ବିଶାଳ ସ୍କୋର୍‍ ବଳରେ କଲକାତା ବିଜୟୀ

0

ଇନ୍ଦୋର : ଆଇପିଏଲ୍‍-୧୧ରେ ଅଦ୍ୟାବଧି ସର୍ବାଧିକ ଦଳଗତ ସ୍କୋର୍‍ ୨୪୫ ରନ୍‍ କରି କଲକାତା ନାଇଟ ରାଇଡର୍ସ (କେକେଆର୍‍) ବିଜୟ ହାସଲ କରିଛି । ଆଇପିଏଲ୍‍ ଇତିହାସରେ ଏହା ୪ର୍ଥ ସର୍ବାଧିକ ଦଳଗତ ସ୍କୋର୍‍। ଶନିବାର କିଙ୍ଗ୍‍ସ ଏକାଦଶ ପଞ୍ଜାବକୁ ୩୧ ରନ୍‍ରେ ପରାସ୍ତ କରି ପ୍ଲେଅଫ୍‍ ଆଡ଼କୁ କଲକାତା ଅଗ୍ରସର ହେଉଛି। ସୁନୀଲ ନାରାୟଣ ଓ ଦିନେଶ କାର୍ତ୍ତିକଙ୍କ ଅର୍ଦ୍ଧଶତକ ସହ ଅନ୍ୟ ବ୍ୟାଟ୍‍ସମ୍ୟାନଙ୍କ ଉପଯୋଗୀ ଇନିଂସ ବଳରେ ପ୍ରଥମେ ବ୍ୟାଟିଂକରି କଲକାତା ୬ ୱିକେଟରେ ୨୪୫ ରନ୍‍ କରିଥିଲା। ପରେ କେ.ଏଲ୍‍. ରାହୁଲଙ୍କ ଅର୍ଦ୍ଧଶତକ ସତ୍ତେ୍ୱ ପଞ୍ଜାବ ୮ ୱିକେଟରେ ୨୧୪ ରନ୍‍ କରି ପାରିଥିଲା। ୧୨ଶ ମ୍ୟାଚ୍‍ରୁ ୬ଷ୍ଠ ବିଜୟ ପରେ କଲକାତା ୪ର୍ଥ ସ୍ଥାନକୁ ଉନ୍ନୀତ ହୋଇଛି। ପଞ୍ଜାବ ୧୧ଶ ମ୍ୟାଚ୍‍ରେ ୫ମ ପରାଜୟ ପରେ ପୂର୍ବପରି ୩ୟ ସ୍ଥାନରେ ରହିଛି। ଏହି ମ୍ୟାଚ୍‍ରେ ମୋଟ ୪୫୯ ରନ୍‍ ହୋଇଥିବା ବେଳେ ଆଇପିଏଲ୍‍ ଇତିହାସରେ ଏହା ୨ୟ ସର୍ବାଧିକ। ୨୦୧୦ରେ ଚେନ୍ନଇ ସୁପର କିଙ୍ଗ୍‍ସ-ରାଜସ୍ଥାନ ରୟାଲ୍‍ସ ମ୍ୟାଚ୍‍ରେ ଉଭୟ ଦଳ ମିଶି ସର୍ବାଧିକ ୪୬୯ ରନ୍‍ କରିଥିଲେ।
ସମ୍ମୁଖରେ ରେକର୍ଡ ୨୪୬ ରନ୍‍ର ପିଛା କରିବାର ଥିବା ବେଳେ କିଙ୍ଗ୍‍ସ ଏକାଦଶ ପଞ୍ଜାବ ମଧ୍ୟ ବିସ୍ଫୋରକ ଭାବେ ଇନିଂସ ଆରମ୍ଭ କରିଥିଲା। ପ୍ରଥମ କେ. ଲୋକେଶ ରାହୁଲ ଆକ୍ରମଣ କରିଥିବା ବେଳେ ପରେ କ୍ରିସ୍‍୍‍ ଗେଲ୍‍ ମଧ୍ୟ ବାଉଣ୍ଡରୀ ମାରିବା ଆରମ୍ଭ କରିଥିଲେ। ୬ଷ୍ଠ ଓଭରରେ ସ୍କୋର୍‍ ୫୭ ରନ୍‍ ହୋଇଥିବା ବେଳେ କ୍ରମାଗତ ୨ଟି ବଲ୍‍ରେ ପଞ୍ଜାବ ୨ଟି ୱିକେଟ ହରାଇଥିଲା। କ୍ରିସ୍‍ ଗେଲ୍‍ ୧୭ ବଲ୍‍ରୁ ଗୋଟିଏ ଛକା ଓ ୨ଟି ଚୌକା ସହ ୨୧ ରନ୍‍କରି ଆଉଟ ହୋଇ ଯାଇଥିଲେ। ଏହାସହ ପଞ୍ଜାବ ୬୨ ରନ୍‍ରେ ୫ଟି ୱିକେଟ ହରାଇଥିଲା। ମୟଙ୍କ ଅଗ୍ରୱାଲ ୦, କରୁଣ ନାୟାର ୩ ଓ ଅକ୍ଷର ପଟେଲ ଦ୍ରୁତ ୧୯ ରନ୍‍କରି ଆଉଟ ହୋଇଥିଲେ। ୯ମ ଓଭର ପର୍ଯ୍ୟନ୍ତ କ୍ରିଜ୍‍ରେ ରହି ବିସ୍ଫୋରକ ଇନିଂସ ଖେଳିଥିବା କେ.ଏଲ୍‍. ରାହୁଲ ୨୯ ବଲ୍‍ରୁ ୭ଟି ଛକା ଓ ୨ଟି ଚୌକା ସହ ୬୬ ରନ୍‍କରି ଆଉଟ ହୋଇ ଯାଇଥିଲେ। ଆରୋନ୍‍ ଫିଞ୍ଚ୍‍ ୨୦ ବଲ୍‍ରୁ ୩ଟି ଛକା ସହ ୩୪ ରନ୍‍ କରିଥିଲେ। ଅନ୍ୟ ଅଷ୍ଟ୍ରେଲୀୟ ଆଣ୍ଡର୍ୟୁ ଟାଇ ୧୨ ରନ୍‍ କରି ପାରିଥିଲେ। ଅଧିନାୟକ ରବିଚନ୍ଦ୍ରନ ଅଶ୍ୱିନ ଆକ୍ରମଣାତ୍ମକ ବ୍ୟାଟିଂକରି ୨୨ ବଲ୍‍ରୁ ୩ଟି ଛକା ଓ ୪ଟି ଚୌକା ସହ ୪୫ ରନ୍‍ କରିବାରୁ ପଞ୍ଜାବ ୨ ଶହ ରନ୍‍ ଅତିକ୍ରମ କରି ପାରିଥିଲା। ଆନ୍ଦ୍ରେ ରସେଲ ୩ଟି ଓ ପ୍ରସିଦ୍ଧ କୃଷ୍ଣ ୨ଟି ୱିକେଟ ନେଇଥିଲେ। ନାରାୟଣ ମ୍ୟାନ୍‍ ଅଫ୍‍ ଦି ମ୍ୟାଚ୍‍ ହୋଇଥିଲେ।
ଟସ୍‍ ଜିତି କିଙ୍ଗ୍‍ସ ଏକାଦଶ ପଞ୍ଜାବ ଫିଲ୍‍ଡିଂ ନେବା ପରେ ପ୍ରଥମ ଓଭରରୁ କଲକାତା ନାଇଟ ରାଇଡର୍ସର ବ୍ୟାଟ୍‍ସମ୍ୟାନ୍‍ ଆକ୍ରମଣ ଆରମ୍ଭ କରି ଦେଇଥିଲେ। ୩୧ ବଲ୍‍ରୁ ୫୩ ରନ୍‍ ହେବା ପରେ କ୍ରିସ୍‍ ଲିନ୍‍ ଆଉଟ ହୋଇ ଯାଇଥିଲେ। ଅଷ୍ଟ୍ରେଲୀୟ ଲିନ୍‍ ୧୭ ବଲ୍‍ରୁ ୨ଟି ଲେଖାଏଁ ଛକା ଓ ଚୌକା ସହ ୨୭ ରନ୍‍ କରିଥିଲେ। ତେବେ ଅନ୍ୟପଟେ ସୁନୀଲ ନାରାୟଣ ଆକ୍ରମଣ ଜାରି ରଖିଥିବା ବେଳେ ରବିନ୍‍ ଉଥପ୍ପା ଆସି କିଛି ଦର୍ଶନୀୟ ସଟ୍‍ ଖେଳିଥିଲେ। ନାରାୟଣ ଓ ଉଥପ୍ପା ୩୭ ବଲ୍‍ରୁ ୭୫ ରନ୍‍ ଯୋଡ଼ିଥିଲେ। ତେବେ ୩ଟି ବଲ୍‍ ମଧ୍ୟରେ ଉଭୟେ ଆଉଟ ହୋଇ ଯାଇଥିଲେ। ବାମହାତି ନାରାୟଣ ୩୬ ବଲ୍‍ରୁ ୪ଟି ଛକା ଓ ୯ଟି ଚୌକା ସହ ୭୫ ରନ୍‍ କରିଥିଲେ। ଏହା ତାଙ୍କର ୩ୟ ଆଇପିଏଲ୍‍୍‍ ଅର୍ଦ୍ଧଶତକ ଏବଂ ଚଳିତ ସଂସ୍କରଣରେ ୨ୟ ଅର୍ଦ୍ଧଶତକ। ଉଥପ୍ପା ୧୭ ବଲ୍‍ରୁ ଗୋଟିଏ ଛକା ଓ ୨ଟି ଚୌକା ସହ ୨୪ ରନ୍‍ କରିଥିଲେ। ଆନ୍ଦ୍ରେ ରସେଲ ଓ ଅଧିନାୟକ ଦିନେଶ କାର୍ତ୍ତିକ କ୍ରିଜ୍‍ରେ ଏକାଠି ହେବା ସହ ଆହୁରି ଜୋର୍‍ରେ ପ୍ରହାର କରିଥିଲେ। ଫଳରେ ପ୍ରଥମ ୧୨ ଓଭରରେ ୧୩୦ ରନ୍‍ ହୋଇଥିବା ବେଳେ ଶେଷ ୮ ଓଭରରେ ୧୧୫ ରନ୍‍ ହୋଇଥିଲା। ରସେଲ ଓ କାର୍ତ୍ତିକ ୪ର୍ଥ ୱିକେଟ ପାଇଁ ୩୧ ବଲ୍‍୍‍ରୁ ୭୫ ରନ୍‍ ଯୋଡ଼ିଥିଲେ। ଚଳିତ ଆଇପିଏଲ୍‍ରେ ଅଦ୍ୟାବଧି ସର୍ବାଧିକ ଷ୍ଟ୍ରାଇକ୍‍ରେଟ୍‍ ଥିବା ରସେଲ ୧୪ ବଲ୍‍ର ୩ଟି ଛକା ଓ ୨ଟି ଚୌକା ସହ ୩୧ ରନ୍‍ କରିଥିଲେ। ଶେଷ ଓଭରରେ ଆଉଟ ହୋଇଥିବା କାର୍ତ୍ତିକ ୨୩ ବଲ୍‍ରୁ ୩ଟି ଛକା ଓ ୫ଟି ଚୌକା ସହ ୫୦ ରନ୍‍ କରିଥିଲେ। ଚଳିତ ଆଇପିଏଲ୍‍ରେ ଏହା କାର୍ତ୍ତିକଙ୍କର ପ୍ରଥମ ଅର୍ଦ୍ଧଶତକ। ନୀତୀଶ ରାଣା ୪ଟି ବଲ୍‍ରୁ ୧୧ ଓ ଶୁବ୍‍ମାନ ଗିଲ୍‍ ୮ ବଲ୍‍ରୁ ୩ଟି ଚୌକା ସହ ୧୬ ରନ୍‍ କରିଥିଲେ। ଆଣ୍ଡର୍ୟୁ ଟାଇ ୪ଟି ୱିକେଟ ନେବା ସହ ତାଙ୍କ ୱିକେଟ ସଂଖ୍ୟା ୨୦ରେ ପହଞ୍ଚାଇ ପର୍ପଲ କ୍ୟାପ୍‍ ବଜାୟ ରଖିଛନ୍ତି।

Leave A Reply