ଆଜି ମୁହାଁମୁହିଁ ହେବେ ୱାର୍ଣ୍ଣର-ମୋର୍ଗାନ

ଚେନ୍ନଇ: ଆଇପିଏଲର ୩ୟ ଲିଗ୍‌ ମ୍ୟାଚ ରବିବାର ଦୁଇ ପୂର୍ବ ଚମ୍ପିଆନ ସନରାଇଜର୍ସ ହାଇଦରାବାଦ୍‌ ଓ କଲକାତା ନାଇଟ୍‌ ରାଇଡର୍ସ (କେଆର୍‌) ମଧ୍ୟରେ ଖେଳାଯିବ। ଅଷ୍ଟ୍ରେଲୀୟ ଡେଭିଡ୍‌ ୱାର୍ଣ୍ଣର ଓ ଇଂଲଣ୍ଡ ସୀମିତ ଓଭର କ୍ରିକେଟ ଅଧିନାୟକ ଇୟାନ ମୋର୍ଗାନ ମୁହାଁମୁହିଁ ହେବେ। ଉଭୟ ଦଳ ବିଜୟ ସହ ସିଜିନ୍ ଆରମ୍ଭ କରିବା ଲକ୍ଷ୍ୟ ରଖିଛନ୍ତି। ଗତ ସଂସ୍କରଣରେ କେକେଆର୍‌ ଓ ସନ୍‌ରାଇଜର୍ସ ପ୍ଲେଅଫ୍‌କୁ ଉନ୍ନୀତ ହେବାରେ ବିଫଳ ହୋଇଥିଲେ। ଚଳିତଥର ଉଭୟ ଦଳ ଟାଇଟଲ ହାତେଇବାକୁ ଆଶା ରଖିଛନ୍ତି।

୨୦୧୨ ଓ ୨୦୧୪ରେ ଚମ୍ପିଆନ ହୋଇଥିବା କଲକାତା ନାଇଟ୍‌ ରାଇଡର୍ସ ଚଳିତ ଥର ମୋର୍ଗାନଙ୍କ ନେତୃତ୍ବରେ ଖେଳିବାକୁ ଯାଉଛି। ବିଶ୍ବକପ ଚମ୍ପିଆନ ଇଂଲଣ୍ଡ ଦଳର ଅଧିନାୟକ ମୋର୍ଗାନଙ୍କ ଅଭିଜ୍ଞତାରେ କଲକାତା ୩ୟ ଥର ଆଇପିଏଲ ଚମ୍ପିଆନ ହେବାର ଲକ୍ଷ୍ୟରଖିଛି। କଲକାତା ନିକଟରେ ଶୁବମାନ ଗିଲ୍‌, ରାହୁଲ ତ୍ରିପାଠୀ, ନୀତୀଶ ରାଣା, ଅଭିଜ୍ଞ ଦିନେଶ କାର୍ତ୍ତିକ ଓ ଅଲ୍‌ରାଉଣ୍ଡର ଆଣ୍ଡ୍ୟୁ ରସେଲଙ୍କ ଭଳି ବ୍ୟାଟ୍‌ସମ୍ୟାନ ରହିଛନ୍ତି। ରସେଲ ଗତ ସିଜିନରେ ନୈରାଶ୍ୟଜନକ ପ୍ରଦର୍ଶନ କରିଥିଲେ। ସେ ଗୋଟିଏ ହେଲେ ମ୍ୟାଚ୍‌ ବିଜୟୀ ଇନିଂସ ଖେଳି ପାରିନଥିଲେ। କେକେଆର୍‌ ତାଙ୍କଠାରୁ ଉନ୍ନତ ପ୍ରଦର୍ଶନର ଲକ୍ଷ୍ୟ ରଖିଛି। ବୋଲିଂ ବିଭାଗରେ ବିଶ୍ବର ୧ ନମ୍ବର ଟେଷ୍ଟ ବୋଲର ପ୍ୟାଟ୍‌ କମିନ୍‌ସ, ଲୋକି ଫର୍ଗୁସନ, ପ୍ରସିଦ୍ଧ କ୍ରିଷ୍ଣା ଭଳି ଫାଷ୍ଟ ବୋଲର ରହିଛନ୍ତି। ଅଭିଜ୍ଞ ହରଭଜନ ସିଂହଙ୍କ ସମେତ ସୁନୀଲ ନାରାୟଣ, କୁଳଦୀପ୍‌ ଯାଦବ ଓ ବରୁଣ ଚକ୍ରବର୍ତ୍ତୀ ସ୍ପିନ୍‌ ବୋଲିଂ ଦାୟିତ୍ବ ତୁଲାଇବେ।

ସନ୍‌ରାଇଜର୍ସ ୨୦୧୬ରେ ଚମ୍ପିଆନ ହୋଇଥିବା ବେଳେ ଗତ ସିଜିନରେ ଏଲିମିନେଟର-୨ରେ ଦିଲ୍ଲୀ କ୍ୟାପିଟାଲ୍‌ସ ନିକଟରୁ ପରାଜିତ ହୋଇଥିଲା। ଚଳିତ ଥର ଡେଭିଡ୍‌ ୱାର୍ଣ୍ଣରଙ୍କ ସହ ଜନି ବେୟାରଷ୍ଟୋ, ଜେସନ ରୟ, କେନ୍‌ ୱିଲିୟମସନ, ଋଦ୍ଧିମାନ ଶାହା, ମନୀଷ ପାଣ୍ଡେ ଓ ପ୍ରିୟମ ଗର୍ଗଙ୍କ ଭଳି ବ୍ୟାଟ୍‌ସମ୍ୟାନ ରହିଛନ୍ତି। ଇଂଲଣ୍ଡ ଓପ୍‌ନର ଜନି ବେୟାରଷ୍ଟୋଙ୍କ ନିକଟରୁ ବିସ୍ଫୋରକ ଇନିଂସ ଆଶା କରାଯାଉଛି। ଦଳରେ ଭୁବନେଶ୍ବର କୁମାର, ଜେସନ ହୋଲ୍‌ଡର, ରସିଦ୍‌ ଖାଁ, ଟି. ନଟରାଜନଙ୍କ ଭଳି ବୋଲର ରହିଛନ୍ତି। ଉଭୟ ଦଳ ଆଇପିଏଲରେ ୧୯ ଥର ମୁହାଁମୁହିଁ ହୋଇଛନ୍ତି। ସେଥିମଧ୍ୟରୁ ସନରାଇଜର୍ସ ୭ ଓ କଲକାତା ନାଇଟ୍‌ ରାଇଡର୍ସ ୧୨ଟି ମ୍ୟାଚ୍ ଜିତିଛନ୍ତି।

Comments are closed.