ଆଜିଠାରୁ ଆଇପିଏଲ୍‌-୧୪, ଉଦ୍‌ଘାଟନୀ ମ୍ୟାଚରେ ମୁମ୍ବଇ-ବାଙ୍ଗାଲୋର

ଚେନ୍ନଇ: ଦେଶରେ ମହାମାରୀ କରୋନାର ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ବାତାବରଣର ଉଷ୍ମତା ମଧ୍ୟ ବଢ଼ିବାରେ ଲାଗିଛି। ତେବେ ଏସବୁକୁ ବଳିଯାଇଛି କ୍ରିକେଟ୍‌ ଫିଭର। ଶୁକ୍ରବାରଠାରୁ ବିଶ୍ବର ସବୁଠାରୁ ଧନଶାଳୀ ପେସାଦାର ଟ୍ବେଣ୍ଟି୨୦ ଟୁର୍ଣ୍ଣାମେଣ୍ଟ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍‌) ଆରମ୍ଭ ହେଉଛି। ଗତବର୍ଷ ଏହା ୟୁଏଇରେ ଖେଳା ଯାଇଥିବା ବେଳେ ଚଳିତବର୍ଷ ଏହା ଭାରତକୁ ଫେରିଛି। ଆଇପିଏଲ୍‌ର ଏହି ୧୪ଶ ସଂସ୍କରଣରେ ଗତବର୍ଷ ପରି ୮ଟି ଦଳ ଖେଳିବେ। ୨ ମାସ ଧରି ଏହା ମେ’ ୩୦ ପର୍ୟ୍ୟନ୍ତ ଚାଲିବ। ୬ଟି ସହର- ଦିଲ୍ଲୀ, ଚେନ୍ନଇ, ଅହମ୍ମଦାବାଦ, ବେଙ୍ଗାଲୁରୁ, କଲକାତା ଓ ମୁମ୍ବଇରେ ଟୁର୍ଣ୍ଣାମେଣ୍ଟର ସମସ୍ତ ୬୦ଟି ମ୍ୟାଚ୍‌ ଖେଳାଯିବ।

ମାତ୍ର ୫ ମାସ ତଳେ ମୁମ୍ବଇ ଇଣ୍ଡିଆନ୍‌ସ ୫ମ ଟାଇଟଲ ଜିତିଥିଲା। ଶୁକ୍ରବାର ଚେନ୍ନଇରେ ମୁମ୍ବଇ ଇଣ୍ଡିଆନ୍‌ସ ଓ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ଆଇପିଏଲ୍‌-୧୪ର ଉଦ୍‌ଘାଟନୀ ମ୍ୟାଚ୍ ଖେଳାଯିବ। ରୋହିତ ଶର୍ମାଙ୍କ ମୁମ୍ବଇ ରେକର୍ଡ ୫ ଥର ଆଇପିଏଲ୍‌ ଜିତିଥିବା ବେଳେ ଆର୍‌ସିବି ଆଦୌ ଏହି ଟାଇଟଲ ଜିତିନାହିଁ। ଅଧିନାୟକ ଭାବେ ରୋହିତ ୧୧୬ ମ୍ୟାଚ୍‌ରୁ ୬୮ଟି ଜିତିଥିବା ବେଳେ କୋହଲି ୧୨୫ ମ୍ୟାଚ୍‌ରୁ ୫୫ଟି ଜିତିଛନ୍ତି। ବିଶ୍ବର ସବୁଠାରୁ ବଡ଼ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍‌ରେ ୩ଟି ପ୍ଲେଅଫ୍ ମ୍ୟାଚ୍‌ ସହ ମେ’ ୩୦ରେ ଫାଇନାଲ ମ୍ୟାଚ୍ ମଧ୍ୟ ଖେଳାଯିବ। ୮ଟିଯାକ ଫ୍ରାଞ୍ଚାଇଜି ସେମାନଙ୍କ ୧୪ଟିଯାକ ଲିଗ୍ ମ୍ୟାଚ୍‌ ୪ଟି ନିରପେକ୍ଷ ସହରରେ ଖେଳିବେ। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଦଳମାନଙ୍କ ଯିବାଆସିବାକୁ ସୀମିତ ରଖିବା ଲାଗି ଏପରି ନିଷ୍ପତ୍ତି ନିଆଯାଇଛି। ପ୍ରଥମ ୩୬ଟି ଲିଗ୍‌ ମ୍ୟାଚ୍‌ ଚେନ୍ନଇ, ଅହମ୍ମଦାବାଦ, ମୁମ୍ବଇ ଓ ଦିଲ୍ଲୀରେ ଖେଳାଯିବ। ଶେଷ ୨୦ଟି ଲିଗ୍ ମ୍ୟାଚ୍‌ ମେ’ରେ ବେଙ୍ଗାଲୁରୁ ଓ କଲକାତାରେ ଖେଳାଯିବ। ଅପରାହ୍‌ଣ ମ୍ୟାଚ୍ ୩.୩୦ରୁ ଏବଂ ସନ୍ଧ୍ୟା ମ୍ୟାଚ୍‌ ୭.୩୦ରୁ ଆରମ୍ଭହେବ। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସମସ୍ତ ମ୍ୟାଚ୍‌ ଖାଲି ଷ୍ଟାଡିୟମ୍‌ରେ ଖେଳାଯିବ। ସମସ୍ତ ଦଳ ଏବେ ଜୈବ ନିରାପତ୍ତା ବଳୟରେ ରହିଛନ୍ତି। ଦେଶରେ ଦୈନିକ ୧ ଲକ୍ଷରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହେଉଥିବା ବେଳେ ଟୁର୍ଣ୍ଣାମେଣ୍ଟକୁ ସୁରୁଖୁରୁରେ ସାରିବା ବିସିସିଆଇ ପାଇଁ ବଡ଼ ଆହ୍ବାନ ହେବ।

ଆଇପିଏଲ୍‌ ପରିସଂଖ୍ୟାନ

– ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ଅଧିନାୟକ ବିରାଟ କୋହଲି ଆଇପିଏଲ୍‌ ଇତିହାସରେ ୧୯୨ ମ୍ୟାଚ୍‌ରୁ ସର୍ବାଧିକ ୫୮୭୮ ରନ୍‌ ସ୍କୋର୍ କରିଛନ୍ତି। ସିଏସ୍‌କେର ସୁରେଶ ରୈନା ତାଙ୍କଠାରୁ ୫୦୭ ରନ୍ କମ୍ କରିଛନ୍ତି।
– ଆଇପିଏଲ୍‌ ଇତିହାସରେ ସର୍ବାଧିକ ବ୍ୟକ୍ତିଗତ ସ୍କୋର୍ ୨୦୧୩ରେ ପୁଣେ ୱାରିଅର୍ସ ବିପକ୍ଷରେ ଓପ୍‌ନର କ୍ରିସ୍ ଗେଲ୍‌ ଅପରାଜିତ ୧୭୫ ରନ୍‌ କରିଛନ୍ତି।
– ୧୦୦୦ରୁ ଅଧିକ ରନ୍ କରିଥିବା ବ୍ୟାଟ୍‌ସମ୍ୟାନ୍‌ଙ୍କ ମଧ୍ୟରେ ପଞ୍ଜାବ କିଙ୍ଗ୍‌ସ ଅଧିନାୟକ କେ.ଏଲ୍‌. ରାହୁଲ ସର୍ବାଧିକ ୪୪.୮୬ ଆଭ୍‌ରେଜରେ ସ୍କୋର୍ କରିଛନ୍ତି। ରାହୁଲ ୮୧ ମ୍ୟାଚ୍‌ରୁ ୨୬୪୭ ରନ୍ ସ୍କୋର୍ କରିଛନ୍ତି।
– କଲକାତା ନାଇଟ୍‌ ରାଇଡର୍ସର ଆଣ୍ଡ୍ରୟୁ ରସେଲ୍‌ ସର୍ବାଧିକ ୧୮୨.୩୩ ଷ୍ଟ୍ରାଇକ୍‌ରେଟ୍‌ରେ ସ୍କୋର୍ କରିଛନ୍ତି। ରସେଲ ୬୧ ଇନିଂସରୁ ୧୫୧୭ ରନ୍ ସ୍କୋର୍ କରିଛନ୍ତି।
– ଆର୍‌ସିବି ଓ ପଞ୍ଜାବ କିଙ୍ଗ୍‌ସ ଓପ୍‌ନର କ୍ରିସ୍ ଗେଲ୍‌ ଆଇପିଏଲ୍‌ ଇତିହାସରେ ସର୍ବାଧିକ ୬ଟି ଶତକ ହାସଲ କରିଛନ୍ତି।
– ଆର୍‌ସିବି ଓ ପଞ୍ଜାବ କିଙ୍ଗ୍‌ସ ଓପ୍‌ନର କ୍ରିସ୍ ଗେଲ୍‌ ଆଇପିଏଲ୍‌ ଇତିହାସରେ ସର୍ବାଧିକ ୩୫୯ଟି ଛକା ମାରିଛନ୍ତି। ଶିଖର ଧାୱନ ସର୍ବାଧିକ ୫୯୧ଟି ଚୌକା ମାରିଛନ୍ତି।
– ଡେଭିଡ୍‌ ୱାର୍ଣ୍ଣର ୧୪୨ ମ୍ୟାଚ୍‌ରୁ ସର୍ବାଧିକ ୪୮ଟି ଅର୍ଦ୍ଧଶତକ ହାସଲ କରିଛନ୍ତି।
– କ୍ରିସ୍ ଗେଲ୍‌ ସବୁଠାରୁ କମ୍ ୩୦ ବଲ୍‌ରେ ଶତକ ହାସଲ କରିଛନ୍ତି।
– ବିରାଟ କୋହଲି ଓ ଏବି ଡି’ଭିଲିଅର୍ସ ୨୦୧୬ରେ ୨ୟ ୱିକେଟ ପାଇଁ ୨୨୯ ରନ୍ ଯୋଗ କରିଥିଲେ; ଯାହା ଆଇପିଏଲ୍‌ରେ ସର୍ବାଧିକ ଭାଗିଦାରୀ।
– ମୁମ୍ବଇ ଇଣ୍ଡିଆନ୍‌ସ ପାଇଁ ୧୨୨ଟି ମ୍ୟାଚ୍‌ ଖେଳି ଲାସିଥ୍ ମାଲିଙ୍ଗା ସର୍ବାଧିକ ୧୭୦ଟି ୱିକେଟ ନେଇଛନ୍ତି।
– ଓଭର ପିଛା ସବୁଠାରୁ କମ୍ ରନ୍‌ ୬.୨୪ ହାରରେ ରସିଦ୍ ଖାଁ ଆଗରେ ଅଛନ୍ତି।

ଆଇପିଏଲ୍‌-୧୪ରେ ଖାଲି ଥିବା ସ୍ଥାନ ପାଇଁ ଫେବୃଆରୀରେ ଖେଳାଳି ନିଲାମ ହୋଇଥିଲା। ଏହି ନିଲାମରେ ୨୨ ବିଦେଶୀ ଖେଳାଳିଙ୍କୁ ମିଶାଇ ମୋଟ ୫୭ ଜଣ ଖେଳାଳି ବିକ୍ରି ହୋଇଥିଲେ। ଦକ୍ଷିଣ ଆଫ୍ରିକାର ଅଲ୍‌ରାଉଣ୍ଡର କ୍ରିସ୍ ମରିସ୍‌ଙ୍କୁ ରାଜସ୍ଥାନ ରୟାଲ୍‌ସ ୧୬.୨୫ କୋଟି ଟଙ୍କା​ରେ କିଣିଥିଲା। ଫଳରେ ମରିସ୍‌ ଆଇପିଏଲ୍‌ ଇତିହାସରେ ସବୁଠାରୁ ଦାମୀ କ୍ରିକେଟର ହୋଇଥିଲେ। ନ୍ୟୁଜିଲାଣ୍ଡର କାଏଲ୍‌ ଜେମିସନ୍‌ଙ୍କୁ ୧୫ କୋଟି ଓ ଅଷ୍ଟ୍ରେଲିଆର ଗ୍ଲେନ୍ ମ୍ୟାକ୍ସୱେଲଙ୍କୁ ୧୪.୨୫ କୋଟି ଟଙ୍କାରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି) କିଣିଛି। ଅଷ୍ଟ୍ରେଲିଆର ଫାଷ୍ଟବୋଲର ଝାଏ ରିଚାର୍ଡସନ୍‌ ୧୪ କୋଟି ଟଙ୍କାରେ, କର୍ଣ୍ଣାଟକର ଅଭିଜ୍ଞ ସ୍ପିନ୍ ବୋଲିଂ ଅଲ୍‌ରାଉଣ୍ଡର କୃଷ୍ଣପ୍ପା ଗୌତମ ୯.୨୫ କୋଟି ଟଙ୍କାରେ, ଅଷ୍ଟ୍ରେଲିଆର ଫାଷ୍ଟବୋଲର ରାଇଲି ମେରିଡିଥ୍‌ଙ୍କୁ ୮ କୋଟି ଟଙ୍କାରେ, ମୋଇନ୍ ଅଲୀଙ୍କୁ ୭ କୋଟି ଟଙ୍କାରେ ବିଭିନ୍ନ ଫ୍ରାଞ୍ଚାଇଜି କିଣିଛନ୍ତି। ଆନ୍ତର୍ଜାତିକ ମ୍ୟାଚ୍‌ ଖେଳିନଥିବା ଖେଳାଳିଙ୍କ ମଧ୍ୟରୁ ତାମିଲନାଡୁର ଶାହାରୁଖ୍ ଖାଁ ୫.୨୫ କୋଟି ଟଙ୍କାରେ ବିକ୍ରି ହୋଇଛନ୍ତି।

ରୋହିତ ଶର୍ମା ନେତୃତ୍ବାଧୀନ ମୁମ୍ବଇ ଇଣ୍ଡିଆନ୍‌ସ ହ୍ୟାଟ୍ରିକ୍ ଟାଇଟଲ ଜିତିବାକୁ ଫେଭରିଟ୍‌। ଦିଲ୍ଲୀ କ୍ୟାପିଟାଲ୍‌ସ, ଆର୍‌ସିବି ଓ ସନ୍‌ରାଇଜର୍ସ ହାଇଦରାବାଦ ମଧ୍ୟ ଶକ୍ତିଶାଳୀ ଅଛନ୍ତି। ୩ ଥର ଟାଇଟଲ ଜିତିଥିବା ଚେନ୍ନଇ ସୁପର କିଙ୍ଗ୍‌ସ ଏଥର ଦଳରେ ଏକାଧିକ ପରିବର୍ତ୍ତନ କରି ପଡ଼ିଆକୁ ଓହ୍ଲାଇବ। ରାଜସ୍ଥାନ ରୟାଲ୍‌ସ, ପଞ୍ଜାବ କିଙ୍ଗ୍‌ସ ଓ ଦିଲ୍ଲୀ କ୍ୟାପିଟାଲ୍‌ସର ମଧ୍ୟ ଚମ୍ପିଆନ୍ ହେବାର ସମସ୍ତ ଗୁଣ ରହିଛି। ଟ୍ବେଣ୍ଟି୨୦ କ୍ରିକେଟ୍‌ ଅନିଶ୍ଚିତତାର ଖେଳ। ତେଣୁ ବିଜେତା ଦଳର ପୂର୍ବାନୁମାନ କରିବା ବେଶ୍‌ କଷ୍ଟକର। ଗତବର୍ଷ ପରି ଏଥର ମଧ୍ୟ ପୁରସ୍କାର ରାଶିକୁ କମ୍ ରଖାଯାଇଛି। ଚମ୍ପିଆନ୍ ଦଳ ୧୦ କୋଟି, ରନର୍ସଅପ୍ ଦଳ ୬.୨୫ କୋଟି ଏବଂ ୩ୟ ଓ ୪ର୍ଥ ସ୍ଥାନ ଦଳ ୪.୩୭୫ କୋଟି ଟଙ୍କା ଲେଖାଏଁ ପାଇବେ।

Comments are closed.