ଅଲିମ୍ପିକ୍‍ସ ପୂର୍ବରୁ ଭାରତୀୟ କ୍ରୀଡ଼ାବିତ୍‍ଙ୍କ ଟିକାକରଣ: ଆଇଓଏ

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍‍ସରେ ଭାଗନେବା ପୂର୍ବରୁ ଭାରତୀୟ କ୍ରୀଡ଼ାବିତ୍‍ ଜୁଲାଇ ୨/୩ୟ ସପ୍ତାହରେ ଟୋକିଓ ଯାଇପାରନ୍ତି। ହେଲେ ଏହା ପୂର୍ବରୁ ସମସ୍ତ ଭାରତୀୟ ପ୍ରତିଯୋଗୀଙ୍କ ଟିକାକରଣ କରାଯିବ ବୋଲି ଭାରତୀୟ ଅଲିମ୍ପିକ୍‍ ଆସୋସିଏସନ୍‍ (ଆଇଓଏ) ଘୋଷଣା କରିଛି। କେବଳ କ୍ରୀଡ଼ାବିତ୍‍ ନୁହନ୍ତି; ପ୍ରଶିକ୍ଷକ ଓ ଅଫିସିଆଲଙ୍କୁ ମଧ୍ୟ କୋଭିଡ୍‍-୧୯ ଟିକା ଦିଆଯିବ ବୋଲି ଆଇଓଏ ସଭାପତି ରାଜୀବ ମେହେଟ୍ଟା କହିଛନ୍ତି। ଜୁଲାଇ ୨୩ରୁ ଅଗଷ୍ଟ ୮ ପର୍ଯ୍ୟନ୍ତ ଟୋକିଓ ଅଲିମ୍ପିକ୍‍ସ ଆୟୋଜନ ହେବ। ମେହେଟ୍ଟା କହିଛନ୍ତି; ଟୋକିଓ ଅଲିମ୍ପିକ୍‍ସରେ ସମସ୍ତ ପ୍ରତିଯୋଗୀଙ୍କ ନିରାପତ୍ତା ଆମ ପାଇଁ ପ୍ରାଥମିକତା। କେବଳ ଟିକାକରଣ ନୁହେଁ; ସମସ୍ତ ପ୍ରତିଯୋଗୀଙ୍କୁ ଏକ କୋଭିଡ୍‍ ଆଚରଣବିଧି ପୁସ୍ତିକା ପ୍ରଦାନ କରାଯାଇଛି। ଯେଉଁମାନେ ଟିକା ନେଇଥିବା ଏବଂ ଏହି ପୁସ୍ତିକାର ସମସ୍ତ୍‍ ନିୟମ କଡ଼ାକଡ଼ି ପାଳନ କରିଥିଲେ; ସେମାନଙ୍କୁ ଟୋକିଓ ଯିବା ପାଇଁ ବିମାନରେ ଚଢ଼ିବାକୁ ଦିଆଯିବ; ଅନ୍ୟଥା ନୁହେଁ।

ଏହାସହ ଟୋକିଓ ଅଲିମ୍ପିକ୍‍ସର ଆୟୋଜକଙ୍କୁ ପ୍ରଶଂସାକରି ଏହି କ୍ରୀଡ଼ା ମହାକୁମ୍ଭକୁ ସଫଳ କରିବା ଲାଗି ସମସ୍ତ ବନ୍ଦୋବସ୍ତ କରାଯାଇଛି। ଅଲିମ୍ପିକ୍‍ସ ସମୟରେ ସମସ୍ତ କ୍ରୀଡ଼ାବିତ୍‍ ଜୈବ ନିରାପତ୍ତା ବଳୟରେ ରହି ପ୍ରତିଯୋଗିତାରେ ଭାଗନେବେ। ଯେଉଁ କ୍ରୀଡ଼ାବିତ୍‍ ଆଦୌ ଟିକା ନେଇନାହାନ୍ତି; ସେମାନଙ୍କୁ ପ୍ରଥମ ପାନ ଏବଂ ଯେଉଁମାନେ ପ୍ରଥମ ପାନ ନେଇଛନ୍ତି; ସେମାନଙ୍କୁ ୨ୟ ପାନ ଦିଆଯିବ ବୋଲି ମେହେଟ୍ଟା କହିଛନ୍ତି।

Comments are closed.