ଆଇପିଏଲ୍‌ ମ୍ୟାଚ୍‌ର ସମୟ ଅପରିବର୍ତ୍ତିତ ରହିବ

0

ନୂଆଦିଲ୍ଲୀ : ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍‌)ର ୧୨ଶ ସଂସ୍କରଣ ଚଳିତମାସ ୨୩ ରୁ ଆରମ୍ଭ ହେବ। ଚଳିତ ସଂସ୍କରଣର ଆଇପିଏଲ୍‌ ମ୍ୟାଚ୍‌ଗୁଡ଼ିକର ସମୟରେ ପରିବର୍ତ୍ତନ କରାଯିବ ବୋଲି ଆଲୋଚନା ହେଉଥିଲା। ତେବେ ଗତ ୧୧ଟି ସଂସ୍କରଣ ପରି ଚଳିତ ସଂସ୍କରଣର ମ୍ୟାଚ୍‌ଗୁଡ଼ିକୁ ଅପରାହ୍ଣ ୪ଟା  ଓ ରାତି ୮ଟାରୁ ଆରମ୍ଭ ହେବ ବୋଲି ବିସିସିଆଇ ପ୍ରଶାସନିକ କମିଟି (ସିଓଏ)ର ମୁଖ୍ୟ ବିନୋଦ ରାୟ ଗୁରୁବାର ସୂଚନା ଦେଇଛନ୍ତି। ଆଲୋଚନା ହେଉଥିଲା ଯେ ରାତି ୮ଟାରେ ଆରମ୍ଭ ହେଉଥିବା ମ୍ୟାଚ୍‌ଗୁଡ଼ିକ ରାତି ୧୧.୩୦ ପାଖାପାଖି ସରୁଥିଲା। ମଧ୍ୟରାତ୍ର ପାଖାପାଖି ବିଳମ୍ବରେ ଦର୍ଶକମାନେ ଘରକୁ ଫେରିବାରେ ଅସୁବିଧା ଅନୁଭବ କରୁଥିଲେ। ତେଣୁ ରାତି ମ୍ୟାଚ୍ ସନ୍ଧ୍ୟା ୭ଟାରୁ ଆରମ୍ଭ କରିବାକୁ ଦାବି ହୋଇଥିଲା। ତେବେ ଫ୍ରାଞ୍ଚାଇଜିମାନେ ରାତି ୮ଟା ସପକ୍ଷରେ ମତ ଦେଇଥିଲେ। ନିର୍ଦ୍ଦିଷ୍ଟ ଭାବେ କିଛି ଘୋଷଣା କରା ଯାଇନଥିବା ବେଳେ ଗତମାସ ୧୯ରେ ଘୋଷଣା କରା ଯାଇଥିବା ଆଇପିଏଲ୍‌ର ପ୍ରଥମ ଦଫା ଖେଳସୂଚୀରେ ମ୍ୟାଚ୍‌ର ସମୟ ଦର୍ଶା ଯାଇନଥିଲା। ୨ ସପ୍ତାହ ପାଇଁ ଘୋଷଣା କରା ଯାଇଥିବା ଖେଳସୂଚୀ ଅନୁସାରେ, ଚେନ୍ନଇରେ ମାର୍ଚ୍ଚ ୨୩ରେ ଗତବର୍ଷର ଚମ୍ପିଆନ୍ ଚେନ୍ନଇ ସୁପର କିଙ୍ଗ୍‌ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି) ମଧ୍ୟରେ ଉଦ୍‌ଘାଟନୀ ମ୍ୟାଚ୍ ଖେଳାଯିବ। ଗତବର୍ଷ ଲିଗ୍ ପର୍ଯ୍ୟାୟରେ ମ୍ୟାଚ୍‌ସବୁ ଅପରାହ୍‌ଣ ୪ଟାରୁ ଏବଂ ରାତି ୮ଟାରୁ ଆରମ୍ଭ ହୋଇଥିବା ବେଳେ ପ୍ଲେଅଫ୍‌ର ମ୍ୟାଚ୍‌ସବୁ ସନ୍ଧ୍ୟା ୭ଟାରୁ ଆରମ୍ଭ ହୋଇଥିଲା। ସାଧାରଣ ନିର୍ବାଚନର ତାରିଖ ଘୋଷଣା ପରେ ଆଇପିଏଲ୍‌ର ବାକି ଖେଳସୂଚୀ ଘୋଷଣା କରାଯିବ ବୋଲି ବିସିସିଆଇ ସୂତ୍ରରୁ ପ୍ରକାଶ।

Leave A Reply