ପୁଞ୍ଜି ନିବେଶ ପାଇଁ ଭାରତ ବ୍ୟତୀତ ଆଉ ଭଲ ସ୍ଥାନ ନାହିଁ : ନିର୍ମଳା ସୀତାରମଣ

ୱାଶିଂଟନ୍‍ : ପୁଞ୍ଜି ନିବେଶକାରୀମାନଙ୍କୁ ଭାରତ ବ୍ୟତୀତ ଆଉ କୌଣସି ଭଲ ସ୍ଥାନ ମିଳିବ ନାହିଁ ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି । ଭାରତ ଏକ ବୃହତ ଗଣତାନ୍ତ୍ରିକ ରାଷ୍ଟ୍ର, ଯେଉଁଠି ପୁଞ୍ଜିପତିମାନଙ୍କୁ ଯଥେଷ୍ଟ ସମ୍ମାନ ଓ ସୁଯୋଗ ଦିଆଯାଉଛି ବୋଲି ଅର୍ଥମନ୍ତ୍ରୀ କହିଛନ୍ତି । ଆମେରିକା-ଭାରତ ଭାଗିଦାରି ଫୋରମ ସହ ମିଶି ଫିକି ଦ୍ୱାରା ୱାଶିଂଟନ୍‍ସ୍ଥିତ ଆନ୍ତର୍ଜାତିକ ମୁଦ୍ରାପାଣ୍ଠି ମୁଖ୍ୟ କାର୍ଯ୍ୟାଳୟଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଉଦବୋଧନ ଦେଇ ସେ ଏହା କହିଛନ୍ତି।
ଅର୍ଥମନ୍ତ୍ରୀ କହିଛନ୍ତି, ଭାରତ ଏକ ଦ୍ରୁତବିକାଶଶୀଳ ଅର୍ଥନୀତି ଓ ଏଠାରେ ପର୍ଯ୍ୟାପ୍ତ ସଂଖ୍ୟକ ଦକ୍ଷ ପେଶାଦାର ଅଛନ୍ତି । ସରକାର ସଂସ୍କାର କାର୍ଯ୍ୟମାନ ଜାରି ରଖିବେ ବୋଲି ସେ ଆନ୍ତର୍ଜାତିକ ପୁଞ୍ଜିନିବେଶକାରୀମାନଙ୍କୁ ଆଶ୍ୱାସନା ଦେଇଛନ୍ତି। ସେ ପୁଣି କହିଛନ୍ତି, ମୋଟାମୋଟି ଚାହିଦା ବୃଦ୍ଧି ପାଇଁ ଅର୍ଥ ମନ୍ତ୍ରଣାଳୟ ନିର୍ମାଣ କ୍ଷେତ୍ର ସହ ସଂପୃକ୍ତ ବ୍ୟାଙ୍କ, ସେଗୁଡ଼ିକର ଅଂଶୀଦାର ଓ ଅଣବ୍ୟାଙ୍କିଙ୍ଗ୍‍ ଆର୍ଥିକ କମ୍ପାନିମାନଙ୍କୁ ଅନୁରୋଧ କରାଯାଇଛି । ସେହି ଆର୍ଥିକ ସଂଗଠନଗୁଡ଼ିକୁ ଗ୍ରାମାଞ୍ଚଳ ଓ ଛୋଟଛୋଟ ସହରକୁ ଯାଇ ଲୋକମାନଙ୍କର ଋଣ ଆବଶ୍ୟକତା ପୂରଣ କରିବାକୁ ସେମାନଙ୍କୁ ପରାମର୍ଶ ଦିଆଯାଇଛି। ଶ୍ରୀମତୀ ସୀତାରମଣ କହିଛନ୍ତି, ସରକାର ପ୍ରତି ସପ୍ତାହରେ ପ୍ରତ୍ୟେକଙ୍କ ସହ କଥାବାର୍ତ୍ତା କରୁଛନ୍ତି ଓ ଉଦ୍ୟୋଗ କ୍ଷେତ୍ର ଏବଂ ପୁଞ୍ଜିନିବେଶକାରୀମାନଙ୍କର
ସରକାରଙ୍କ ଉପରେ ଆସ୍ଥା ରହିଛି। ଯେଉଁ କ୍ଷେତ୍ରଗୁଡ଼ିକରେ ଆର୍ଥିକ ସଂକଟ ଦେଖାଦେଇଛି ସେଗୁଡ଼ିକରେ ସୁଧାର ଆଣିବା ପାଇଁ ସରକାର ପଦକ୍ଷେପ ନେଉଥିବାର ସେ କହିଛନ୍ତି।

Comments are closed.