ଆଇପିଏଲ-୧୪: ଧାୱନ-ପୃଥ୍ବୀ ପ୍ରହାର, ଚେନ୍ନଇକୁ ହରାଇଲା ଦିଲ୍ଲୀ

ମୁମ୍ବଇ: ଏହି ମ୍ୟାଚ୍‌କୁ ଗୁରୁ-ଶିଷ୍ୟ ଲଢ଼େଇ କୁହା ଯାଉଥିବା ବେଳେ ଶିଷ୍ୟଙ୍କର ବିଜୟ ହୋଇଛି। ଚଳିତ ଆଇପିଏଲ୍‌ରେ ଶନିବାର ଗୁରୁ ମହେନ୍ଦ୍ର ସିଂହ ଧୋନିଙ୍କ ଚେନ୍ନଇ ସୁପର କିଙ୍ଗ୍‌ସ (ସିଏସ୍‌କେ)କୁ ଶିଷ୍ୟ ଋଷଭ ପନ୍ତ୍‌ଙ୍କ ଦିଲ୍ଲୀ କ୍ୟାପିଟାଲ୍‌ସ ପରାସ୍ତ କରିଛି। ୭ ୱିକେଟରେ ବିଜୟ ସହ ଦିଲ୍ଲୀ ତା’ର ଅଭିଯାନ ଆରମ୍ଭ କରିଛି। ସୁରେଶ ରୈୖନାଙ୍କ ଅର୍ଦ୍ଧଶତକ ଏବଂ ମୋଇନ୍ ଅଲୀ ଓ ସାମ୍ କରନ୍‌ଙ୍କ ଉପଯୋଗୀ ଇନିଂସ ବଳରେ ପ୍ରଥମେ ବ୍ୟାଟିଂକରି ଚେନ୍ନଇ ୭ ୱିକେଟରେ ୧୮୮ ରନ୍ କରିଥିଲା। ପରେ ଦୁଇ ଓପ୍‌ନର ପୃଥ୍ବୀ ସ ଓ ଶିଖର ଧାୱନ୍‌ଙ୍କ ଆକ୍ରମଣାତ୍ମକ ଅର୍ଦ୍ଧଶତକ ବଳରେ ୧୮.୪ ଓଭରରେ ୩ ୱିକେଟ ହରାଇ ଦିଲ୍ଲୀ ବିଜୟୀ ହୋଇଥିଲା। ଅଧିନାୟକ ଭାବେ ପ୍ରଥମ ମ୍ୟାଚ୍‌ରେ ବିଜୟ ହାସଲ କରିଛନ୍ତି ପନ୍ତ୍।

୧୮୯ ରନ୍‌ର ପିଛା କରିଥିବା ଦିଲ୍ଲୀ କ୍ୟାପିଟାଲ୍‌ସର ଦୁଇ ଓପ୍‌ନର ପୃଥ୍ବୀ ସ ଓ ଶିଖର ଧାୱନ୍ ଆରମ୍ଭରୁ ଆକ୍ରମଣାତ୍ମକ ବ୍ୟାଟିଂ କରିଥିଲେ। ଫଳରେ ୫ ଓଭରରୁ ଦିଲ୍ଲୀ ୫୮ ରନ୍ କରି ପାରିଥିଲା। ୨୭ ବଲ୍‌ରୁ ପୃଥ୍ବୀ ଓ ୩୫ ବଲ୍‌ରୁ ଧାୱନ ଅର୍ଦ୍ଧଶତକ ପୂରଣ କରିଥିଲେ। ଏହା ପରେ ମଧ୍ୟ ଦୁହେଁ ବିସ୍ଫୋରକ ଢଙ୍ଗରେ ବ୍ୟାଟିଂ କରିଥିଲେ। ଦୁହେଁ ୧୩.୩ ଓଭରରେ ୧୩୮ ରନ୍‌ର ଓପ୍‌ନିଂ ଭାଗିଦାରୀ କରିବାରୁ ଦିଲ୍ଲୀର ବିଜୟପଥ ସୁଗମ ହୋଇଥିଲେ। ପୃଥ୍ବୀ ସ’ ୩୮ ବଲ୍‌ରୁ ୩ଟି ଛକା ଓ ୯ଟି ଚୌକା ସହ ୭୨ ରନ୍‌ କରିଥିଲେ। ୧୭ଶ ଓଭରରେ ଆଉଟ ହୋଇଥିବା ଶିଖର ଧାୱନ ୫୪ ବଲ୍‌ରୁ ୨ଟି ଛକା ଓ ୧୦ଟି ଚୌକା ସହ ୮୫ ରନ୍‌ କରିଥିଲେ। ମାର୍କସ ଷ୍ଟୋଇନିସ୍ ୯ ବଲ୍‌ରୁ ୩ଟି ଚୌକା ସହ ୧୪ ରନ୍‌ କରିଥିଲେ। ଋଷଭ ପନ୍ତ୍‌ ୧୫ ରନ୍‌କରି ଅପରାଜିତ ଥିଲେ। ସାର୍ଦ୍ଦୁଳ ଠାକୁର ୨ଟି ୱିକେଟ ପାଇଥିଲେ।

ଟସ୍ ଜିତି ଦିଲ୍ଲୀ କ୍ୟାପିଟାଲ୍‌ସ ଫିଲ୍‌ଡିଂ ନେଇଥିଲା। ଚେନ୍ନଇ ସୁପର କିଙ୍ଗ୍‌ସର ଦୁଇ ଓପ୍‌ନର ବିଫଳ ହୋଇଥିଲେ। ଫାଫ୍ ଡୁ ପ୍ଲେସି ୦ ଓ ଋତୁରାଜ ଗାଏକ୍‌ୱାଡ୍‌ ୫ ରନ୍‌କରି ବିଦାୟ ନେଇଥିଲେ। ୩ୟ ୱିକେଟ ପାଇଁ ମୋଇନ୍ ଅଲୀ ଓ ସୁରେଶ ରୈନା ଦ୍ରୁତ ୫୩ ରନ୍ ଯୋଡ଼ିଥିଲେ। ଇଂଲଣ୍ଡର ଅଲ୍‌ରାଉଣ୍ଡର ମୋଇନ୍ ୨୪ ବଲ୍‌ରୁ ୨ଟି ଛକା ଓ ୪ଟି ଚୌକା ସହ ୩୬ ରନ୍‌ କରିଥିଲେ। ଗୋଟିଏ ସିଜିନ୍‌ ପରେ ଆଇପିଏଲ୍‌କୁ ଫେରିଥିବା ଏହି ଟୁର୍ଣ୍ଣାମେଣ୍ଟ ଇତିହାସରେ ୨ୟ ସଫଳତମ ବ୍ୟାଟ୍‌ସମ୍ୟାନ ସୁରେଶ ରୈନା ସ୍ବାଭାବିକ ଭାବେ ଆକ୍ରମଣାତ୍ମକ ବ୍ୟାଟିଂ କରିଥିଲେ। ବାମହାତି ରୈନା ୩୬ ବଲ୍‌ରୁ ୪ଟି ଛକା ଓ ୩ଟି ଚୌକା ସହ ୫୩ ରନ୍‌କରି ରନ୍‌ଆଉଟ୍‌ ହୋଇଥିଲେ। ରୈନାଙ୍କ ସହ ୬୩ ରନ୍ ଯୋଡ଼ିଥିବା ଅମ୍ବତି ରାୟୁଡୁ ୧୬ ବଲ୍‌ରୁ ୨ଟି ଛକା ଓ ଗୋଟିଏ ଚୌକା ସହ ୨୩ ରନ୍ କରିଥିଲେ। ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଖାତା ଖୋଲି ପାରିନଥିଲେ। ଶେଷ ୪.୩ ଓଭରରୁ ସିଏସ୍‌କେ ୫୧ ରନ୍‌ ସ୍କୋର୍ କରିବାରୁ ଏହା ୧୮୮ ରନ୍‌ରେ ପହଞ୍ଚି ପାରିଥିଲା। ରବୀନ୍ଦ୍ର ଜାଡ଼େଜା ୧୭ ବଲ୍‌ରୁ ୩ଟି ଛକା ସହ ୨୬ ରନ୍‌କରି ଅପରାଜିତ ଥିଲେ। ବାମହାତି ସାମ୍ କରନ୍ ଚମତ୍କାର ବ୍ୟାଟିଂକରି ୧୫ ବଲ୍‌ରୁ ୨ଟି ଛକା ଓ ୪ଟି ଚୌକା ସହ ୩୪ ରନ୍‌କରି ଅନ୍ତିମ ବଲ୍‌ରେ ଆଉଟ ହୋଇଥିଲା। ଦିଲ୍ଲୀର ଦୁଇ ପେସ୍ ବୋଲର ଆବେସ ଖାଁ ଓ କ୍ରିସ୍ ୱକ୍‌ସ ୨ଟି ଲେଖାଏଁ ୱିକେଟ ନେଇଥିଲେ।

Comments are closed.