ ଅନୁସାରେ ୨୦୨୦ର ଆଇପିଏଲ୍‍ ସମ୍ପୂର୍ଣ୍ଣ ଦୁର୍ନୀତିମୁକ୍ତ ହେବ। ଏହାର କାରଣ ହେଉଛି କରୋନା। ସାରାବିଶ୍ୱରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ୟୁଏଇରେ ହେବାକୁ ଥିବା ଆଇପିଏଲ୍‍ ପାଇଁ ବିସିସିଆଇ ସମସ୍ତ ଫ୍ରାଞ୍ଚାଇଜିଙ୍କୁ ପୃଥକ୍‍ ଜୈବ ନିରାପତ୍ତା ପରିଧି ଗଠନ କରିବାକୁ ପରାମର୍ଶ ଦେଇଛି। ଫ୍ରାଞ୍ଚାଇଜିର ଲୋକ ଏହି ପରିଧି ବାହାରକୁ ଯାଇପାରିବେ ନାହିଁ କିମ୍ବା ବାହାରର ଲୋକ ଏହି ପରିଧି ମଧ୍ୟରେ ଥିବା ଖେଳାଳି ବା ସପୋର୍ଟ ଷ୍ଟାଫ୍‍ଙ୍କ ପାଖକୁ ମଧ୍ୟ ଯାଇପାରିବେ ନାହିଁ। ତେଣୁ ଦୁନୀତିର ଆଶଙ୍କା ବହୁତ କମ୍‍ ହୋଇଯିବ ବୋଲି ଅଜିତ ସିଂହ କହିଛନ୍ତି।

ଅଜିତ ସିଂହ କହିଛନ୍ତି, କରୋନା ସଂକ୍ରମଣ ଦୃଷ୍ଟିରୁ ଏହି ଆଇପିଏଲ୍‍ ଖେଳାଳି ଓ ଅନ୍ୟମାନଙ୍କ ପାଇଁ ନିରାପଦ ରହିବ କି ନାହିଁ; ତାହା କହିବା ଅସମ୍ଭବ। ତେବେ ମୁଁ ଏତିକି ନିଶ୍ଚିତ କରିଦେବାକୁ ଚାହେଁ ଯେ ଏହା ଅଧିକ ଦୁର୍ନୀତିମୁକ୍ତ ହେବ। ଖେଳାଳି ଓ ସପୋର୍ଟ ଷ୍ଟାଫ୍‍ ବାହାର ଲୋକଙ୍କ ସହ ମିଶିପାରିବେ ନାହିଁ। ତଥାପି ଆମେ ସମ୍ପୂର୍ଣ୍ଣ ସଜାଗ ରହିବୁ ଏବଂ କୌଣସି ଢିଲାପଣ ଦେଖାଇବୁ ନାହିଁ। ଅଜିତ ସିଂହ କହିଛନ୍ତି ଯେ ସମସ୍ତ ଖେଳାଳି ଜିପିଏସ୍‍ ଯନ୍ତ୍ର ବହନ କରିବେ। ଫଳରେ ଖେଳାଳି କେଉଁଠାରେ ଅଛନ୍ତି କିମ୍ବା କେଉଁଠାକୁ ଯାଉଛନ୍ତି; ତାହା ସହଜରେ ଜଣା ପଡ଼ିଯିବ। ପୂର୍ବରୁ ହୋଇଥିବା ଆଇପିଏଲ୍‍ ସମୟରେ ମ୍ୟାଚ୍‍ ଫିକ୍ସର ଓ ବୁକିମାନେ ଖେଳାଳି ରହୁଥିବା ହୋଟେଲ ମଧ୍ୟରେ ବୁଲାବୁଲି କରି ପାରୁଥିଲେ, ଲବିରେ ବସୁଥିଲେ, ନିଜକୁ ପ୍ରାୟୋଜକଙ୍କ ପ୍ରତିନିଧି କିମ୍ବା ବ୍ରାଣ୍ଡ୍‍ ଆମ୍ବାସାଡରର ପରିଚୟ ଦେଇ ଖେଳାଳିଙ୍କ ସହ ମିଶୁଥିଲେ। ଏଥିରେ ହିଁ ସେମାନେ ଖେଳାଳିଙ୍କୁ ଦୁର୍ନୀତି କରିବା ପାଇଁ ପ୍ରଲୋଭନ ଦେଖାଉଥିଲେ। ହେଲେ ଏଥର ସେପରି ହେବାର ପ୍ରଶ୍ନ ହିଁ ଉଠୁନାହିଁ। ହେଲେ ସାମାଜିକ ଗଣମାଧ୍ୟମ ଜରିଆରେ ଖେଳାଳିଙ୍କୁ ମ୍ୟାଚ୍‍ ଫିକ୍ସର ଓ ବୁକିମାନେ ଦୁର୍ନୀତିର ପ୍ରସ୍ତାବ ଦେଇପାରନ୍ତି ବୋଲି ଅଜିତ ସିଂହ କହିଛନ୍ତି। ଏପରି କୌଣସି ସୂଚନା ପାଇଲେ ଖେଳାଳି କିମ୍ବା ସପୋର୍ଟ ଷ୍ଟାଫ୍‍ ଏସିୟୁକୁ ଜଣାଇବା ପାଇଁ ସେମାନଙ୍କୁ କୁହାଯାଇଛି। ପୁଣି ବେଟିଂ ଉପରେ ମଧ୍ୟ ଏସିୟୁ ନଜର ରଖିବ ବୋଲି ଅଜିତ କହିଛନ୍ତି। ବେଟିଂରେ କିଛି ସନ୍ଦେହଜନକ ମନେହେଲେ ଏସିୟୁ ଏହାର ତଦନ୍ତ କରିବ। ପୁଣି ଏସିୟରୁ ଗୁପ୍ତଚର ରହିବେ ଏବଂ ଖେଳାଳିଙ୍କ ସାମାଜିକ ଗଣମାଧ୍ୟମ ଆକାଉଣ୍ଟ ଉପରେ ମଧ୍ୟ ନଜର ରଖାଯିବ। ଅଜିତ ସିଂହ ଆହୁରି କହିଛନ୍ତି ଯେ ପ୍ରତି ଦଳ ସହ ୨ ଜଣ ଲେଖାଏଁ ନିରାପତ୍ତା ଅଧିକାରୀ ରହିବେ। ଦଳ ଅଭ୍ୟାସ ବା ମ୍ୟାଚ୍‍ ଖେଳିବାକୁ ଗଲାବେଳେ ସେମାନେ ଖେଳାଳିଙ୍କ ସହ ଯିବେ। ଖେଳାଳିଙ୍କ ପ୍ରତି ଆସନ୍ନ ବିପଦ ସହ ସେମାନଙ୍କ ସହ ସମ୍ପର୍କ ରଖିବାକୁ ଚାହୁଁଥିବା ଦୁର୍ନୀତିଖୋରଙ୍କ ଉପରେ ମଧ୍ୟ ନିରାପତ୍ତା ଅଧିକାରୀ ନଜର ରଖିବେ।

Comments are closed.