ରୋହିତ-ସ୍ମିଥ୍‌ ମୁକାବିଲା ଆଜି

ଆବୁଧାବି: ଆଇପିଏଲ୍‌ର ଚଳିତ ସଂସ୍କରଣରେ ମଙ୍ଗଳବାର ରୋହିତ ଶର୍ମାଙ୍କ ନେତୃତ୍ବାଧିନ ମୁମ୍ବଇ ଇଣ୍ଡିଆନ୍‌ସର ମୁକାବିଲା ଷ୍ଟିଭ୍‌ ସ୍ମିଥ୍‌ଙ୍କ ନେତୃତ୍ବାଧିନ ରାଜସ୍ଥାନ ରୟାଲ୍‌ସ ଦଳ ସହ ହେବ। ଏହି ମ୍ୟାଚ୍‌ ଜିତି ନିଜ ସ୍ଥିତି ସୁଦୃଢ଼ କରିବାକୁ ଉଭୟ ଦଳ ନିଶ୍ଚିତ ଭାବେ ପ୍ରୟାସ କରିବେ।

ଆଇପିଏଲ୍‌ର ଚଳିତ ସଂସ୍କରଣରେ ବର୍ତ୍ତମାନ ସୁଦ୍ଧା ମୁମ୍ବଇ ଇଣ୍ଡିଆନ୍‌ସ ଦଳ ୫ଟି ମ୍ୟାଚ୍‌ ଖେଳି ୩ଟିରେ ବିଜୟୀ ହୋଇ ୬ ପଏଣ୍ଟ ହାସଲ କରିଥିବା ବେଳେ ରାଜସ୍ଥାନ ରୟାଲ୍‌ସ ଦଳ ୪ଟି ମ୍ୟାଚ୍‌ ଖେଳି ୨ଟିରେ ବିଜୟୀ ହୋଇ ୪ ପଏଣ୍ଟ ହାସଲ କରିଛି। ରୋହିତ ଶର୍ମାଙ୍କ ନେତୃତ୍ବାଧିନ ମୁମ୍ବଇ ଇଣ୍ଡିଆନ୍‌ସ ବେଶ୍‌ ଶକ୍ତିଶାଳୀ। ଦଳରେ ଓପନର୍‌ ଭାବେ ରୋହିତ ଶର୍ମା ଓ କ୍ବିଣ୍ଟନ୍‌ ଡି’ କକ୍‌ ରହିଛନ୍ତି। କିଛିଦିନ ପୂର୍ବେ ଖେଳାଯାଇଥିବା ମ୍ୟାଚ୍‌ରେ ରୋହିତ ନିଜ ବିସ୍ଫୋରକ ବ୍ୟାଟିଂର ପ୍ରଦର୍ଶନ କରି ସାରିଥିବା ବେଳେ ଗତ ମ୍ୟାଚ୍‌ରେ ଡି’କକ୍‌ ମଧ୍ୟ ଫର୍ମକୁ ଫେରିଛନ୍ତି। ତେଣୁ ଏହି ଦୁଇ ଓପନରଙ୍କୁ ଆଉଟ୍‌ କରିବା ରାଜସ୍ଥାନ ରୟାଲ୍‌ସ ଦଳର ବୋଲରଙ୍କ ପାଇଁ ଏକ ବଡ଼ ଆହ୍ବାନ ହେବ। ରୋହିତ ଓ ଡି’କକ୍‌ଙ୍କ ବ୍ୟତୀତ ମୁମ୍ବଇ ଦଳରେ ଥିବା ଈଶାନ୍ କିଷନ ବେଶ୍‌ ଭଲ ଫର୍ମରେ ଅଛନ୍ତି। ରାଜସ୍ଥାନ ବିପକ୍ଷ ମ୍ୟାଚ୍‌ରେ ତାଙ୍କ ଠାରୁ ବଡ଼ ସ୍କୋରର ଆଶା ରଖିଛି ମୁମ୍ବଇ ଦଳ। ସେହିପରି ହାର୍ଦିକ ପାଣ୍ଡ୍ୟା ଓ କୈରନ୍‌ ପୋଲାର୍ଡ ଫର୍ମକୁ ଫେରିଥିବାରୁ ରାଜସ୍ଥାନ ଦଳ ପାଇଁ ଏମାନେ ଅସୁବିଧା ସୃଷ୍ଟି କରିବାର ସମ୍ଭାବନା ରହିଛି। ପୁଣି କ୍ରୁନାଲ୍‌ ପାଣ୍ଡ୍ୟା ଗତ ମ୍ୟାଚ୍‌ରେ ବିସ୍ଫୋରକ ବ୍ୟାଟିଂ ପ୍ରଦର୍ଶନ କରିଥିବାରୁ ରାଜସ୍ଥାନ ବିପକ୍ଷ ମ୍ୟାଚ୍‌ରେ ଦଳ ତାଙ୍କ ଠାରୁ ସମାନ ପ୍ରକାର ପ୍ରଦର୍ଶନର ଆଶା ରଖିବା ସ୍ବାଭାବିକ। ବୋଲିଂକୁ ଦୃଷ୍ଟି ଦେଲେ ମୁମ୍ବଇ ଦଳରେ ଦ୍ରୁତ ବୋଲର ଭା​ବେ ଟ୍ରେଣ୍ଟ ବୋଲ୍‌ଟ, ଯଶପ୍ରୀତ ବୁମରା ରହିଛନ୍ତି। ସେମାନଙ୍କୁ ସହାୟତା ପାଇଁ ଦଳରେ ଜେମ୍‌ସ ପାଟିନ୍‌ସନ ରହିଛନ୍ତି। ହାର୍ଦିକ ପାଣ୍ଡ୍ୟା ଦ୍ରୁତ ବୋଲିଂ କରିବାକୁ ଥିବା ବେଳେ ତାଙ୍କ ଭାଇ କ୍ରୁନାଲ୍‌ ସ୍ପିନର ଭୂମିକାରେ ରହିବେ। ଅନ୍ୟତମ ସ୍ପିନର ରାହୁଲ ଚହର୍‌ ମଧ୍ୟ ଭଲ ପ୍ରଦର୍ଶନ କରିବେ ବୋଲି ଆଶା ରହିଛି।

ରାଜସ୍ଥାନ ରୟାଲ୍‌ସ ଦଳର ବ୍ୟାଟିଂ ମୁଖ୍ୟତଃ ସ୍ମିଥ୍‌, ସଞ୍ଜୁ ସାମସନ୍‌ ଓ ରାହୁଲ ତେୱତିଆଙ୍କ ଉପରେ ନିର୍ଭରଶୀଳ। ଜୋସ୍ ବଟଲର୍‌ ନିଜ ପ୍ରତିଭା ଅନୁଯାୟୀ ବ୍ୟାଟିଂ ପ୍ରଦର୍ଶନ କରିବାରେ ବିଫଳ ହୋଇଥିବାରୁ ମଙ୍ଗଳବାର ମ୍ୟାଚ୍‌ରେ ତାଙ୍କ ସ୍ଥାନରେ ଯୁବ ଭାରତୀୟ ବ୍ୟାଟସମ୍ୟାନ୍ ଜଶସ୍ବୀ ଜୟସ୍ବାଲ୍‌ଙ୍କୁ ପୁନର୍ବାର ସୁଯୋଗ ପ୍ରଦାନ କରାଯିବାକୁ କେତେକ କ୍ରିକେଟ୍‌ ପଣ୍ଡିତ ମତ ଦେଇଛନ୍ତି। ମୁମ୍ବଇ ଇଣ୍ଡିଆନ୍‌ସକୁ ପରାସ୍ତ କରିବାକୁ ହେଲେ ରବିନ୍‌ ଉତ୍ଥପା ଓ ଡେଭିଡ୍ ମିଲରଙ୍କୁ ଭଲ ବ୍ୟାଟିଂ କରିବାକୁ ପଡ଼ିବ। ଦ୍ରୁତ ବୋଲର ଜୋଫ୍ରା ଆର୍ଚର ଏହି ମ୍ୟାଚ୍‌ରେ କିଭଳି ପ୍ରଦର୍ଶନ କରୁଛନ୍ତି ତାହା ଉପରେ ସମସ୍ତଙ୍କ ନଜର ରହିବ। ଇଂଲଣ୍ଡର ତାରକା ଅଲରାଉଣ୍ଡର ବେନ୍‌ ଷ୍ଟୋକ୍‌ସ ଇତିମଧ୍ୟରେ ୟୁଏଇରେ ପହଞ୍ଚିଥିବା ବେଳେ ସେ ବର୍ତ୍ତମାନ ସଙ୍ଗରୋଧରେ ରହିଛନ୍ତି। ମୋଟାମୋଟି ଭାବେ ଦୁଇ ଦଳ ମଧ୍ୟରେ ମ୍ୟାଚ୍ ସଂଘର୍ଷପୂର୍ଣ୍ଣ ହେବ ବୋଲି ଆଶା ରହିଛି।

Comments are closed.